ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ
ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୁକ୍ରବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ସଭାପତିତ୍ବରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ଯଅତିଥି ଭାବେ ଆଠଗଡ ଯୋଗ ସେବା କେନ୍ଦ୍ରର ସଭାପତି ଯଦୁମଣି ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ କେନ୍ଦ୍ରର ଯୋଗ ପ୍ରଶିକ୍ଷକ ମନୋଜ କୁମାର ପାଣିଗ୍ରାହୀ ଓ ଶ୍ରୀକାନ୍ତ ବେହେରା ଯୋଗଦେଇ ଯୋଗର ଆବଶ୍ୟକତା ତଥା ଉପକାରିତା ବିଷୟରେ ବୁଝାଇଥିଲେ। ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଭୟ ଯୋଗ ପ୍ରଶିକ୍ଷକ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ବେହେରା ଏନଏସଏସର ସମସ୍ତ ସ୍ବେଚ୍ଛାସେବୀ ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଯୋଗାଭ୍ୟାସ କରାଇଥିଲେ। ଅଧ୍ୟାପିକା ସୂର୍ଯ୍ୟକାନ୍ତୀ ମହାପାତ୍ର ଛାତ୍ରୀଙ୍କୁ ଯୋଗ ସମ୍ପର୍କିତ ଶପଥ ପାଠ କରାଇଥିବା ବେଳେ ଅଧ୍ୟାପିକା ଶୁଭସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ବିଶ୍ଵନାଥ ବିଦ୍ୟାପୀଠ
ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସଚେତନତା ସଭା ଓ ଯୋଗାଭ୍ୟାସ କରାଯାଇଥିଲା। ସ୍କୁଲ ଏନସିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଯୋଗ ଗୁରୁ ନରେନ୍ଦ୍ର କୁମାର ଜେନା ଓ ପ୍ରଶିକ୍ଷକ ଶ୍ରୀକାନ୍ତ ବେହେରା ଶତାଧିକ ଛାତ୍ରଙ୍କୁ ଯୋଗାଭ୍ୟାସ କରାଇବା ସଙ୍ଗେ ସଙ୍ଗେ ନିୟମିତ ଯୋଗାଭ୍ୟାସର କିଭଳି ଉପକାର ମିଳିଥାଏ ସେ ସମ୍ପର୍କରେ ବିସ୍ତୃତ ଭାବେ ଅବତାରଣା କରିଥିଲେ। ସ୍କୁଲର ଏନସିସି ଅଧିକାରୀ ତଥା ଶିକ୍ଷକ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବିଜୟ କୁମାର ସାହୁ, ଆଗ୍ନେସିୟମ ଟେଟେ, ପପୁ ପରିଡା, ଦେବଦତ୍ତ ନାଏକ ଓ ଅନ୍ୟମାନେ ସହଯୋଗ କରେଥିଲେ।
ଗୋପବନ୍ଧୁ କନିଷ୍ଠ ମହିଳା କଲେଜ
ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ) ଏନଏସଏସ, ଯୁବ ରେଡକ୍ରସ, ସ୍କାଉଟ ଓ ଗାଇଡର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଯୋଗର ମହତ୍ବପୂର୍ଣ୍ଣ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ସମଗ୍ର ବିଶ୍ବ ପାଇଁ ଯୋଗ ଭାରତୀୟ ସଂସ୍କୃତିର ଏକ ମହାନ ଅବଦାନ। ପିତଞ୍ଜଳି ଯୋଗସୂତ୍ର, ଯୋଗଶାସ୍ତ୍ର ଓ ଶ୍ରୀମଦ୍ ଭାଗବତ ଗୀତାରେ ବର୍ଣ୍ଣିତ ୨୦୦ଟି ଯୋଗ ଶବ୍ଦ କେତେକ ଯୋଗସଜ୍ଞା ବିଷୟରେ ପ୍ରାଧ୍ୟାପିକା ଶ୍ରୀମତି ତ୍ରିପାଠୀ ଛାତ୍ରୀଙ୍କୁ ବୁଝାଇଥିଲେ। ଆଠଗଡ ଯୋଗସେବା କେନ୍ଦ୍ରର ସଭାପତି ଯଦୁମଣି ପଟ୍ଟନାୟକ, ଯୋଗଗୁରୁ ମନୋଜ କୁମାର ପାଣିଗ୍ରାହୀ ଓ ଶ୍ରୀକାନ୍ତ ବେହେରା ଶତାଧିକ ଛାତ୍ରୀ, ସମସ୍ତ ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏନଏସଏସ ଯୋଜନା ଅଧିକାରିଣୀ ପ୍ରାଧ୍ୟାପିକା ପ୍ରମୋଦିନୀ ଜେନା, ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ଓ ରେଞ୍ଜର ଲିଡର ବିଜୟାଲକ୍ଷ୍ମୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟରର ଅନ୍ତର୍ଗତ କରିକୋଲ ଓ ଯୋରନ୍ଦାଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ବହୁମୁଖୀ ସ୍ଵାସ୍ଥ୍ୟ ପରିଦର୍ଶକ ମହମଦ୍ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସିଦ୍ଧାର୍ଥ ବେହେରା, ଡାକ୍ତର ଦୀପକ ରାଜ୍ ଓ ସ୍ଵାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ ପ୍ରମୁଖ ଯୋଗଦେଇ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ପ୍ରତିଦିନ ଯୋଗ କରିବା ଅପରିହାର୍ଯ୍ୟ ବୋଲି କହିଥିଲେ। ନିୟମିତ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଏକ ଅବସାଦମୁକ୍ତ ଶାନ୍ତିପୂର୍ଣ୍ଣ ଜୀବନ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସ୍ଵାସ୍ଥ୍ୟକର୍ମୀ ଓ ସାଧାରଣ ଲୋକ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସିଏଚଓ ପ୍ରିୟଙ୍କା ନାୟକ, ସ୍ଵାସ୍ଥ୍ୟକର୍ମୀ ଶୁଭେନ୍ଦୁ ଭାସ୍କର ରାଉତ, ସମାଜସେବୀ ତୁଷାର ବେଉରା, ଅଙ୍ଗନବାଡି କର୍ମୀ ପ୍ରଗତି ସ୍ୱାଇଁ, ଆଶାକର୍ମୀ ଶୈଳବାଳା ଦେଈଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ସହଯୋଗ କରିଥିଲେ।
ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତୀୟ ଯୋଗ ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଯୋଗ ଆମ ଭାରତୀୟ ସଂସ୍କୃତିକୁ ମୁନଋଷିଙ୍କର ଶ୍ରେଷ୍ଠ ଅବଦାନ ବୋଲି କହିବା ସହ ସୁସ୍ଥ ଓ ନିରୋଗ ଜୀବନ ପାଇଁ ସମସ୍ତେ ନିୟମିତ ଯୋଗ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଡାକ୍ତର ଭୁବନାନନ୍ଦ ଦାସ, ପ୍ରଜାପିତା ଇଶ୍ବରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମ କୁମରୀ ରୀତା ଓ ଯୋଗସେବା କେନ୍ଦ୍ର ସଭାପତି ଯଦୁମଣି ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଉତ୍ତମ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ସେଠାରେ ବିଭିନ୍ନ ବର୍ଗର ଶତାଧିକ ଲୋକଙ୍କୁ ଯୋଗଗୁରୁ ମନୋଜ କୁମାର ପାଣିଗ୍ରାହୀ ଯୋଗାଭ୍ୟାସ କରାଇଥିଲେ । ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଡଃ ପ୍ରଦୀପ କୁମାର ସାହା, ସିଡିପିଓ ନିବେଦିତା ରାୟଙ୍କ ସମେତ ବିଭିନ୍ନ କାର୍ଯ୍ୟାଳୟର ବହୁ କର୍ମଚାରୀ ଏଥିରେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ଯୋଗସେବା କେନ୍ଦ୍ରର ଉପଦେଷ୍ଟା ସଦାଶିବ ରଣା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।
ଆଠଗଡ ପଞ୍ଚାୟତ ସମିତି ପକ୍ଷରୁ ଜେନାପଦା ନୋଡାଲ ହାଇସ୍କୁଲଠାରେ ଶୁକ୍ରବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ବିଡିଓ ପ୍ରଦୀପ କୁମାର ସାହୁ ଯୋଗର ମହତ୍ବ, ଆବଶ୍ୟକତା ଓ ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ସେଠାରେ ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ସାଧାରଣ ଲୋକ ଯୋଗାଭ୍ୟାସ କରିଥିଲେ । ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଯୋଗାଚାର୍ଯ୍ୟ ଅଶୋକ କୁମାର ବେହେରା ଯୋଗଦେଇ ଶିବିରାର୍ଥୀଙ୍କୁ ଯୋଗାଭ୍ୟାସ କରାଇଥିଲେ । ଏହି ଅବସରରେ ଉତ୍ତମ କରିଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୋଗ ଦିବସ ଉପରେ ପର୍ଯ୍ୟବେସିତ ସୁନ୍ଦର ଝୋଟି ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ରଶ୍ମିତା ଦେବତା ଯୋଗ ଦେଇଥିଲେ। ପିଇଓ ନିତ୍ୟାନନ୍ଦ ସାହୁ, ମନୋଜ କୁମାର ପ୍ରଧାନ, କ୍ରୀଡା ଶିକ୍ଷକ ମନୋଜ କୁମାର ଗୋଚ୍ଛି, ପ୍ରସନ୍ନ କୁମାର ସାହୁ, ବିଜୟ କୁମାର ସାହୁ, ବିନୋଦିନୀ ସାହୁ ଓ ସସ୍ମିତା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.