www.samajalive.in
Monday, December 8, 2025
16.1 C
Bhubaneswar

ହସି ନ ପାରିଲେ, କାନ୍ଦିବା ଆସ!

ହସ କାନ୍ଦ ଭରା ଦୁନିଆ’, ସୁଖ, ଦୁଃଖ ଯେପରି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ, ହସ ଓ କାନ୍ଦ ମଣିଷ ଜୀବନର ଦୁଇ ଓଠ। ଏହି ଦୁଇଟି ପ୍ରତ୍ୟେକ ମଣିଷ ପାଇଁ ହିତକର। ଚାଳିଶି, ପଚାଶବର୍ଷ ତଳକୁ ଚାଲିଗଲେ ଦେଖିବା ଲୋକଙ୍କର ଆର୍ଥିକସ୍ଥିତି ଭଲନଥିଲା। ଦୁଃଖ, କଷ୍ଟ, ଅଭାବକୁ ସାମନା କରି ମଧ୍ୟ ମନଖୋଲି ହସିପାରୁଥିଲେ। ଆଜିର ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ରୋଜଗାରର ଉନ୍ନତି ହେବା ସହିତ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ହସ ଭଳି ସୁନ୍ଦର ପ୍ରସ୍ଫୁଟିତ ପୁଷ୍ପ ମଉଳି ଯିବା ଭଳି ଆମ ଓଠ ଶୁଖିଯାଇଛି। ଆଶା ଅସୀମିତ, ସେହି ଅସୀମିତ ଆଶା ରୂପକ ମରୀଚିକା ପଛରେ ଧାଇଁ ଆମେ କ୍ଲାନ୍ତ ହୋଇ ପଡ଼ୁଛେ। ଜୀବନର ସରସତା ହରାଇ ନୈରାଶ୍ୟ, ନିରସତାକୁ ଗ୍ରହଣ କରି ନେଇଛେ।

ହସିବା ଓ କାନ୍ଦିବା ଏସବୁ ମଣିଷର ଭାବନା ଓ ଜନ୍ମଗତ ଗୁଣ। ଶିଶୁଟି ଜନ୍ମପରେ କାନ୍ଦିବା ଆରମ୍ଭ କରିଥିଲେ ମଧ୍ୟ ନିଦରେ ହସିବା, ଦୁଇ ତିନି ମାସ ହୋଇଗଲେ ତା’ର କଅଁଳ ଲାଲ ଟୁକୁଟୁକୁ ପଦ୍ମ ପାଖୁଡ଼ା ଓଠରୁ ହସ ଫୁଟିଉଠେ। ମୁତ୍ୟୁ ପର୍ଯ୍ୟନ୍ତ ଏହି ହସ ଓ କାନ୍ଦ ଆମର ଚିର ସହଚର ହୋଇ ରହିଥାନ୍ତି। କେବଳ ହସ ନୁହେଁ; କାନ୍ଦିବା ମଧ୍ୟ ଆମ ପାଇଁ ସ୍ୱାସ୍ଥ୍ୟପ୍ରଦ। ଦୀର୍ଘଦିନ ଧରି ମନ ଭିତରେ ରହିଥିବା ଦୁଃଖ ପରବର୍ତ୍ତୀ ସମୟରେ ବିଭିନ୍ନ ରୋଗର କାରଣ ପାଲଟିଥାଏ। ଏହାକୁ ଦୂର କରିବାପାଇଁ ମନଖୋଲି କାନ୍ଦିବା ଜରୁରୀ। ଏହାଦ୍ୱାରା ମନ ହାଲ୍‌କା ହୋଇଯାଏ।

- Advertisement -

ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଶୀଘ୍ର କାନ୍ଦନ୍ତି। ମହିଳାମାନେ କାନ୍ଦିବା ମାଧ୍ୟମରେ ନିଜ ଭାବନାକୁ ପରିପ୍ରକାଶ କରନ୍ତି, ଏହାର ଅର୍ଥ ନୁହେଁ ଯେଉଁମାନେ କାନ୍ଦନ୍ତି ତାହା ତାଙ୍କର ଦୁର୍ବଳତା। ପରନ୍ତୁ ବିଶ୍ୱରେ ପୁରୁଷମାନଙ୍କ ମଧ୍ୟରେ ଅଧିକ ଭାରତୀୟ ପୁରୁଷ କୋହକୁ ଚାପିରଖି କାନ୍ଦକୁ ଅବରୋଧ କରନ୍ତି। ଏମାନେ ଭାବିଥାନ୍ତି ‘କାନ୍ଦିବା ଦୁର୍ବଳତା ଓ ନିଜେ ଭାଙ୍ଗିପଡ଼ିବାର ସୂଚନା।’ ଏହିଭଳି ଏକ ଭ୍ରମ ଧାରଣ ମନରେ ଥାଏ। ପୁରୁଷମାନେ ଧୈର୍ଯ୍ୟ ଧରି କାନ୍ଦିବା ଠିକ୍‌ ନୁହେଁ ବୋଲି ଭାବିଥାନ୍ତି। ଭାରତୀୟ ପୁରୁଷମାନେ ଅଧିକା ଭାବପ୍ରବଣତା ଅବସ୍ଥାରେ ଥାଇ ମଧ୍ୟ କାନ୍ଦନ୍ତି ନାହିଁ। ‘କାନ୍ଦିବା’ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାନସିକ ଚାପ ଓ ଭାବପ୍ରବଣ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏହା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ବୋଲି ନିକଟରେ ଏକ ବୈଜ୍ଞାନିକ ଅଧ୍ୟୟନରୁ ପ୍ରକାଶ।

କାନ୍ଦିବା ପରେ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଜରୁରୀ। ପରନ୍ତୁ ପୁରୁଷମାନେ ସେମାନଙ୍କ ପିତାମାତା, ପ୍ରିୟ ପରିଜନଙ୍କୁ ହରାଇବା ପରେ ମଧ୍ୟ ଭାବନାକୁ ଧୈର୍ଯ୍ୟ ପ୍ରୟୋଗକରି ନିୟନ୍ତ୍ରଣ କରନ୍ତି। କାନ୍ଦିବା ଯେ ଏକ ଦୁର୍ବଳ ମାନସିକତା ବୋଲି ଭାବିଥାନ୍ତି। ପିଆଜ କାଟିବା, ଆଖିଧରିବା, ଆଖିରେ ଧୂଳିପଡ଼ିବା, ଅଭିନୟ ବେଳେ ଗ୍ଲିସେରିନ୍‌ ଲଗାଇ ଲୁହ ବଢ଼ାଇବାରେ ଭାବନା ନଥିବାରୁ ତାହା କୌଣସି ଉପକାରରେ ଆସେନାହିଁ। ପରନ୍ତୁ ଏହି କ୍ରନ୍ଦନ ଦୃଶ୍ୟଦେଖି ଦର୍ଶକମାନେ ଭାବବିହ୍ବୋଳ ହୋଇ କାନ୍ଦିବା ତାଙ୍କ ପକ୍ଷେ ହିତକର। ଏଥିରେ ଥାଏ ଭାବନା। କାନ୍ଦିବାର ଅର୍ଥ ହେଉଛି ଆମେ ଭାବନାଗୁଡ଼ିକୁ ଅନୁଭବ କରିବା। ଏହିଭଳି ଭାବନାତ୍ମକ ଲୁହରେ ଅକ୍ସିଟୋସିନ୍‌ ନାମକ ଏକ ରସାୟନ ଥାଏ। ଯାହାକି ଭାବନାତ୍ମକ ବଂଧନକୁ ସୁଦୃଢ଼ କରେ; କିନ୍ତୁ ପୁରୁଷମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିପାରନ୍ତି। ତେଣୁ ସେମାନଙ୍କ ଭିତରେ ଭାବନାତ୍ମକ ଦୃଷ୍ଟିକୋଣ ପ୍ରାୟ ନଥାଏ ଏବଂ ସେମାନଙ୍କ ସ୍ୱଭାବ କଠୋର ଲାଗେ। ଦୁଃଖ, ବିଷାଦ ଯନ୍ତ୍ରଣାରେ ଏକାକୀ ହେଉପଛେ ମନଭରି କାନ୍ଦନ୍ତୁ। ଦେଖିବେ ମନରୁ ନକାରାତ୍ମକ ଭାବନା, ବିଷାଦ ଦୂରେଇଯିବ। ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତିରୁ ବିରତ ରହିବେ।

