ସମ୍ବଲପୁର, ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: କହିଲେ ବିରୋଧୀ ନେତା ମିଛ କହୁଛନ୍ତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରି ବିଜେଡି ପାଇଁ ଭୋଟ ମାଗିଛନ୍ତି। ଏହିସବୁ ସ୍ଥାନରେ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଲୋ‌େ‌କ ସ୍ବାଗତ କରିଥିଲେ। ବିଜେଡିର ସମ୍ୱଲପୁର ଓ ଢେଙ୍କାନାଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଏସ୍‍କେୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, ୫-ଟି ବିଦ୍ୟାଳୟ ରୂପାନ୍ତରଣ, ପିଲାଙ୍କ ଛାତ୍ରବୃତ୍ତି, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ଏସବୁ ଯୋଜନା ଭଲ କି ? ଜନତାଙ୍କ ସମୂହ ଉତ୍ତର ଥିଲା ‘ହଁ’। ଯେତେବେଳେ ସେ ପଚାରିଲେ ନବୀନ ପଟ୍ଟନାୟକ ଭଲ କି? ‘ହଁ’ ଧ୍ୱନିରେ  ପ୍ରତିଧ୍ୱନିତ ହୋଇଥିଲା ସଭାସ୍ଥଳ। ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଜୁଲାଇରୁ ଆଉ ବିଜୁଳି ବିଲ୍‌ ଆସିବ ନାହିଁ। ବିଜେଡି ସରକାର ମାଗଣା ବିଜୁଳି ଦେବ। ଆପଣମାନେ ଖୁସି ତ ? ସେ ପୁଣି କହିଲେ ଯେ, ମା’ ସମଲେଇଙ୍କ ପ୍ରକଳ୍ପ କାମ, ପୁରୀ ପରିକ୍ରମା ପ୍ରକଳ୍ପ ଭଲ ହେଇଛି ତ ? ବହୁତ ଭଲ ବୋଲି ଜନତା ଉତ୍ତର ଦେଲେ। କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ପ୍ୟାକେଜ୍‌ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ କହିଥିଲେ, ବିଜେପିର ସମସ୍ତେ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ସେମାନେ ପ୍ରଥମେ ଆଗେ ତାଙ୍କ ପାର୍ଲାମେଣ୍ଟାରି ପାର୍ଟିର ବୈଠକ କରି ନିଷ୍ପତ୍ତି କରନ୍ତୁ- କେଉଁ ରାଜ୍ୟକୁ ଏକ ନମ୍ୱର କରିବେ? ତା’ପରେ ଓଡ଼ିଶା ଆସି ଆମର ଏକ ନମ୍ୱର ମୁଖ୍ୟମନ୍ତ୍ରୀଙ୍କଠାରୁ ପରାମର୍ଶ ନିଅନ୍ତୁ। ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ଓଡ଼ିଶାକୁ ଏକନମ୍ୱର କରିବେ। ଦୁଇଜଣ ମୁଖ୍ୟମନ୍ତ୍ରୀ ଆସି କହୁଛନ୍ତି, ଓଡ଼ିଶାକୁ ଏକନମ୍ବର କରିବେ। ସେମାନେ କୁହନ୍ତୁ, ତାଙ୍କ ରାଜ୍ୟକୁ କ’ଣ କରିବେ? କେନ୍ଦ୍ର ଗୃହମନ୍ତ୍ରୀ କହୁଛନ୍ତି କର୍ଣ୍ଣାଟକକୁ, ତେଲଙ୍ଗାନାକୁ ଏକନମ୍ୱର କରିବେ, କିନ୍ତୁ ଗୁଜରାଟକୁ ଏକନମ୍ୱର କରିପାରିଲେ କି? ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ଭଲପାଇବା ଓ ଜୋସ୍‍ ଦେଖି ଏ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଡରିକି ନିଜକୁ ସମ୍ବଲପୁରକୁ କୋରିଅର କରିଦେଲେ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସହଯୋଗରେ ଓଡ଼ିଶାକୁ ଏକନମ୍ୱର କରିବେ। ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ଚାଲୁଥିଲା, ସବୁ ବନ୍ଦ ହୋଇଗଲାଣି। ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‍ ଛାଡ଼। ଦ୍ୱିତୀୟ ଦସ୍ତଖତରେ ବିଏସ୍‍କେୱାଇ କାର୍ଡରେ ସମସ୍ତେ ସାମିଲ ହେବେ। ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ୬୦ ବର୍ଷରେ ଭତ୍ତା ବ୍ୟବସ୍ଥା ହେବ। ଏହି ତିନୋଟି ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି। ଏହାକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ। ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିପୁଳ ଜନ ସମାବେଶ ଦେଖି ବିରୋଧୀଙ୍କ ଆତ୍ମବିଶ୍ବାସ ଭାଙ୍ଗି ଗଲାଣି। ବାହାରୁ ଆସି ସେମାନଙ୍କ ନେତାମାନେ ନବୀନ ବାବୁଙ୍କୁ ଅସମ୍ମାନିତ କରୁଛନ୍ତି। ଆପଣମାନେ ସେହି ବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ନିଶାଣ କରି ଶ୍ରୀ ପାଣ୍ଡିଆନ୍‌ କହିଥିଲେ ଯେ, ଆପଣ ଏ ଅଞ୍ଚଳ, ମହାନଦୀ, ମା’ ସମଲେଇଙ୍କ ପାଇଁ କ’ଣ କରିଛନ୍ତି, ଏହାର ଉତ୍ତର ରଖିବେ। ଏ ଅଞ୍ଚଳର ପରିଚୟ ହେଉଛି ସମ୍ୱଲପୁରୀ କୋଶଳୀ ଭାଷା। ସମ୍ୱିଧାନର ଅଷ୍ଟମ ପରିଚ୍ଛେଦରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପାଞ୍ଚ ଥର କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ। କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇପାରିବେ କି କାହିଁକି ଅନ୍ତର୍ଭୁକ୍ତ ହେଲା ନାହିଁ? ସମ୍ୱଲପୁରୀ ଶାଢ଼ି ଏ ଅଞ୍ଚଳର ମୁଖ୍ୟ ପରିଚୟ। ସମ୍ୱଲପୁରୀ ଶାଢ଼ିର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର କଳାଭୂମିରେ ସଂଗ୍ରହାଳୟ କରିଛନ୍ତି। ସେ କ’ଣ କରିଛନ୍ତି? ସମ୍ୱଲପୁରୀ ଶାଢ଼ି ଡିଜାଇନରେ ଭୁବନେଶ୍ବରରେ କୃଷିଭବନ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି। ଏ ଅଞ୍ଚଳର ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ଗଙ୍ଗାଧର ମେ‌େ‌ହର, ପାର୍ବତୀ ଗିରିଙ୍କ ପରି ବରପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଜେପି ସରକାର କ’ଣ କରିଛି? ଆମ ସରକାର ଏହି ବରପୁତ୍ରଙ୍କ ସ୍ମୃତିପୀଠର ଉନ୍ନତି କରୁଛନ୍ତି। ସେମାନଙ୍କ ସମ୍ମାନାର୍ଥେ ବହୁ ଯୋଜନା ମଧ୍ୟ ନାମିତ କରିଛନ୍ତି। ମହାନଦୀ ଆମ ଓଡ଼ିଆଙ୍କ ଅସ୍ମିତା। ଓଡ଼ିଶାର ମହାନଦୀ ଆନ୍ଦୋଳନ ବେଳେ ବିଜେପି ସରକାର ଛତିଶଗଡ଼ ସହିତ ଠିଆ ହେଲା, ଅଥଚ ଓଡ଼ିଶାକୁ ଭୁଲିଗଲା। ମା’ ସମଲେଇ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର କାର୍ଯ୍ୟକ୍ରମ ଥିଲା। ସେତେବେଳେ ମଧ୍ୟ ଏହାକୁ ସେମାନେ ବିରୋଧ କଲେ। ଏହି ପ୍ରକଳ୍ପ ପାଇଁ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବହୁ ପରିଶ୍ରମ କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଉପରେ କେନ୍ଦ୍ର ସରକାର ଜିଏସ୍‍ଟି ଲାଗୁ କଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରୁ ରାଜ୍ୟ ଜିଏସ୍‍ଟି ଫେରାଇ ନେଇଛନ୍ତି। ନିର୍ବାଚନ ସମୟରେ ସେମାନଙ୍କର ଏମ୍‌ଏସ୍‌ପି କଥା ମନେପଡ଼ୁଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଗୋଟିଏ ସ୍କୁଲ କରିଛନ୍ତି କି? କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ, ଲୋକଙ୍କ ପାଖରେ ଉତ୍ତରଦାୟୀ ହୁଅନ୍ତୁ। ମୁଖ୍ୟମନ୍ତ୍ରୀ ୩ ବର୍ଷ ମଧ୍ୟରେ ବିଜୁ ଏକ୍ସପ୍ରେସ୍‍ ୱେ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ଅଥଚ କଟକ-ସମ୍ୱଲପୁର ରାସ୍ତା ୧୦ବର୍ଷ ହେଲା ହୋଇପାରୁନାହିଁ। ଏମ୍‌ସିଏଲ୍‍ ପ୍ରତିବର୍ଷ କୋଇଲା ବାବଦକୁ ଓଡ଼ିଶାରୁ ୨୭ ହଜାର କୋଟି ଟଙ୍କା ପାଉଛି, କିନ୍ତୁ ଓଡ଼ିଶାବାସୀ ପାଉଛନ୍ତି ପ୍ରଦୂଷଣ। ସମ୍ୱଲପୁର ଓ ରେଙ୍ଗାଲିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ଼ ମାଷ୍ଟରପ୍ଲାନ ରହିଛି ବୋଲି ସେ ସୂଚନା ଦେଇଥିଲେ।

Comments are closed.