ନିର୍ବାଚନବେଳେ ଓଡ଼ିଶା ଆସନ୍ତି ‘ରାଜନୈତିକ ପର୍ଯ୍ୟଟକ’: ନବୀନ

ଭୁବନେଶ୍ବର : କେନ୍ଦ୍ରୀୟ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏବଂ କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସି ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ଓଡ଼ିଶାରେ ବିଜେଡି ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ବିଜେପି ନେତୃତ୍ବ କଡ଼ା ସମାଲୋଚନା କରୁଥିବାବେଳେ ଏହାର ଶାଣିତ ଜବାବ ରଖିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ନେତୃତ୍ବଙ୍କୁ ରାଜନୈତିକ ପର୍ଯ୍ୟଟକର ଆଖ୍ୟା ‌ଦେଇଛନ୍ତି ନବୀନ। ଖବର ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ଯେ, କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କେବଳ ନିର୍ବାଚନ ସମୟରେ ରାଜନୈତିକ ପର୍ଯ୍ୟଟକ ଭଳି ଓଡ଼ିଶା ଆସନ୍ତି, ପରେ ସେମାନେ ଦେଖାଯାଆନ୍ତି ନାହିଁ। ବିଜେପିର କେନ୍ଦ୍ରୀୟ ନେତାଙ୍କ ବକ୍ତବ୍ୟର କୌଣସି ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡ଼ିବନି। ଦୁର୍ଭାଗ୍ୟର ବିଷୟ, ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ଏଥିରେ ମୁଁ ବିଶ୍ବାସ କରେନି। ବିଜେପିର ଏଭଳି ଭାଷାକୁ ରାଜ୍ୟବାସୀ ପସନ୍ଦ କରନ୍ତିନି କି ପ୍ରଶ୍ରୟ ବି ଦିଅନ୍ତିନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Comments are closed.