ଗଣତନ୍ତ୍ରର ସ୍ବରୂପ
ଲଳିତ କୁମାର ପାତ୍ର
ଗଣତନ୍ତ୍ରରେ ଅବଧି ପରେ ଅବଧିରେ ନିର୍ବାଚନ ଅନୁଷ୍ଠିତ ହୁଏ। ଲୋକମାନଙ୍କୁ କେତେ ଧାରଣା ଦିଆଯାଏ; ବହୁ ସମୟରେ ସରକାର ପରେ ସରକାର ପରିବର୍ତ୍ତନ ହୁଏ କିନ୍ତୁ ଯେଉଁ ଅବସ୍ଥାର ଧାରଣା ଦିଆଯାଇଥାଏ ସେ ଅବସ୍ଥା ସେମିତି ବଦଳିନଥାଏ। ଜନକଷ୍ଟ ଓ ଉତ୍ପୀଡ଼ନ ସେପରି ଥାଏ। ତେବେ ଗଣତନ୍ତ୍ରରେ ଏପରି କାହିଁକି ହୁଏ ?
ପ୍ରାଚୀନ ଗଣତାନ୍ତ୍ରିକ ଏଥେନ୍ସର ଏକ ଅଦାଲତ ଜନନେତାଙ୍କ ଚାପରେ ଯୁବକମାନଙ୍କୁ ବିପଥଗାମୀ କରାଉଥିବା ଅଭିଯୋଗରେ ସତ୍ୟସନ୍ଧ ପଣ୍ଡିତ ସକ୍ରେଟିସଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ବର୍ତ୍ତମାନ ଗଣତାନ୍ତ୍ରିକ ଭାରତର ନ୍ୟାୟାଳୟ ଜନଚାପରେ ମଣିପୁର ପ୍ରସଙ୍ଗରେ ନିଜର ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଉଲ୍ଲେଖନୀୟ ଯେ ଇଂରେଜ ଶାସନ ସମୟରେ ଜନଜାତି ରୂପେ ସ୍ୱୀକୃତି ଥିବା ମଣିପୁରର ମଇତେଇ ଜାତିକୁ ୧୯୪୭ ମସିହା ପରେ କିଛି ଗୋଷ୍ଠୀଙ୍କ ଚକ୍ରାନ୍ତରେ ଏଥିରୁ ବାଦ୍ ଦିଆଯାଇଥିଲା। ଯାହା ବିରୋଧରେ ମଇତେଇମାନେ ଅଦାଲତରେ ଆବେଦନ କରିଥିଲେ ଓ ଅଦାଲତ ୨୦୨୩ ମସିହାରେ ମଇତେଇ ଜାତିକୁ ଆଦିବାସୀ ତାଲିକାଭୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଦୀର୍ଘ ୯ ବର୍ଷର ଜନଗୋଳ ଯୋଗୁଁ ଅଦାଲତ ଏ ରାୟକୁ ବଦଳାଇ ଦେଇଛନ୍ତି ଯାହା ଗଣତନ୍ତ୍ରର ସ୍ୱରୂପ ପ୍ରକାଶ କରୁଛି। ନ୍ୟାୟ ନୁହେଁ, ଜନଚାପରେ ଅର୍ଥାତ୍ ଜୋର ଯାହାର ମୁଲକ ତାର ନୀତିରେ ଗଣତାନ୍ତ୍ରିକ ଶାସନ ଚାଲେ; ନୀତି ନିୟମ ଶବ୍ଦର ସଂଜ୍ଞା ମଧ୍ୟ ବଦଳିଯାଏ। ନ୍ୟାୟ ଯାହା ହେଉଛି ପ୍ରକୃତରେ ପରସ୍ପର ପ୍ରତି ଯୁକ୍ତିଯୁକ୍ତ ଅଧିକାର ଓ କର୍ତ୍ତବ୍ୟ, ତାହା ନଥାଏ। ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କଦ୍ୱାରା ଶାସନ ବୋଲି ଭୁଲାଣିଆ ବାଣୀ ଖାଲି ଶୁଣିବାକୁ ପଡ଼ିଥାଏ।
ସମାଜରେ ସବୁ ମଣିଷ ସମାନ ନୁହନ୍ତି; କିଏ ଗୋରା ତ କିଏ କଳା, କିଏ ବଳୁଆ ତ କିଏ ଦୁର୍ବଳ। ଜଣେ ଭୟାଳୁ ପ୍ରକୃତିର ଲୋକକୁ ଯେତେ ସାହସ ଦେଇ ବୁଝାଇ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ ସେ ଶତ୍ରୁ ସହିତ ମୁହାଁମୁହିଁ ହେଲା ବେଳକୁ ସ୍ୱପ୍ରକୃତି ଦେଖାଇଥାଏ। ଏଥିରୁ ଜଣାପଡ଼େ ପ୍ରାକୃତିକ ଭାବେ ସବୁ ମଣିଷ ସମାନ ନୁହନ୍ତି; ଏଣୁ ସରଳ ନିରୀହ ଅସହାୟ ଲୋକେ ଗଣତାନ୍ତ୍ରିକ ଶାସନରେ ନ୍ୟାୟ ପାଇବେ, ନିଶ୍ଚିତଭାବରେ ଏହା କୁହାଯାଇପାରିବ ନାହିଁ। ଏଠାରେ ଉଲ୍ଲେଖନୀୟ ଯେ ଯିଏ ଦିନେ ବଳୁଆ ଓ ପ୍ରଭାବଶାଳୀ ଥାଏ ସମୟକ୍ରମେ ନୂତନ ପିଢ଼ି ପ୍ରଭାବରେ ଅନେକ ସମୟରେ ଦୁର୍ବଳ ଅସହାୟ ଅବସ୍ଥାରେ ଗତି କରିଥାଏ।
ଗଣତନ୍ତ୍ରରେ ଲୋକେ ସରକାର ବୋଲି କହି ଠକାଯାଇଥାଏ। ଯଦି ଲୋକେ ସରକାର ତେବେ ଲୋକ ଓ ସରକାର ମଧ୍ୟରେ ପାର୍ଥକ୍ୟ କ’ଣ? ରାଷ୍ଟ୍ର ତେବେ ୪ ଉପାଦାନ ପରିବର୍ତ୍ତେ ତିନି ଉପାଦାନ ନେଇ ସୃଷ୍ଟି ହୁଅନ୍ତା। ଲୋକଙ୍କ ନାଁ କହି କେତେକ ନିଜ ସ୍ୱାର୍ଥ ସାଧନ କରିବାକୁ ଚେଷ୍ଟା କରିଥାନ୍ତି। ସେହି ଉପସ୍ଥିତ ବା ସମର୍ଥିତଙ୍କ ସ୍ୱର ସମସ୍ତ ଲୋକଙ୍କ ସ୍ୱର ନୁହେଁ। ସେମାନେ ଏକ ଚାପ ଗୋଷ୍ଠୀ ଯାହାକୁ ଇଂରାଜୀରେ ‘ମୋବୋକ୍ରାସି’ ବୋଲି କୁହାଯାଏ। ଗଣତନ୍ତ୍ର ଓ ମୋବୋକ୍ରାସି କ’ଣ ଏକା କି ? ଗଣତନ୍ତ୍ରରେ ବଡ଼ ନେତାମାନେ ଜନ ସମର୍ଥନ ଯୋଗାଡ଼ ପାଇଁ କୁଜି ନେତାମାନଙ୍କ ଦୁର୍ବଳତାକୁ ଘୋଡ଼ାଇ ରଖିଥାନ୍ତି। ଉଭୟ ଉଭୟଙ୍କ ଅାପରାଧିକ କାର୍ଯ୍ୟକଳାପ କ୍ଷେତ୍ରରେ ସହାୟତା କରିଥାନ୍ତି ଓ ଅାପରାଧିକ କାର୍ଯ୍ୟ ରାଜନୈତିକ ପୃଷ୍ଠପୋଷକତା ପାଇଥାଏ। କୁଜି ନେତାମାନେ ରାଜନୈତିକ ସଂଗଠନ କାର୍ଯ୍ୟ ଖର୍ଚ୍ଚ ଆଳ ଦେଖାଇ, ଚାନ୍ଦା ନାଁରେ ଦାଦା ବଟି ଆଦାୟ କରନ୍ତି। ଲୋକେ ଚାନ୍ଦା ଦେଉଛନ୍ତି ବୋଲି କେବଳ ପ୍ରଚାର କରାଯାଇଥାଏ। େସ୍ୱଚ୍ଛାରେ ଦାନ ଅପେକ୍ଷା ଜବରଦସ୍ତି ଅର୍ଥ ଆଦାୟ ବହୁ କ୍ଷେତ୍ରରେ ହୋଇଥାଏ। ଏଇଥିରୁ ଗୁଣ୍ଡାମିର ମୂଳଦୁଆ ପଡ଼ିଥାଏ। ଏହି ଅାପରାଧିକ କାର୍ଯ୍ୟରେ ଅଭ୍ୟସ୍ତ ହୋଇଯାଇଥିବା ବ୍ୟକ୍ତିମାନେ ପୃଷ୍ଠପୋଷକତା ପାଇଥାନ୍ତି। ରାଜନୈତିକ ଆନ୍ଦୋଳନ, ବନ୍ଦ ଡାକରା, ନିର୍ବାଚନ କସରତ ସମୟରେ ଏମାନଙ୍କୁ ଉପଯୋଗ କରାଯାଇଥାଏ। ସମାଜରେ ଏମାନଙ୍କ ବିଛୁଆତି ପ୍ରକୃତିର ଫଳ ପ୍ରକାଶ ପାଇଥାଏ ଓ ସାଧାରଣ ଲୋକେ କଷ୍ଟ ଭୋଗିଥାନ୍ତି। ଜବରଦସ୍ତିଆ ପ୍ରକୃତିରୁ ଜବରଦଖଲ କାର୍ଯ୍ୟର ସୃଷ୍ଟି ହୁଏ। ସମାଜରେ ପ୍ରଭାବଶାଳୀ ବଳୁଆ ଗାଲୁଆ ପ୍ରକୃତିର ଲୋକେ ଅନ୍ୟର ଜମି ବା ଅନ୍ୟ ସମ୍ପତ୍ତିକୁ ଜବରଦଖଲ କରି ସମାଜରେ ଅନ୍ୟାୟ ସୃଷ୍ଟି କରିଥାନ୍ତି। ଗଣତନ୍ତ୍ରରେ ଏହା ବହୁଳଭାବେ ଦେଖାଯାଏ।
ଗଣତନ୍ତ୍ରରେ ଏ ପ୍ରକାର ଅସାମାଜିକ ପ୍ରକୃତିର ଲୋକଙ୍କ ଉଦ୍ଦୀପନା ବଢ଼଼଼ାଇବା ପାଇଁ ନିଶା ପାଣିର ପ୍ରଚଳନ ଖୁବ୍ ହୁଏ। ଏହାର ପ୍ରାବଲ୍ୟ ଏପରି ଯେ ନିର୍ବାଚନ ସମୟରେ ନିଶାପାଣି ବିକ୍ରିକୁ ନିଷିଦ୍ଧ କରିବାକୁ ପଡ଼ୁଛି। ମୁଦ୍ରାର ଦୁଇ ପାର୍ଶ୍ବ ଭଳି ନିଶାର କୁଟୁମ୍ବ ନାରୀର ଅପବ୍ୟବହାର ଓ ହତ୍ୟା ଗଣତନ୍ତ୍ରରେ ମଧ୍ୟ ଘଟିଥାଏ। ଗଣତନ୍ତ୍ରରେ ଅପରାଧର ରାଜନୈତିକ ପୃଷ୍ଠପୋଷକତା ହେତୁ ବିଚାର ପ୍ରକ୍ରିୟା ପ୍ରଭାବିତ ହୋଇଥାଏ; ତଦ୍ଦ୍ବାରା ଧଳାକୁ କଳା ଓ କଳାକୁ ଧଳା କରାଯାଏ। ଗଣତନ୍ତ୍ରରେ ଜନମତ ସୃଷ୍ଟି ପାଇଁ ବସ୍ତି ସୃଷ୍ଟି କରାଯାଇଥାଏ। ଲୋକଙ୍କ ନାଁ କହି ବିଭିନ୍ନ ଅନୀତି କାର୍ଯ୍ୟ ଚାଲେ। ଅପରାଧର ବଡ଼ ଦିଗ ସାମାଜିକ ବା ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଜନମତ ଆପଣାଇବା ପରି କର୍ମ ଗଣତନ୍ତ୍ରରେ ହୋଇଥାଏ। ଗଣତନ୍ତ୍ର ଶାସନ ଏଇଭଳି ଅସାମାଜିକ ଓ ଅାପରାଧିକ ପରିବେଶରେ ବୁଡ଼ି ରହିଥାଏ। ଏଥିରେ ଆଉଟୁ ପାଉଟୁ ହେଉଥିବା ସରଳ ଲୋକେ ଅନ୍ୟ ଉପାୟ ନପାଇ ପରିସ୍ଥିତିଗତ ଚାପ ଯୋଗୁଁ ଗଣତନ୍ତ୍ର ଭଲ ବୋଲି କହିଥାନ୍ତି।
ଗଣତନ୍ତ୍ର ଏକ ଅଦ୍ଭୁତ ପ୍ରକାର ଶାସନ; ଏଥିରେ ଲୋକ ସେବା କହି ଲୋକଙ୍କୁ ଶୋଷଣ କରାଯାଏ ଓ ଠକାଯାଏ। ଲୋକ ପ୍ରତିନିଧି ହେବା ପାଇଁ ବହୁ ପ୍ରକାର କସରତ କରିବାକୁ ପଡ଼ିଥାଏ। ଅର୍ଥ, ନିଶା, ନାରୀ, ଗୁଣ୍ଡାମି, ହତ୍ୟା ଆଦି କାର୍ଯ୍ୟକଳାପ ଘଟିଥାଏ। ଏଥିଜନିତ ଖର୍ଚ୍ଚ ଉଠାଇବା ପାଇଁ ଦୁର୍ନୀତି ହୋଇଥାଏ। ଥରେ ନିର୍ବାଚିତ ହେଲେ ଭବିଷ୍ୟତରେ ଆଉ ପ୍ରତିନିଧି ହୋଇପାରିବେ କି ନାହିଁ ଆଶଙ୍କା କରି ଭବିଷ୍ୟତର ସାତ ପୁରୁଷ ପାଇଁ ଧନ ସାଇତି ରଖିବା ଉେଦ୍ଦଶ୍ୟରେ ଅସତ ଆୟ ପ୍ରବୃତ୍ତି ବଢ଼଼଼ିଚାଲେ। କଳା ଧନର ଶାସନ ସମାନ୍ତରାଳ ଭାବେ ଚାଲେ। ଏ ଧନ ସାଧାରଣ ଲୋକଙ୍କଠାରୁ ଯାଇଥାଏ। ଗଣତନ୍ତ୍ରରେ ସ୍ୱାଧୀନତାର ବିକୃତ ଅର୍ଥ କରାଯାଉଥିବାରୁ ତାହା ଅନ୍ୟର କ୍ଷତି କରିଥାଏ। ବ୍ୟବସାୟୀ ସ୍ୱାଧୀନଭାବେ ଅର୍ଥାତ୍ ନିଜ ଇଚ୍ଛା ଅନୁଯାୟୀ ଦର ଧାର୍ଯ୍ୟ କରୁଥିବାରୁ ଅହରହ ମୁଦ୍ରାସ୍ଫୀତି ଲାଗି ରହି ଯିଏ ଯାହାକୁ ପାରିଲା ଯେତେ ନାହିଁ ସେତେ ଠକି ପାରିଲା। ଏଥିରେ ସରଳ ଲୋକ ଠକି ହୁଏ ଓ ଭାରସାମ୍ୟର ଉପରସ୍ଥିତିରେ ଥିଲାବାଲା ଲାଭାନ୍ୱିତ ହୁଏ। ସବୁଠାରୁ ଭୟଙ୍କର ହେଉଛି ଗୁଣ୍ଡାମି ଦ୍ୱାରା ବିଭିନ୍ନ ବେଉସାକୁ ଏକଚାଟିଆ କରି ଲୋକଙ୍କୁ ଠକାଯାଏ। ଏ ପ୍ରକାର ବ୍ୟବସ୍ଥାରେ ଧୂର୍ତ୍ତମାନେ ଠକି ମଧ୍ୟ ତିଷ୍ଠନ୍ତି ଓ ସେମାନଙ୍କ ଧନ ଆଶାତୀତ ଭାବେ ବଢ଼଼଼ି ପୁଞ୍ଜିପତି ହୋଇଯାନ୍ତି। ଫଳତଃ ସମାଜରେ ଆର୍ଥିକ ବୈଷମ୍ୟ ସୃଷ୍ଟି ହୋଇଥାଏ। ପୁଞ୍ଜିର ଠୁଳୀକରଣ ଯୋଗୁଁ ଏକଚାଟିଆ ଶୋଷଣ ଓ ଅତ୍ୟାଚାର ସୃଷ୍ଟି ହୋଇଥାଏ। ବେକାରୀ, ଅନଗ୍ରସରତା ଓ ସାମାଜିକ ଅଶାନ୍ତି ଦେଖାଯାଏ। ଶ୍ରମିକ ଆନ୍ଦୋଳନ ତଥା ସନ୍ତ୍ରାସବାଦ ଉଭା ହୁଏ। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପୁଞ୍ଜିପତିମାନଙ୍କ ହାତରେ ରହିଯିବା ହେତୁ ପ୍ରକୃତ ସତ୍ୟ ଚାପି ହୋଇଯାଏ। ବିଶେଷ କଥା ହେଉଛି ଗଣତାନ୍ତ୍ରିକ ଶାସନକୁ ଦୃଢ଼ କରିବା ପାଇଁ ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କୁ ତାଲିମ ସମୟରେ ଗରାଖ ଭାବେ କେବେ ଅଭିଜ୍ଞତା ଦିଆଯାଏ ନାହିଁ। ତେଣୁ ସମସ୍ୟାଜନିତ କଷ୍ଟ କ’ଣ ସେ ହୃଦ୍ବୋଧ ସେମାନଙ୍କର ନଥାଏ। ଏହିପରି ଜନମତ ପାଇବା ପାଇଁ ସୌଖୀନ କାମର ସୁଯୋଗ କଥା ପ୍ରଚାର ହୋଇଥାଏ। ସମାଜରେ ରହିଥିବା ଶାରୀରିକ ଶ୍ରମର ସମ୍ମାନ ରକ୍ଷାର ବ୍ୟବସ୍ଥା ନଥାଏ ଓ ଏ କାମ ପାଇଁ ପ୍ରଲୋଭନ ନଥାଏ, ଅର୍ଥାତ୍ ସମାଜରେ ଉଚ୍ଚନୀଚ ଶ୍ରେଣୀ ଗଣାଯାଇଥାଏ। ଏତଦ୍ ଭିନ୍ନ ବିଭିନ୍ନ ଚାପଗୋଷ୍ଠୀଙ୍କ ପାଇଁ ଲୋକଙ୍କଠାରୁ ରାଜସ୍ୱ ଆକାରରେ ଅର୍ଥ ଲୁଟିବା ପାଇଁ ଗଣତାନ୍ତ୍ରିକ ସରକାର ଏକ ଭଲ ଅସ୍ତ୍ର ଭାବେ ବ୍ୟବହୃତ ହୋଇଥାଏ। ଗଣତନ୍ତ୍ରରେ ସାମାଜିକ ଅସ୍ଥିରତା ଭୟଙ୍କର ରୂପ ନେଇ ଥାଏ।
ଗଣତନ୍ତ୍ର ପ୍ରକୃତ ଜନପ୍ରତିନିଧିଙ୍କ ଶାସନ ନୁହେଁ। ଦେଖାଯାଏ କୁଜି ନେତାମାନେ ଯେଉଁ ମୁଖ୍ୟ ନେତାଙ୍କୁ ଦିନେ ଭଲ ବୋଲି କହୁଥାନ୍ତି ସ୍ୱାର୍ଥ ବ୍ୟାହତ ହେଲେ ପୁଣି ତାଙ୍କୁ ଖରାପ କହିଥାନ୍ତି। ନିର୍ବାଚନରେ ସ୍ୱାର୍ଥ ଥିବା ନେତାଙ୍କୁ ନିର୍ବାଚିତ କରିଥାନ୍ତି। ଫଳତଃ ବିରୁଦ୍ଧ ମତ ସପକ୍ଷରେ ଯାଇ ପ୍ରାର୍ଥୀ ଜିତିଥାନ୍ତି ଓ ପ୍ରକୃତ ପ୍ରତିନିଧି ନିର୍ବାଚିତ ହୋଇନଥାନ୍ତି। ଏଥିଯୋଗୁଁ ସାମାଜିକ, ଆର୍ଥିକ ଓ ନିରାପତ୍ତା ଅବସ୍ଥା ଦୁର୍ବିସହ ହୋଇଥାଏ, ଅଧର୍ମ ବ୍ୟାପିଯାଇଥାଏ। କେବଳ ରାଷ୍ଟ୍ର ତିଷ୍ଠି ରହିଥାଏ କିନ୍ତୁ ଗଣତାନ୍ତ୍ରିକ ରାଜନୀତି ଯୋଗୁଁ ଏ ସବୁ ଘୋଡ଼େଇ ହୋଇଯାଇଥାଏ। ଜବରଦଖଲ, ଜବରଦସ୍ତି, ଶୋଷଣ, ଅତ୍ୟାଚାର, ହତ୍ୟା ଓ ଧର୍ଷଣ ଥିବା ଗଣତନ୍ତ୍ରରେ ନ୍ୟାୟ ନଥାଏ ଓ ଏହା ସବୁ ଲୋକଙ୍କ ଶାସନ କେବେ ବି ନୁହେଁ। ଅନ୍ୟପକ୍ଷରେ ପୂର୍ବେ ଏକାନ୍ନବର୍ତ୍ତୀ ପରିବାରର ମୁଖିଆମାନଙ୍କୁ ନେଇ ନିଶାପ ହେଉଥିଲା କାରଣ ସେମାନେ ଏତେ ଲୋକଙ୍କୁ ସନ୍ତୁଷ୍ଟ କରିପାରୁଥିଲେ; ଠିକ୍ ସେମିତି ଏକ ସଂସ୍ଥାରେ ସମସ୍ତଙ୍କୁ ନେଇ ଶୃଙ୍ଖଳିତ ଜୀବନ ବିତାଉଥିବା ଶ୍ରମିକ ମୁରବିମାନଙ୍କୁ ନେଇ ଗଠିତ ସାମ୍ୟବାଦୀ ଶାସନ ହେଉଛି ପ୍ରକୃତରେ ଲୋକଙ୍କ ଶାସନ। ଅବଶ୍ୟ କାଳସ୍ରୋତରେ ଏ ଶାସନ ଲୋପ ଘଟିଥିବାରୁ ଆଧ୍ୟାତ୍ମିକତା ଏ ବ୍ୟବସ୍ଥାରେ ଯୋଡ଼ାଗଲେ ଏହା ପୁନର୍ଜୀବିତ ହୋଇ ସମାଜରେ ନ୍ୟାୟ ପ୍ରତିଷ୍ଠା କରିପାରିବ।
Comments are closed.