ଶୀତଳଷଷ୍ଠୀ ସମୟରେ ବିଜୁଳିର ଲୁଚକାଳି ଜାରି

ସମ୍ବଲପୁର: ସମ୍ବଲପୁର ସହରରେ ବିଜୁଳିର ଲୁଚକାଳି ଯୋଗୁଁ ସହରବାସୀ ନାହିଁ ନ ଥିବାର ଅସୁବିଧା ଭୋଗ କରୁଛନ୍ତି। ରାଜ୍ୟ ସରକାର ବିଦ୍ୟୁତ କାଟ ନ କରିବା ଓ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ କିନ୍ତୁ ସମ୍ବଲପୁରବାସୀ ପ୍ରତିଦିନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବ୍ୟତିବ୍ୟସ୍ତ ହୋଇସାରିଲେଣି। ବର୍ଷର ସମସ୍ତ ପ୍ରମୁଖ ଧାର୍ମିକ ଉତ୍ସବ ଶୀତଳଷଷ୍ଠୀ, ଦୁର୍ଗା ପୁଜା, ଦିପାବଳି ଆଦି ପୁର୍ବରୁ ହେଉ କି ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁ ପ୍ରାରମ୍ଭରେ ହେଉ ବିଦ୍ୟୁତ ବିଭାଗ ମରାମତି ନାମରେ ଦିନକୁ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିଥାନ୍ତି। କିନ୍ତୁ ଏତେ ପୁର୍ବାପ୍ରସ୍ତୁତି ସତ୍ୱେ ଠିକଣା ସମୟରେ ବିଦ୍ୟୁତ ସରବରାହ ଗୁଲ ହୋଇଯାଇଥାଏ। ଏବେ ବିଦ୍ୟୁତ କାଟ ସମ୍ବଲପୁର ସହର ମଧ୍ୟରେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ସାରିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରା ସମୟରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଲକ୍ଷିତ ହେଉ ନାହିଁ।

ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଘର ଗୁଡିକରେ କୁଣୁଆଁ ପହୁଞ୍ôଚ ସାରିଛନ୍ତି। ଫଳରେ ଗୁରୁବାରରୁ ଶୀତଳଷଷ୍ଠୀ ଯାତ୍ରାର ପତ୍ରପେଣ୍ଡି ସହିତ ଏହି ଯାତ୍ରାର ଶୁଭାରମ୍ଭ ହୋଇ ସାରିଛି। ଠିକ ଯାତ୍ରା ଆରମ୍ଭ ହେବା ସମୟରେ ପୁରୁଣା ବସ୍ତି ଅଞ୍ଚଳରେ ଅଚାନକ ରାତ୍ରି ୮ଟା ସମୟରେ ବିଜୁଳି ଗୁଲ ହୋଇଯାଇଥିଲା। ଫଳରେ ଯାତ୍ରା କମିଟି ସମେତ ଜନତା ଅନ୍ଧକାର ମଧ୍ୟରେ ଏହି ଧାର୍ମିକ ନିତିକୁ ସମ୍ପନ୍ନ କରିବା ପାଇଁ ବାଧ୍ୟ ହୋଇଥିଲେ। ସେ ସମୟରେ ଟାଟା କମ୍ପାନୀ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଉଥିଲେ ସୁଦ୍ଧା, କୌଣସି ସୁଫଳ ମିଳି ନ ଥିଲା। ଏହା ସହିତ ବିଜୁଳି ସରବରାହ ସାମାନ୍ୟ ହେବା ପରେ ଯାତ୍ରା ଯାଉଥିବା ରାସ୍ତାର ଷ୍ଟ୍ରିଟ ଲାଇଟ ଗୁଡିକ ମଧ୍ୟ ବନ୍ଦ ରହିଥିଲା। ଏଭଳି ବ୍ୟତିକ୍ରମ ପ୍ରତି ବର୍ଷ ଦେଖାଯାଉଥିବା ବେଳେ ଶୀତଳଷଷ୍ଠୀ ଉତ୍ସବ ପୂର୍ବରୁ ପ୍ରଶାସନ ସହିତ ଆୟୋଜିତ ହେଉଥିବା ସମନ୍ୱୟ ବୈଠକରେ ଏହି ପ୍ରସଙ୍ଗ ପ୍ରମୁଖ ରୂପେ କମିଟି ମାନଙ୍କ ତରଫରୁ ଉତଥାପନ କରାଯାଇଥାଏ ଏବଂ ଚିରାଚରିତ ଢ଼ଙ୍ଗରେ ଦୃଢ଼ ପ୍ରତିଶୃତି ବିଜୁଳି ବିତରଣ କମ୍ପାନୀ ତରଫରୁ ଦିଆଯାଇଥାଏ। କିନ୍ତୁ ଠିକଣା ସମୟରେ ବିଜୁଳି ଗୁଲ ହୋଇ ଯାଇଥାଏ ଏବଂ ଯଥା ପୂର୍ବଂ ତଥା ପରଂ ସ୍ଥିତି ଜାରି ରହିଥାଏ। ଗତକାଲି ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ ନିତି ନୃସିଂହ ନିୟୁତା ସମୟରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଯାଇଥିଲା। ଦେବ ନିମନ୍ତ୍ରଣ ନିତି ପାଇଁ ଶୋଭାଯାତ୍ରା ଯାଉଥିବା ରାସ୍ତାର ସମସ୍ତ ଷ୍ଟ୍ରିଟ ଲାଇଟ ଗୁଡିକ ବନ୍ଦ ରହିଥିବା ବେଳେ ଏହାର ଉତ୍ତର ପ୍ରଶାସନ ପାଖରେ ନ ଥିଲା। ଶୀତଳ ଷଷ୍ଠୀ ଯାତ୍ରା ସମୟରେ ବିଜୁଳି କାଟ କରାଯିବ ନାହିଁ ପ୍ରତିଶୃତି ଦିଆଯାଇଥିବା ବେଳେ କିନ୍ତୁ ଦିନତମାମ ବିଜୁଳିର ଲୁଚକାଳି ଜାରି ରହୁଛି। ପ୍ରଶାସନ ଶୀତଳଷଷ୍ଠୀ ଯାତ୍ରା ପାଇଁ ଯେଭଳି ଆନ୍ତରିକତା ଦେଖାଇବା କଥା, ତାହା ଦେଖାଉ ନ ଥିବାରୁ ଏଭଳି ଅବ୍ୟବସ୍ଥା ବର୍ଷ ବର୍ଷ ପରେ ଜାରି ରହୁଛି ବୋଲି ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ଫଣି ଭୂଷଣ ମିଶ୍ର କହିଛନ୍ତି। ଯାତ୍ରାରେ ବିଭିନ୍ନ ବିଭାଗର ଦାୟିତ୍ୱ ରହିଥିବା ବେଳେ ସେମାନେ ଯାତ୍ରା ସମୟରେ କରୁଥିବା କାର୍ଯ୍ୟର ସମୀକ୍ଷା ପରବର୍ତ୍ତୀ ସମୟରେ ହେଉ ନ ଥିବା ଏବଂ ଦାୟିତ୍ୱ ସ୍ଥିର କରାଯାଉ ନ ଥିବାରୁ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟ ଠିକ ଭାବରେ କରୁ ନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଟାଟା ପାୱାର କତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ବିଦ୍ୟୁତ କାଟ ସମୟରେ ହେଉ କି ଅନ୍ୟ ସମୟରେ ହେଉ, ବିଦ୍ୟୁତ କାଟର ପ୍ରକୃତ କାରଣ ଜଣାଇବା ପାଇଁ ଗ୍ରାହକ ମାନଙ୍କୁ ସୁଚନା ଦେବା ପାଇଁ କୌଣସି ବ୍ୟବସ୍ଥା କରି ନାହାନ୍ତି। ବିଜୁଳି କାଟ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଫୋନ କରିଲେ, ସେମାନେ ଫୋନ ମଧ୍ୟ ଉଠାଉ ନାହାନ୍ତି। ଫଳରେ ବିଦ୍ୟୁତ ବିଭାଗର ମନମାନି ଯୋଗୁଁ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ‘ଶୀତଳଷଷ୍ଠୀରେ ମଧ୍ୟ ବିଜୁଳିର ଲୁଚକାଳି’ ଜାରି ରହିଛି ବୋଲି ସହରବାସୀ ଟାଟା ପାୱାରକୁ କଟାକ୍ଷ କରୁଛନ୍ତି।

Comments are closed.