କେନ୍ଦୁଝରଗଡ଼଼: ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ ଏହି ଗୀତ ଆଉ ଶୁଣିବାକୁ ମିଳୁନାହିଁ। ଆଧୁନିକତା ଛାପ ସତ୍ତ୍ବେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ଗାଁ ମାନଙ୍କରେ ରଜପର୍ବରେ କିନ୍ତୁ ଏହି ଗାଉଁଲି ଛାଟ ଏବେବି ଦେଖିବାକୁ ମିଳୁଛି। ରଜପର୍ବ ଆରମ୍ଭ ପୂର୍ବ ଦିନରୁ ରଜ ତିନିଦିନ କୌଣସି କାମ ନକରିବା ଲକ୍ଷ୍ୟରେ ପାଣି ବୋହି ସାଇତି ରଖିବା ପରମ୍ପରାକୁ ଜିଲାରେ ‘ପାଣିବୁହା ରଜ’ ବୋଲି କୁହାଯାଇଥାଏ।
ମୁଖ୍ୟତଃ ଜ୍ୟେଷ୍ଠ ମାସର ଶେଷଦିନ ଓ ଆଷାଢ଼ ମାସର ପ୍ରଥମ ଦୁଇଦିନକୁ ରଜପର୍ବ ଭାବେ ଧୂମ୍ଧାମରେ ପାଳନ କରାଯାଇଥାଏ। ଏହି ପର୍ବ ଅବସରରେ ଘରେ ଘରେ ବନ୍ଧୁବାନ୍ଧବ କୁଣିଆ ଆସିଥାନ୍ତି। ଘରେ ଘରେ ପିଠାପଣା ପାଇଁ ଛେନା, ଚାଉଳ, ବିରି, ମାଛ, ମାଂସ ସାଙ୍ଗକୁ ବିଭିନ୍ନ ପ୍ରକାର ପିଠାପଣାର ବାସ୍ନା ସମସ୍ତଙ୍କୁ ମହକିତ କରିଥାଏ। ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକେ ବଣ ପାହାଡରୁ ଆମ୍ବ, ପଣସ, ଜାମୁକୋଳି, କୁଢ଼େଇ, କେନ୍ଦୁ, ଖଜୁରୀ ଆଦି ଫଳ ସଂଗ୍ରହ କରି ରଜ ୩ ଦିନ ମଉଜ ମଜଲିସରେ କଟାଇଥାନ୍ତି। ରଜ ସମୟରେ ପ୍ରାକ୍ ମୌସୁମୀ ବର୍ଷା ଚାଷୀକୂଳକୁ ଆନନ୍ଦିତ କରିଥାଏ। ରଜପର୍ବର ଶେଷ ଦିନ ଗ୍ରାମ ମହିଳାଙ୍କ ପକ୍ଷରୁ ପାରମ୍ପରିକ ରୀତିରେ ଗାଁ ମୁଣ୍ଡ ଖୋଲା ସ୍ଥାନରେ ରଜବତୀ ବାଟୋଇବା ଦୃଶ୍ୟ ବେଶ୍ ନିଆରା। ପ୍ରଚଳିତ ପ୍ରଥାନୁଯାୟୀ ଏହି ସମୟରେ ମା’ ଧରିତ୍ରୀ ରଜସ୍ୱଳା ହୋଇଥାନ୍ତି। ତେଣୁ ମାଟି ମା’କୁ ବିଶ୍ରାମ ଦେବା ଲକ୍ଷ୍ୟରେ ରଜ ପର୍ବରେ କୌଣସି ଚାଷ କାର୍ଯ୍ୟ କରାଯାଇ ନଥାଏ। କୁମାରୀମାନେ ମଧ୍ୟ ଖାଲି ପାଦରେ ରଜ ତିନିଦିନ ଚାଲିବା ମନାଥିବାରୁ ସେମାନ ପାଦରେ କଦଳୀ ଓ ତାଳପତ୍ର ବାନ୍ଧି ଚାଲିବା ପରମ୍ପରା ଏବେବି ଜିଲାର ଆଦିବାସୀ ବହୁଳ ଅଞ୍ଚଳରେ ଦେଖିବାକୁ ମିଳେ। ମହିଳାମାନେ ପାଦରେ ଅଳତା ସାଙ୍ଗକୁ ନୂଆ ରଙ୍ଗବେରଙ୍ଗ ପୋଷାକ ପରିଧାନ କରି ଖିଲିପାନ ଖାଇ ଦୋଳିଖେଳର ମଜାନେବା ଅନ୍ୟ ଏକ ଅନନ୍ୟ ପରମ୍ପରା।
କୃଷିଭିତ୍ତିକ ପର୍ବ ରଜ ପାଳନ ନେଇ ସମଗ୍ର କେନ୍ଦୁଝର ହୋଇଉଠିଛି ଚଳଚଞ୍ଚଳ। ରଜପର୍ବକୁ ଧୂମ୍ଧାମରେ ପାଳନ ପାଇଁ ପଲ୍ଲୀରୁ ସହର ଯାଏଁ ବିଭିନ୍ନ କିସମର ଦୋଳି ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଧୁନିକତା ସତ୍ତ୍ବେ ଏହି ପର୍ବ ଗ୍ରାମାଞ୍ଚଳରେ ତା’ର ସ୍ୱତନ୍ତ୍ରତା ବଜାୟ ରଖିଥିବା ବେଳେ ଏହା କ୍ରମଶଃ ସହରାଭିମୁଖୀ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସହର କାଳୀପଡ଼ିଆରେ ରଜ ମହୋତ୍ସବ କମିଟି କେନ୍ଦୁଝର ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ସଙ୍ଗଠନ ଓ ବିଭିନ୍ନ ସାଂସ୍କୃୁତିକ ଅନୁଷ୍ଠାନ ପକ୍ଷରୁ ଚଳିତମାସ ୧୩ରୁ ୨୩ ତାରିଖ ଯାଏଁ ୧୧ଦିନବ୍ୟାପୀ ୧୦ମ ରଜ ମହୋତ୍ସବ ପାଇଁ କାଳୀପଡ଼ିଆ ସଜେଇ ହେବାସହ ଦୋଳି ସ୍ଥାପନ ଆରମ୍ଭ ସହ ରଜ ଗୀତ, ଝୋଟି, ପୁଚି, ନୃତ୍ୟ ଆଦି ପ୍ରତିଯୋଗିତା ଆୟୋଜନ ସହରୀ ଝିଅଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଛି। ଆଉମାତ୍ର ଦିନକପରେ ରଜ ପର୍ବ ପାଳନ ଆରମ୍ଭ ହେବାକୁ ଥିବା ବେଳେ ଜିଲା ଓ ରାଜ୍ୟ ବାହାରେ କାର୍ଯ୍ୟରତ ଶ୍ରମିକ, ଦିନ ମଜୁରିଆ ଘରମୁହାଁ ହେଲେଣି। ସଂକ୍ରାନ୍ତି ସତ୍ତ୍ବେ କେନ୍ଦୁଝର ଜିଲାର ଘରେ ଘରେ ଏହି ପର୍ବରେ ପିଠାପଣା ସାଙ୍ଗକୁ ଆମୀଷ ଭୋଜନ ଓ ନୂତନ ବସ୍ତ୍ର ପରିଧାନ ଏକ ପରମ୍ପରା ଭାବେ ପାଳନ ହୋଇଆସୁଛି। ଆଦିବାସୀ ଯୁବଗୋଷ୍ଠୀଙ୍କ ମଧ୍ୟରେ ନୃତ୍ୟଗୀତ ପ୍ରତିଯୋଗିତା ସାଙ୍ଗକୁ ଖିଲିପାନ ଯଚାଯଚି ସହ ନୂତନ ସମ୍ପର୍କ ସୃଷ୍ଟି ହୋଇଥାଏ। ଆଗାମୀ ବର୍ଷ ଚାଷକାର୍ଯ୍ୟ କିପରି ଫଳପ୍ରଦ ହେବ ସେ ନେଇ ଗ୍ରାମର ମଣ୍ଡଘରେ ଶୁଭ ମନାସୀ ଥାଆନ୍ତି ଆଦିବାସୀ ସମ୍ପ୍ରଦାୟର ବୟସ୍କ ମୁଖିଆମାନେ। ରଜ ସଂକ୍ରାନ୍ତି ଢ଼େର ଦିନ ପୂର୍ବରୁ କାଠ ସଂଗ୍ରହ କରି ଗାଁ ମୁଣ୍ଡ ତୋଟା ମାନଙ୍କରେ ତିଆରି ହୁଏ ଭଳିକି ଭଳି ଦୋଳି। ବିଶେଷକରି ଜିଲାର ଆଦିବାସୀ ସମ୍ପ୍ରଦାୟର ଯୁବଗୋଷ୍ଠୀ ରଜ ସଂକ୍ରାନ୍ତି ଦିନ ଛେଳି, ମେଣ୍ଢା ଓ କୁକୁଡା ମାଂସ ଭାଗ କରି ଗ୍ରାମର ପ୍ରତି ପରିବାରକୁ ବଣ୍ଟନ ରଜ ପରମ୍ପରାରେ ଭାତୃତ୍ୱଭାବକୁ ପରଷ୍ପର ମଧ୍ୟରେ ସୁଦୃଢ଼ କରିଥାନ୍ତି।
ଜିଲା ମୁଖ୍ୟାଳୟ କାଳୀପଡ଼ିଆ ଓ ପୁରୁଣାବଜାର ହୁଡିସାହି ସମେତ ଆନନ୍ଦପୁର, ଘସିପୁରା, ସୀତାବିଞ୍ଜ, ତୋରାଣୀପୋଖରୀ, ସଦର ବ୍ଲକ ପୁଟୁଳିଆ, ବିସ୍ତାପାଳ, ଜଳବଙ୍ଗ ଆଦି ଗ୍ରାମରେ ଗ୍ରାମ ଦେହୁରୀ ଦୋଳିଶାଳରେ ମୂର୍ତ୍ତି ସ୍ଥାପନ କରି ପୂଜାପାଠ କରିଥାନ୍ତି। ରଜସଂକ୍ରାନ୍ତି ଦିନ ରଜବତୀଙ୍କୁ କନିଆଁବେଶରେ ସଜାଇ କନିଆଁ ମଙ୍ଗୁଳା ହୋଇ ଯୁବତୀ ଓ ମହିଳାଙ୍କ ପକ୍ଷରୁ ଗ୍ରାମ ପରିକ୍ରମା ପରେ ବ୍ରାହ୍ମଣ ରଜବତୀଙ୍କୁ ବାହାଘର ପରମ୍ପରା ଜିଲାର ଅନେକ ସ୍ଥାନରେ ଆଜିବି ଉଜ୍ଜିବିତ ହୋଇରହିଛି। ପହିଲି ରଜରୁ ମହିଳା ଓ କୁମାରୀ ମାନେ ରାତିତମାମ୍ ଅନିଦ୍ରା ରହି ଦୋଳିଖେଳ ସହ ନାଚଗୀତରେ ମସଗୁଲ ରହି କନିଆକୁ ଜଗି ରହୁଥିବାବେଳେ ଶେଷ ରଜ ସନ୍ଧ୍ୟାରେ ମହିଳାମାନେ ଠାକୁରାଣୀ ରଜବତୀଙ୍କୁ ପଟୁଆରରେ ନେଇ ଗାଁ ମୁଣ୍ଡରେ ଥିବା ପୋଖରୀ କିମ୍ବା ନଦୀରେ ବିସର୍ଜନ କରିବା ପରମ୍ପରା ଏବେି ଜିଲାର ଅନେକ ସ୍ଥାନରେ ଦେଖିବାକୁ ମିଳେ।



