(ଡ. ଆଦିତ୍ୟ ମିଶ୍ର): ଯୁଦ୍ଧ ଭୂଇଁର ବିଭୀଷିକା ମଧ୍ୟରେ କେତେକ କାଳଜୟୀ ଘଟଣା, ସଂଗଠନ ଓ ବ୍ୟକ୍ତି ସୃଷ୍ଟି ହୋଇଥାନ୍ତି ଯେଉଁମାନେ ମାନବ ଜାତିର ଭାଗ୍ୟ ବଦଳାଇ ଦେଇଥାନ୍ତି। କୁରୁକ୍ଷେତ୍ର ଯୁଦ୍ଧଭୂଇଁରେ ସୃଷ୍ଟି ଭଗବଦ୍ ଗୀତା; କଳିଙ୍ଗ ଯୁଦ୍ଧ ଭୂଇଁରେ ଏକ କ୍ରୂର ଶାସକର ହୃଦୟ ପରିବର୍ତ୍ତନ- ଚଣ୍ଡାଶୋକର ରୂପାନ୍ତରଣରେ ଧର୍ମାଶୋକ ସୃଷ୍ଟି; ଦ୍ୱିତୀୟ ବିଶ୍ବଯୁଦ୍ଧ ପରମାଣୁ ବୋମାର ଧ୍ବଂସଲୀଳା ଭୟରୁ ସୃଷ୍ଟି ହୁଏ ମିଳିତ ଜାତିସଂଘ। ସେହିପରି ସଲଫେରିନୋ ଯୁଦ୍ଧ ଜନ୍ମଦେଲା ବିଶ୍ୱର ସର୍ବବୃହତ୍ ସେବା ସଂଗଠନ ରେଡ଼କ୍ରସ।
୧୮୫୯ ମସିହା ଜୁନ ପଚିଶ ତାରିଖରେ ଇଟାଲୀର ସଲଫେରିନୋ ଅଞ୍ଚଳରେ ଏକ ଯୁଦ୍ଧ ସଂଘଟିତ ହୋଇଥିଲା। ଗୋଟିଏ ଦିନର ଏହି ଯୁଦ୍ଧରେ ପ୍ରାୟ ଚାଳିଶ ହଜାର ସୈନ୍ୟ ନିହତ ହୋଇଥିଲେ ଓ ଅନେକ ଆହତ ହୋଇ ଯୁଦ୍ଧଭୂଇଁରେ ମରଣ ସହ ଲଢୁଥିଲେ। ସେହି ସମୟରେ ସୁଇଜରଲାଣ୍ଡର ଜଣେ ବ୍ୟବସାୟୀ ହେନେରୀ ଡୁନାଣ୍ଟ ଯୁଦ୍ଧଭୂଇଁ ନିକଟସ୍ଥ ହୋଟେଲରେ ଅବସ୍ଥାନ କରୁଥିଲେ। ଯୁଦ୍ଧ ସରିବା ପରେ ଅପରାହ୍ଣରେ ଯୁଦ୍ଧଭୂଇଁ ଦେଖିବାକୁ ଗଲେ। କୁଢ଼ କୁଢ଼ ଶବ, ଅଗଣିତ କ୍ଷତାକ୍ତଙ୍କର ଆର୍ତ୍ତ ଚିତ୍କାର ଡୁନାଣ୍ଟଙ୍କର ଅନ୍ତର ଚହଲାଇ ଦେଲା। ନିକଟସ୍ଥ ଗ୍ରାମର ଅଧିବାସୀଙ୍କ ସହାୟତାରେ ଡୁନାଣ୍ଟ ସେମାନଙ୍କ ଶୁଶ୍ରୂଷା କଲେ। ବ୍ୟାବସାୟିକ କାର୍ଯ୍ୟ ସାରି ସେ ଫେରିଆସିଲେ ନିଜ ଦେଶ ସୁଇଜରଲାଣ୍ଡ। ତାଙ୍କ ମନରେ ବାରମ୍ବାର ଉଦ୍ଭାସିତ ହେଉଥିଲା ଯୁଦ୍ଧଭୂଇଁର ଦୃଶ୍ୟ, ପ୍ରତିଧ୍ୱନିତ ହେଉଥିଲା ଆହତଙ୍କ କରୁଣ ଚିତ୍କାର। ମନେ ପଡ଼ିଯାଉଥିଲା ଶୁଶ୍ରୂଷା ଦ୍ୱାରା