ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ଫୋର୍ବସ ଧନୀ ତାଲିକା ଅନୁଯାୟୀ ବିଶ୍ବର ସର୍ବକନିଷ୍ଠ ଧନୀ ହୋଇଛନ୍ତି ବ୍ରାଜିଲର ୧୯ ବର୍ଷୀଅ ଛାତ୍ରୀ ଲିଭିଆ ଭୋଏଟ୍। ଲାଟିନ୍ ଆମେରିକାର ସର୍ବବୃହତ ବୈଦ୍ୟୁତିକ ମୋଟର ନିର୍ମାତା ଡବ୍ଲ୍ୟୁଇଜିର ସହ ପ୍ରତିଷ୍ଠାତା ୱେର୍ନର ରିଚାର୍ଡ ଭୋଏଟ୍ଙ୍କ ନାତୁଣୀ ହେଉଛନ୍ତି ଲିଭିଆ। ଡବ୍ଲ୍ୟୁଇଜିର ସର୍ବାଧିକ ବ୍ୟକ୍ତିଗତ ଅଂଶଧନ ଲିଭିଆ ଭୋଏଟ୍ଙ୍କ ନିକଟରେ ରହିଛି। ଯାହାର ମୂଲ୍ୟ ୧୧୦ କୋଟି ଡଲାର। ଲିଭିଆ ଏବେ ବ୍ରାଜିଲ ୟୁନିଭର୍ସିଟିର ଛାତ୍ରୀ। କନିଷ୍ଠ ଧନୀ ତାଲିକାରେ ଥିବା ୭ ନୂଆ ମୁହଁ ମଧ୍ୟରୁ ଲିଭିଆ ଜଣେ। ସେହିପରି ଜିରୋଧାର ସହ ପ୍ରତିଷ୍ଠାତା ଭାରତର ନୀତିନ ଓ ନିଖିଲ କାମାଥ, ଫ୍ଲିପ୍କାର୍ଟର ସହ ପ୍ରତିଷ୍ଠାତା ସଚିନ୍ ଓ ବିନି ବଂଶଲ କନିଷ୍ଠ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି। ୩୭ ବର୍ଷୀୟ ନିଖିଲ କାମାଥ ୩୧୦ କୋଟି ଡଲାର ସମ୍ପତ୍ତି ସହ ଭାରତର ସର୍ବକନିଷ୍ଠ ଧନୀ ହୋଇଛନ୍ତି।
ସେହିପରି ଭାରତର ବୟସ୍କ ଧନୀ ତାଲିକାରେ ୯୩ ବର୍ଷୀୟ ଲଚ୍ଛମନ ଦାସ ମିତ୍ତଲଙ୍କ ନାମ ରହିଛି। ପଞ୍ଜାବ ହୋସିଆରପୁର ବାସିନ୍ଦା ଲଚ୍ଛମନ ପୂର୍ବରୁ ଏଲ୍ଆଇସି ଏଜେଣ୍ଟ ଭାବେ କାମ କରୁଥିବା ବେଳେ ୧୯୯୦ରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ପ୍ରତିଷ୍ଠା କରିଥିଲେ।



