ନୂଆଦିଲ୍ଲୀ: ନିଟ ଓ ୟୁଜିସି-ନେଟ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ କୌଣସି ଦୋଷୀଙ୍କୁ ଛଡ଼ା ଯିବନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପ୍ରତି ସରକାର ଯତ୍ନବାନ। ତଦନ୍ତ ଚାଲିଛି, ସ୍ପଷ୍ଟ ପ୍ରମାଣ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ଯେକେହି ଦୋଷୀ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏନଟଏକୁ ଅଧିକ ସୁଦକ୍ଷ କରିବାକୁ ଏକ କମିଟି ଗଠନ କରାଯିବ। ଏନଟିଏ ଗଠନ ଏବଂ ପରିଚାଳନା ସମ୍ପର୍କରେ କମିଟି ସୁପାରିଶ କରିବ। ଏଭଳି ସମ୍ବେଦନଶୀଳ ଘଟଣାରେ ଗୁଜବ ନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।
ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ୟୁଜିସି-ନେଟ ପରୀକ୍ଷା ବାତିଲ ନେଇ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ଯେ ଡାର୍କ ୱେବ ଏବଂ ଟେଲିଗ୍ରାମରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ ଜଣାପଡ଼ିଥିଲା। ପ୍ରଶ୍ନପତ୍ର ପ୍ରଘଟ ଜଣାପଡ଼ିବା ପରେ ତୁରନ୍ତ ପରୀକ୍ଷା ବାତିଲ ପାଇଁ ଘୋଷଣା କରିଥିଲୁ। ପରୀକ୍ଷା ବାତିଲ ସହ ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦିଆଯାଇଥିଲା।
ନିଟ୍ ପରେ ନେଟ୍ ପରୀକ୍ଷାରେ ବି ଘୋଟଲା ହୋଇଛି। ପରୀକ୍ଷା ବାତିଲ ପରେ ତାତିଲେ ଛାତ୍ର ସଂଗଠନ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ଏବଂ ଶିକ୍ଷା ମନ୍ତ୍ରାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି।