ଆହତମାନଙ୍କର ଜୀବନ ରକ୍ଷା ଓ କଷ୍ଟ ଲାଘବ ହେବାର କଥା। ଯେଉଁ ସୈନ୍ୟର ପ୍ରାଣବଳିରେ ରାଜା ରାଜ୍ୟ ଜୟ କରେ, ସୈନ୍ୟ ଦେହରୁ ବହିଯାଉଥିବା ରକ୍ତ ବଦଳରେ ବିଜୟ ତିଳକ ମଣ୍ଡିତ ହୁଏ, ସେଇ ସୈନ୍ୟ ପାଇଁ ଲେଖାଥାଏ ମୃତ୍ୟୁ ଓ ଯନ୍ତ୍ରଣା। ବ୍ୟବସାୟରେ ମନ ଲାଗିଲାନି ଡୁନାଣ୍ଟଙ୍କର। ସେ ଲେଖିବସିଲେ ତାଙ୍କ ମନର କଥା, ଯାହା ଏକ ପୁସ୍ତକ ଭାବରେ ପ୍ରକାଶିତ ହେଲା ୧୮୬୨ ମସିହାରେ- ‘ଏ ମେମୋରି ଅଫ୍ ସଲଫେରିନୋ’ (ସଲଫେରିନୋ ସ୍ମୃତି)। ସେ ବହିଟିକୁ ୟୁରୋପର ପ୍ରମୁଖ ବ୍ୟକ୍ତି, ସେନା ଅଧିକାରୀ, ରାଜନୈତିକ ବ୍ୟକ୍ତିଙ୍କ ପାଖକୁ ପଠାଇଲେ। ବହିଟିରେ ମୁଖ୍ୟତଃ ଦୁଇଟି ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇ ତା’ର ରୂପାୟଣ ପାଇଁ ଅନୁରୋଧ କରିଥିଲେ। ପ୍ରଥମ ପ୍ରସ୍ତାବ- ପ୍ରତ୍ୟେକ ସୈନ୍ୟ ବାହିନୀରେ ଆହତଙ୍କ ଶୁଶ୍ରୂଷା ପାଇଁ ତାଲିମପ୍ରାପ୍ତ ସେବାକାରୀ ରହିବା ଜରୁରୀ। ଦ୍ବିତୀୟ ପ୍ରସ୍ତାବ- ଏଥିପାଇଁ ଅନ୍ତର୍ଜାତୀୟ ଆଇନ ପ୍ରଣୟନ ହେବା ଆବଶ୍ୟକ। ବହି ଲେଖିଦେଇ ଡୁନାଣ୍ଟ ଚୁପ୍ ରହିଲେନି, କିପରି ଲକ୍ଷ୍ୟ ହାସଲ ହେବ ସେଥିପାଇଁ ନିଷ୍ଠାପର ଉଦ୍ୟମ ଜାରି ରଖିଲେ ।
ଏହି ମହତ୍ ଉଦ୍ୟମରେ ଡୁନାଣ୍ଟଙ୍କ ସହ ସାମିଲ ହେଲେ ଗୁସ୍ତାଭ ମୋଇନିର, ଲୁଇସ ଆପ୍ପା, ଥେଓଡର ମାଉନର ଏବଂ ହେନେରୀ ଡୁଫୋର। ପ୍ରସ୍ତାବିତ ଅନ୍ତର୍ଜାତୀୟ ସଂଗଠନର ନାମ ‘ଇଣ୍ଟରନ୍ୟାସନାଲ୍ କମିଟି ଫର୍ ରିଲିଫ୍ ଟୁ ଉନ୍ଡେଡ୍’ବା ‘ଆହତଙ୍କ ଶୁଶ୍ରୂଷା ପାଇଁ ଅନ୍ତର୍ଜାତୀୟ କମିଟି’ ରଖିବା ପାଇଁ ଏମାନେ ସ୍ଥିର କରିଥିଲେ। ୧୮୬୪ ମସିହା ଅଗଷ୍ଟ ୨୨ ତାରିଖ ଦିନ ଜେନେଭା ସମ୍ମିଳନୀରେ ୟୁରୋପର ବାରଟି ଦେଶର ପ୍ରତିନିଧି ଏହି ଅନ୍ତର୍ଜାତୀୟ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି ଦିନ ଅାନୁଷ୍ଠାନିକ ଭାବରେ ରେଡ଼କ୍ରସ ପ୍ରତିଷ୍ଠା ହେଲା। ଯୁଦ୍ଧଭୂଇଁରେ ସ୍ବେଚ୍ଛାସେବୀମାନେ ବ୍ୟବହାର କରିବା ପାଇଁ ଏକ ଚିହ୍ନ ଆବଶ୍ୟକ ପଡିଲା। ବହୁ ଆଲୋଚନା ପରେ ରେଡ଼କ୍ରସକୁ ସଂଗଠନର ପ୍ରତୀକ ଭାବରେ ଗ୍ରହଣ କରାଗଲା। ଏହା ପଛରେ ପ୍ରମୁଖ କାରଣ ହେଲା ହେନେରୀ ଡୁନାଣ୍ଟଙ୍କୁ ସମ୍ମାନ ଜଣାଇବା। ସୁଇଜରଲାଣ୍ଡ ଦେଶର ପତାକା ହେଉଛି ନାଲି ପୃଷ୍ଠଭୂମି ଉପରେ ଧଳା କ୍ରସ। ଏହାର ବିପରୀତକୁ ରେଡ଼କ୍ରସ ପ୍ରତୀକ ଭାବରେ ଗ୍ରହଣ କରାଗଲା। ଚିହ୍ନ ଅନୁସାରେ ଆହତଙ୍କ ଶୁଶ୍ରୂଷା ପାଇଁ ଅନ୍ତର୍ଜାତୀୟ କମିଟି ନାମ ପରିବର୍ତ୍ତନ କରାଯାଇ ଅନ୍ତର୍ଜାତୀୟ ରେଡ଼କ୍ରସ କମିଟି ରଖାଗଲା। କେତେକ ଦେଶର ଅନୁରୋଧ କ୍ରମେ ନାଲି ଅର୍ଦ୍ଧଚନ୍ଦ୍ରକୁ ରେଡ କ୍ରସ୍ର ସମାନ ଚିହ୍ନ ଭାବରେ ଅନୁମୋଦନ କରାଗଲା। ସ୍ବେଚ୍ଛାସେବୀମାନେ ନିଷ୍ଠାପର ଭାବରେ ଯୁଦ୍ଧାହତଙ୍କ ସେବା କଲେ। ରେଡକ୍ରସ ଚିହ୍ନ ଧାରଣ କରିଥିବା ବ୍ୟକ୍ତି ଓ ଯାନ ନିରପେକ୍ଷ ଭାବରେ ଗ୍ରହଣୀୟ ହେଲା। ପୃଥିବୀର ବିଭିନ୍ନ ଦେଶ ନିଜ ଦେଶରେ ଜାତୀୟ ରେଡ କ୍ରସ ସୋସାଇଟି ଗଠନ କରି ଅନ୍ତର୍ଜାତୀୟ ରେଡ କ୍ରସ ସହ ଅନୁବନ୍ଧିତ ହୋଇ ଯୁଦ୍ଧ ଭୂଇଁରେ ସେବା କାର୍ଯ୍ୟ ଜାରି ରଖିଲେ। ରେଡ କ୍ରସର କାର୍ଯ୍ୟ ବ୍ୟାପକ ହେଲା। ଯୁଦ୍ଧ ଭୂଇଁରେ ଶୁଶ୍ରୂଷା କରିବା ସହ ଯୁଦ୍ଧବନ୍ଦୀଙ୍କ ମୁକ୍ତି, ସେମାନଙ୍କ ପରିବାରକୁ ସହାୟତା, ଶରଣାର୍ଥୀଙ୍କ ଥଇଥାନ କାର୍ଯ୍ୟରେ ନିୟୋଜିତ ହେଲା। ୧୯୨୦ ମସିହାରେ ଭାରତୀୟ ରେଡ କ୍ରସ ସୋସାଇଟି ଗଠିତ ହେଲା। ୧୯୬୫ ମସିହାରେ ଅନ୍ତର୍ଜାତୀୟ ରେଡ କ୍ରସ କମିଟି ସାତଗୋଟି ନୀତିକୁ ରେଡ କ୍ରସର ମୌଳିକ ନୀତି ଭାବରେ ଗ୍ରହଣ କଲା। ସେଗୁଡିକ ହେଲା- ମାନବିକତା, ନିରପେକ୍ଷତା, ଅପକ୍ଷପାତିତା, ସ୍ୱାଧୀନତା, ସ୍ବେଚ୍ଛାକୃତ ସେବା, ଏକତା ଓ ସାର୍ବଜନୀନତା। ଅନ୍ତର୍ଜାତୀୟ କମିଟି, ଜାତୀୟ ସୋସାଇଟି ଓ ସ୍ବେଚ୍ଛାସେବୀମାନେ ଏହି ମୌଳିକ ନୀତି ଓ ଆଦର୍ଶ ଅନୁପାଳନ କରିଥାନ୍ତି।
ରେଡକ୍ରସ ଗଠନରେ ନିଷ୍ଠାପର ଭାବରେ କାର୍ଯ୍ୟ କରି ଡୁନାଣ୍ଟ ନିଜର ବ୍ୟବସାୟ ପ୍ରତି ଅବହେଳା କଲେ ଏବଂ ଦେବାଳିଆ ହୋଇଗଲେ। ରେଡ କ୍ରସରୁ ନିଜକୁ ଦୂରେଇ ରଖିଲେ ଏବଂ ଜନ ମାନସରୁ ଅପସରି ଗଲେ। ୧୯୦୧ ମସିହାରେ ସୁଇଜରଲାଣ୍ଡର ସହରତଳି ଅଞ୍ଚଳର ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କୁ ଠାବ କରାଗଲା। ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଗଲା। ତାଙ୍କୁ ସହାୟତା ଦେବାପାଇଁ ସାରା ବିଶ୍ୱର ବ୍ୟକ୍ତି ବିଶେଷ ଓ ସଂସ୍ଥା ଆଗେଇ ଆସିଲେ। ତାଙ୍କୁ ସମ୍ମାନିତ କରିବାପାଇଁ ସେହି ବର୍ଷ ନୋବେଲ ଶାନ୍ତି ପୁରସ୍କାର ସୃଷ୍ଟି ହେଲା। ପୁରସ୍କାର ଅର୍ଥକୁ ସେ ରେଡ଼କ୍ରସକୁ ଦାନ କରିଦେଇ ପୁଣି ଥରେ ନିଜର ମହନୀୟତା ପ୍ରତିପାଦନ କରିଥିଲେ। ୧୯୧୦ ମସିହାରେ ଏହି ମହାନ ବ୍ୟକ୍ତି ଇହଲୀଳା ସମ୍ବରଣ କଲେ। ଉଲ୍ଲେଖନୀୟ ସେବା ପାଇଁ ରେଡ଼କ୍ରସ ୧୯୧୭, ୧୯୪୪, ୧୯୬୩ରେ ନୋବେଲ ଶାନ୍ତି ପୁରସ୍କାର ପାଇଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଶୀତଳ ଯୁଦ୍ଧର ଅବସ୍ଥା ଉତ୍କଟ ହୋଇଥିଲେ ମଧ୍ୟ ବାସ୍ତବ ଯୁଦ୍ଧ ସଂଖ୍ୟା ନଗଣ୍ୟ ଥିଲା। ତେବେ ଯୁଦ୍ଧ କ୍ଷେତ୍ରରେ ସେବା ଯୋଗାଉଥିବା ରେଡ଼କ୍ରସର ଦାୟିତ୍ୱ ଓ ଗୁରୁତ୍ୱ କମିନାହିଁ। ସାମ୍ରାଜ୍ୟ ବିସ୍ତାର ପାଇଁ ସିନା ଯୁଦ୍ଧ ହେଉନାହିଁ, ମାନବ ସମାଜ ଅହର୍ନିଶ ସଂଘର୍ଷ କରୁଛି ବଞ୍ଚିବା ପାଇଁ। ଲଢେଇ କରୁଛି ପରିବେଶ ପ୍ରଦୂଷଣ, ବିଶ୍ୱ ତାପମାନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସହ; ନିଜକୁ ସଜ୍ଜିତ କରୁଛି ପ୍ରାକୃତିକ ବିପର୍ଯ୍ୟୟ ସାଂଗେ ଲଢ଼ିବା ପାଇଁ। କେତେବେଳେ ଭୂତାଣୁ ତ କେତେବେଳେ କ୍ଷୁଧା ବିରୁଦ୍ଧରେ ଲଢେଇ କରୁଛି ମଣିଷ। ବିଶ୍ୱର କୋଣ ଅନୁକୋଣରେ ଅନୁଭୂତ ଏହି ସବୁ ସମସ୍ୟା କ୍ଷେତ୍ରରେ ରେଡ଼କ୍ରସର ସ୍ବେଚ୍ଛାସେବୀମାନେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଛନ୍ତି। ସଡ଼କ ଦୁର୍ଘଟଣାରେ ରକ୍ଷକ ସାଜି ପ୍ରାଥମିକ ଉପଚାର କରି ଜୀବନ ରକ୍ଷା କରୁଛନ୍ତି ତ ଦେବଦୂତ ସାଜି ରକ୍ତଦାନ କରି ଜୀବନ ରକ୍ଷା କରୁଛନ୍ତି। ବିଭିନ୍ନ ସଂଗଠନ ସହ ମିଳିମିଶି ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ପ୍ରତ୍ୟକ୍ଷ ସେବା ଯୋଗାଇବା ରେଡ଼କ୍ରସର କାର୍ଯ୍ୟଧାରା ହୋଇଛି। ରେଡ଼କ୍ରସ ଆଜି ବିଶ୍ୱର ସର୍ବ ବୃହତ୍ ସେବା ସଂଗଠନ ଏବଂ ଏକ ଆନ୍ଦୋଳନରେ ପରିଣତ ହୋଇଛି। ନାଲି ରଙ୍ଗର ଏହି ଚିହ୍ନଟି ଦେଖିଲେ ଅସହାୟ ମଣିଷଟି ମନରେ ଗଭୀର ଆସ୍ଥା ଓ ଆଶ୍ୱାସନା ସୃଷ୍ଟି ହେଉଛି।
୧୯୪୮ ମସିହାଠାରୁ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ମେ ୮ ତାରିଖକୁ ବିଶ୍ୱ ରେଡ଼କ୍ରସ ଦିବସ ଭାବରେ ପାଳନ କରାଯାଉଛି।