ସେଥିପାଇଁ ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ବିଷାଦଗ୍ରସ୍ତ ଓ ଆତ୍ମହତ୍ୟା କରିଥାନ୍ତି। ପିଲାଦିନରୁ ହିଁ ପୁଅମାନଙ୍କୁ ଶିକ୍ଷା ଦିଆଯାଏ ଝିଅମାନେ କାନ୍ଦନ୍ତି, ପୁଅ ନୁହନ୍ତି। ଅଧିକ ସମୟରେ କାନ୍ଦୁଥିବା ଝିଅଟିକୁ ନାକ କାନ୍ଦୁରୀ କୁହନ୍ତି। ବୟସ ବଢ଼ିବା ସହିତ ଏହି ଭାବନା ଦୃଢ଼ ହୋଇଯାଏ ଏବଂ ସେହି ଅନୁସାରେ ପ୍ରତିକ୍ରିୟା ଦେଖିବାକୁ ମିଳେ। ପରନ୍ତୁ ଏହା ପୁରୁଷଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ। ଜାପାନର ‘ସାନ୍‌ତୁଇ’ ନାମକ ହୋଟେଲରେ ଭାରତୀୟ ମୁଦ୍ରାରେ ୬୦୦୦ ଟଙ୍କା ଦେଇ କାନ୍ଦିବାକୁ ଲୋକମାନେ ଯାଆନ୍ତି। ସେଠାରେ ଏକାକୀ ଗୋଟିଏ କୋଠରିରେ ଛାଡ଼ିଦେଇ ଦୁଃଖ ପୂର୍ଣ୍ଣ ମ୍ୟୁଜିକ୍‌ ସହିତ କେତେକ ହୃଦୟଫଟା ଦୃଶ୍ୟ ପ୍ରଦର୍ଶନ କରାଯାଏ। କାନ୍ଦିବା ଲୋକର ଆଖି ଯେବେ କାନ୍ଦି କାନ୍ଦି ଫୁଲିଯାଏ ସେଠାରେ ତାଙ୍କୁ ଡାକ୍ତରୀ ସେବା ଯୋଗାଇ ଦିଆଯାଏ। ଗୁଜରାଟର ସୁରଟରେ ‘କ୍ରାଇଙ୍ଗ୍‌ କ୍ଲବ୍‌’ ରହିଛି। ପ୍ରତି ରବିବାର ପୂର୍ବାହ୍ନରେ ଲୋକେ ସେଠାକୁ କାନ୍ଦିବାକୁ ଯାଆନ୍ତି। ମନ ହାଲକା ହୋଇଯାଏ। ଏହି କ୍ରାଇଙ୍ଗ୍‌ କ୍ଲବ୍‌ର ସଭ୍ୟସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଚାଲିଛି।

ଆମେ କାନ୍ଦିବାକୁ ନକାରାତ୍ମକ ଦୃଷ୍ଟିରେ ଦେଖିଥାଉ। ଶରୀର ଓ ମନରେ ଆଘାତ ହେଲେ ମଣିଷ କାନ୍ଦେ କୌଣସି ସାମାଜିକ ସମାବେଶରେ କାହା ଆଖିରୁ ଲୁହ ବୋହିଲେ ମାହୋଲ ପାଣିଚିଆ ହୋଇଗଲା ବୋଲି ଭାବୁ। ତେବେ କାନ୍ଦ ଆମ ମନରେ ଖୁସିର ଅନୁଭବ ଆଣିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ପରିସ୍ଥିତି ଯାହା ହେଉନା କାହିଁକି, କ୍ଷଣେ କାନ୍ଦିଦେବା ଦ୍ୱାରା ଆମ ମନ ଓ ଶରୀର ପୀଡ଼ା ଲାଘବ ହେବା ସହ ମନରେ ଖୁସିର ଅନୁଭବ ଆସିଥାଏ। ସୁତରାଂ ସଂକ୍ଷେପରେ କହିବାକୁ ଗଲେ ଅଧିକ କାନ୍ଦିବାର ମାନେ ଅଧିକ ଖୁସି ହେବାର ମୁହୂର୍ତ୍ତକୁ ଆହ୍ୱାନ କରିବା। ତେଣୁ କାହାର କ୍ରନ୍ଦନକୁ ନକାରାତ୍ମକ କ୍ରିୟାଭାବେ ଗ୍ରହଣ ନକରି ତାହାର ପରବର୍ତ୍ତୀ ସୁପରିଣାମକୁ ଅପେକ୍ଷା କରିବା ଭଲହେବ। ଜୀବନର ଏକ ଦୁଃଖଦ ଘଟଣାକୁ ମନେପକାଇ ଆଖିରୁ ଦି’ଟୋପା ଲୁହ ଗଡ଼ାନ୍ତୁ। ଓଜନିଆ ମନ ହାଲ୍‌କା ହୋଇଯିବ। ମଣିଷ ଜୀବନରେ ହସ ଓ କାନ୍ଦ ଉଭୟ ପରସ୍ପରର ପରିପୁରକ, ତେଣୁ ‘ହସି ନ ପାରିଲେ କାନ୍ଦିବା ଆସ।’

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories