ପୂର୍ବତନ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସଂପର୍କରେ ମିଥ୍ୟା ଖବର ପ୍ରଚାର ନେଇ ଥାନାରେ ଏତଲା
ବୌଦ୍ଧ: ଚଳିତ ସାଧାରଣ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ବିଜେପି ପ୍ରାର୍ଥୀଙ୍କ ଦ୍ୱାରା ପରାଜିତ ହେବାପରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ସମାଲୋଚନାମୂଳକ ଖବର ପ୍ରଚାରିତ ହେବାରେ ଲାଗିଛି। କିନ୍ତୁ ଏକ ନିର୍ଦ୍ଦିଷ୍ଟ ଖବକାଗଜର ନାମକୁ ବ୍ୟବହାର କରି ଶ୍ରୀ ଅମାତ ନିର୍ବାଚନରେ ପରାଜିତ ହେବା ପରେ କୁଅକୁ ଡେଇଁ ଆତ୍ମହତ୍ୟା କରିଥିବା ଭଳି ଏକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ଏହି ଖବର ଆଲୋଡନ ସୃଷ୍ଟି କରିଥିଲା। ଏ ସଂପର୍କରେ ସଂପୃକ୍ତ ଖବରକାଗଜ ପକ୍ଷରୁ ଗତକାଲି (ମଙ୍ଗଳବାର)ତାଙ୍କରି ଖବରକାଗଜ ନାମକୁ ମିଥ୍ୟା ଖବର ପ୍ରଚାରରେ କେହି ବ୍ୟକ୍ତି ବ୍ୟବହାର କରିଥିବା ନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ଡାଇରି ପଂଜିକୃତ କରି ଘଟଣା ଉପରେ ନଜର ରଖିଥିବା ବେଳେ ଗୁରୁବାର ଦିନ ପୂର୍ବତନ ମନ୍ତ୍ରୀ ଶ୍ରୀ ଅମାତ ବୌଦ୍ଧ ଥାନାରେ ମିଥ୍ୟା ଖବର ପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ଅମାତ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ସାଧାରଣରେ ବଦନାମ କରିବା ପାଇଁ ସାମାଜିକ ଗଣମାଧ୍ୟରେ ଏହିଭଳି ମିଥ୍ୟା ଖବର ପ୍ରଚାର କରାଯିବା ଦ୍ୱାରା ତାଙ୍କ ପରିବାର ଚାପରେ ରହିଥିବା ନେଇ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଜିଲା ଯୁବ ବିଜେଡି ପକ୍ଷରୁ ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୌଦ୍ଧ କର୍ମଚାରୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଶ୍ରୀ ଅମାତ ଜଣେ ବରିଷ୍ଠ ନେତା ଭାବରେ ଦୀର୍ଘ ୨୫ବର୍ଷ ଧରି ଅଞ୍ଚଳର ସେବା କରିବା ସହିତ ବିଧାନସଭାରେ ସମ୍ମାନଜନକ ବାଚସ୍ପତି ଓ ରାଜ୍ୟ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ବେଳେ ନିର୍ବାଚନ ପରେ ତାଙ୍କର ଭାବମୂର୍ତ୍ତିକୁ ସାଧାରଣରେ ବଦନାମ କରିବା ପାଇଁ ଏହିଭଳି ମିଥ୍ୟା ଖବର ପ୍ରଚାରକୁ ଦୃଢ ନିନ୍ଦା କରାଯାଇଛି। ନିର୍ବାଚନରେ ଜନାଦେଶକୁ ସମ୍ମାନ ଜଣାଇବା ସହିତ ବିଜୟ ପରାଜୟ ଏକ ପ୍ରକ୍ରିୟା ହୋଇଥିବା ବେଳେ ଯେଉଁମାନେ ବିଜୟୀ ହୋଇଛନ୍ତି ବିଜେଡି ସେମାନଙ୍କୁ ସ୍ୱାଗତ କରୁଛି ଏବଂ ଜିଲାର ବିକାଶ ପାଇଁ ସେମାନେ କାର୍ଯ୍ୟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ,ଜିଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ ଓ ଜିଲାପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଅମାତଙ୍କ ବିରୋଧରେ ହୋଇଥିବା ଅପପ୍ରଚାରକୁ ଦୃଢ ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Comments are closed.