ଗିରଫ ହେଲେ ଜିଲ୍ଲା ଯୋଗାଣ ଅଧିକାରୀ: ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର : ବଲାଙ୍ଗିର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ର ଜଣେ ମିଲରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦୁର୍ନୀତି ନିବାରଣ ଅଧିକାରୀଙ୍କ ହାତରେ ଧରା ପଡ଼ିଛନ୍ତି। ତାଙ୍କୁ ଗିରଫ କରାଯାଇଛି। ବଲାଙ୍ଗିର ଜିଲା ତୁଷୁରାର ଗଜାନନ ରାଇସ ‌ମିଲ ‌ମାଲିକ ଆଶିଷ ଶର୍ମା ଧାନରୁ ଚାଉଳ ପ୍ରକ୍ରିୟାକରଣ ଓ ଅନ୍ୟାନ୍ୟ ପ୍ରାପ୍ୟ ବାବଦକୁ ୧୫ ଲକ୍ଷ ଟଙ୍କା ​‌ଯୋଗାଣ ବିଭାଗରୁ ପାଇବାର ଥିଲା। ଏ ସମ୍ପର୍କିତ ବିଲ୍‌ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ ସୁପାରିସ ପାଇଁ ଅଟକିଥିଲା। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପାତ୍ର ପୂର୍ବରୁ ମିଲ ମାଲିକଙ୍କଠାରୁ ବିଲ ମଞ୍ଜୁର କରିବାକୁ ୧ ଲକ୍ଷ ୩୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ; ତଥାପି ସେ ବିଲ୍‌ରେ ଦସ୍ତଖତ କରୁନଥିଲେ। ସେ ଆହୁରି ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏ ନେଇ ମିଲ ମାଲିକ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଶ୍ରୀ ପାତ୍ର ତାଙ୍କ ସରକାରୀ କାର୍ଯ୍ୟାଳୟରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ଦଳ ତାଙ୍କୁ କାବୁ କରି ନେଇଥିଲେ। ଶ୍ରୀ ପାତ୍ରଙ୍କ ବଲାଙ୍ଗିର କାର୍ଯ୍ୟାଳୟ ପ୍ରକୋଷ୍ଠ, ସାଲେପାଲି ସିଲିକନ୍‌ ଭେଲିସ୍ଥିତ ତାଙ୍କ ଭଡ଼ା ଘର, ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ ଘର, ଗଞ୍ଜାମ ବୁଗୁଡ଼ାର ବାଲିପଦରସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଦଳ ଏକକାଳୀନ ଯାଞ୍ଚ କରାଯାଇଥିଲା। ବଲାଙ୍ଗିର ଘରୁ ନଗଦ ୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରଞ୍ଜିତା ପ୍ରଧାନଙ୍କ ନେତୃତ୍ବରେ ବଲାଙ୍ଗିର, ବରଗଡ଼, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ। ଶ୍ରୀ ପାତ୍ରଙ୍କୁ ବଲାଙ୍ଗିର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।

Comments are closed.