ଜୁଲାଇ ୧୪ରୁ ଖୋଲିବ ରତ୍ନଭଣ୍ଡାର, ଏସଓପିକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପିକୁ ସରକାର ମଞ୍ଜୁର କରିଛନ୍ତି। ଆସନ୍ତାକାଲି ଅର୍ଥାତ ଜୁଲାଇ ୧୪ ତାରିଖ ଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। କ୍ରମାଗତ ଭାବେ ଚାଲୁ ରହିବ। ରତ୍ନଭଣ୍ଡାର କେତେବେଳେ ଖୋଲିବ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ। ରତ୍ନଭଣ୍ଡାର ଗଣତି ଓ ମଣତି ନେଇ ଆରବିଆଇ ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ। ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଆମ ପ୍ରତିନିଧିଙ୍କୁ ସହାୟତା ଦେବେ। ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫ କରାଯାଇ ତାହାର ଏକ ଡିଜିଟାଲ କ୍ୟାଟଲଗ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ। ସ୍ବଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।
Comments are closed.