www.samajalive.in
Sunday, December 14, 2025
17.1 C
Bhubaneswar

ମେଲବୋର୍ଣ୍ଣ ଟେଷ୍ଟ : ୪୪୩ରେ  ଭାରତର ପାଳି ଘୋଷଣା, ପୂଜାରାଙ୍କ ଶତକ

ମେଲ୍‌ବୋର୍ଣ୍ଣ : ଚଳିତ ୩ୟ ଟେଷ୍ଟ ମ୍ୟାଚ୍‌ରେ କ୍ରମାଗତ ୨ୟ ଦିନ ପାଇଁ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ରାଜୁତି ଦେଖିବାକୁ ମିଳିଛି। କ୍ରମାଗତ ୨ୟ ଦିନରେ ମେଲ୍‌ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ର ପିଚ୍‌ରୁ ବୋଲର ସେପରି କୌଣସି ଫାଇଦା ଉଠାଇ ପାରିନାହାନ୍ତି। କେବଳ ଅସମାନ ବାଉନ୍‌ସ ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇଥିଲା। ଏପରି ବ୍ୟାଟିଂ ସହାୟକ ପିଚ୍ ଓ ବାତାବରଣର ଫାଇଦା ଉଠାଇ ଭାରତୀୟ ଦଳ ତା’ର ସ୍ଥିତିକୁ ଆହୁରି ମଜ୍‌ଭୁତ କରିପାରିଛି। ଅଧିନାୟକ ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କ ମଧ୍ୟରେ ୧୭୦ ରନ୍‌ର ଭାଗିଦାରୀ ବଳରେ ଭାରତ ୨ୟ ଦିନରେ ରାଜୁତି କରିଛି। ଏହି କ୍ରମରେ ପୂଜାରା ଶତକ ମାରିଥିବା ବେଳେ କୋହଲି ୮୨ ରନ୍‌ର ଲଢ଼ୁଆ ଇନିଂସ ଖେଳିଥିଲେ। ପରେ ମଧ୍ୟକ୍ରମ କିଛି ଉପଯୋଗୀ ଯୋଗଦାନ କରିବାରୁ ଭାରତ ୭ ୱିକେଟରେ ୪୪୩ ରନ୍‌କରି ପ୍ରଥମ ଇନିଂସ ଘୋଷଣା କରିଛି। ୨ୟ ଦିନର ଶେଷ ୬ ଓଭର ଅଷ୍ଟ୍ରେଲିଅା ଓପ୍‌ନରଙ୍କୁ ଖେଳିବାକୁ ପଡ଼ିଥିବା ବେଳେ ଭାରତୀୟ ନୂଆବଲ୍ ଆକମ୍ରଣକୁ ପ୍ରତିହତ କରି ୮ ରନ୍ କରି ପାରିଛନ୍ତି। ମାର୍କସ ହାରିସ୍ ୫ ଓ ଆରୋନ୍ ଫିଞ୍ଚ୍ ୩ ରନ୍‌କରି ଅପରାଜିତ ରହିଛନ୍ତି। ଫଳରେ ୩ୟ ଦିନ ଏହି ଟେଷ୍ଟମ୍ୟାଚ୍‌ର ଗୁରୁତ୍ବପୂର୍ଣ୍ଣ ଦିନ ହେବାକୁ ଯାଉଛି।
ମ୍ୟାଚ୍‌ର ୨ୟ ଦିନରେ ଅଷ୍ଟ୍ରେଲିଆକୁ ୫ଟି ୱିକେଟ ମିଳିଥିଲା। ସେଥିରୁ ୨ଟି ୱିକେଟ ପିଚ୍‌ର ଅସ୍ବାଭାବିକ ବ୍ୟବହାର ଯୋଗୁଁ ମିଳିଥିଲା। ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଏମ୍‌ସିଜି ପିଚ୍‌ର ଅସମାନ ବାଉନ୍‌ସ ଯୋଗୁଁ ଆଉଟ ହୋଇଥିଲେ। ପ୍ରଥମଦିନରେ ଭାରତ ୨ଟି ୱିକେଟ ହରାଇଥିଲେ ହେଁ ଜାଣି ଯାଇଥିଲା ଯେ ଏହି ପିଚ୍‌​‌େ​‌ର ସଟ୍ ଖେଳିବା କଷ୍ଟକର। ତେଣୁ ପ୍ରଥମଦିନରେ ଭାରତ ୨ ୱିକେଟ ହରାଇ ମାତ୍ର ୨୧୫ ରନ୍ କରି ପାରିଥିଲା। ୨ୟ ଦିନରେ ରନ୍‌ଗତିରେ ସେପରି ଉନ୍ନତି ହୋଇନଥିଲା। ତେବେ ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଲଢ଼ୁଆ ତଥା ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂକରି ପ୍ରଥମ ଇନିଂସରେ ଭାରତର ପ୍ରଭାବଶାଳୀ ସ୍କୋର୍ ନିଶ୍ଚିତ କରିଥିଲେ। ୨ୟ ଦିନରେ ଭୋଜନ ବିରତି ପର୍ଯ୍ୟନ୍ତ ଭାରତ କୌଣସି ୱିକେଟ ହରାଇନଥିଲା; ଯାହା ଗୁରୁତ୍ବପୂର୍ଣ୍ଣ ଥିଲା। ବିରତି ପରେ କୋହଲିଙ୍କୁ ସର୍ଟ ପିଚ୍‌ ବଲ୍‌ରେ ଆକ୍ରମଣ କରିଥିଲେ ମିଚେଲ ​‌ଷ୍ଟାର୍କ। କୋହଲି ୨/୩ଟି ବାଉନ୍‌ସରକୁ ପୁଲ୍ ମାରିବାରେ ସଫଳ ହୋଇଥିଲେ ହେଁ ଅପର୍ କଟ୍ ମାରି ଥାର୍ଡମ୍ୟାନ୍‌ରେ ଧରା ପଡ଼ିଥିଲେ। ଫଳରେ ପୂଜାରାଙ୍କ ସହ କୋହଲିଙ୍କ ୧୭୦ ରନ୍‌ର ଭାଗିଦାରୀ ଭାଙ୍ଗି ଯାଇଥିଲା। କୋହଲି ୯ଟି ଚୌକା ସହ ୮୨ ରନ୍ କରିଥିଲେ। ୩ ଓଭରରେ ପରେ ପୂଜାରା ମଧ୍ୟ ବିଦାୟ ନେଇଥିଲେ। ସୌରାଷ୍ଟ୍ରର ଏହି ବ୍ୟାଟ୍‌ସମ୍ୟାନ ୩୧୯ ବଲ୍ ଖେଳି ୧୦ଟି ଚୌକା ସହ ୧୦୬ ରନ୍ କରିଥିଲେ। ଚଳିତ ସିରିଜ୍‌ରେ ଏହା ପୂଜାରାଙ୍କ ୨ୟ ଏବଂ ମୋଟ ଉପରେ ୧୭ଶ ଟେଷ୍ଟ ଶତକ।
ଅଳ୍ପ ବ୍ୟବଧାନରେ ୨ଟି ୱିକେଟ ପଡ଼ିଯିବା ପରେ ଅଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମା ୬୨ ରନ୍‌ର ଭାଗିଦାରୀ କରି ଦଳର ସ୍ଥିତିକୁ ଆହୁରି ମଜ୍‌ଭୁତ କରିଥିଲେ। ନାଥାନ୍ ଲାୟନ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହେବା ଆଗରୁ ରାହାଣେ ୭୬ ବଲ୍‌ରୁ ୨ଟି ଚୌକା ସହ ୩୪ ରନ୍ କରିଥିଲେ। ୩୬୧ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ରୋହିତ ଓ ଋଷଭ ପନ୍ତ୍ ରନ୍‌ଗତିରେ ସାମାନ୍ୟ ବୃଦ୍ଧି ଘଟାଇଥିଲେ। ଦୁହେଁ ୬ଷ୍ଠ ୱିକେଟ ପାଇଁ ୭୬ ରନ୍ ଯୋଡ଼ିଥିଲେ। ଇନିଂସ ସମାପ୍ତି ଘୋଷଣା ଆସନ୍ନ ଜାଣି ଋଷଭ ପନ୍ତ୍ ବଡ଼ ସଟ୍‌ ମାରିବା ପ୍ରୟାସରେ ଆଉଟ ହୋଇଥିଲେ। ଏହି ବାମହାତି ୭୬ ବଲ୍‌ରୁ ୩ଟି ଚୌକା ସହ ୩୯ ରନ୍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ୪ ରନ୍‌କରି ଆଉଟ ହେବା ସହ ଭାରତ ଇନିଂସ ସମାପ୍ତି ଘୋଷଣା କରିଥିଲା। ରୋହିତ ୧୧୪ ବଲ୍‌ରୁ ୫ଟି ଚୌକା ସହ ୬୩ ରନ୍‌କରି ଅପରାଜିତ ରହିଥିଲେ। ପ୍ୟାଟ୍‌ କମିନ୍‌ସ ୩ଟି ୱିକେଟ ପାଇଥିବା ବେଳେ ମିଚେଲ ଷ୍ଟାର୍କ ୨ଟି ୱିକେଟ ପାଇଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories