ଭବାନୀପାଟଣା : କଳାହାଣ୍ଡି ଜିଲା ନର୍ଲା ରେଲୱେ ଷ୍ଟେସନ ନିକଟରେ ଏସ୍ଟିଏଫ ଓ ସ୍ଥାନୀୟ ପୁଲିସ ମିଳିତ ଚଢ଼ଉ କରି ୨ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏସ୍ଟିଏଫ୍ ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ତଳବୋରା ଗାଁର ଚକରା ବେନାଲ ଓ ନର୍ଲା ଥାନା ପଟାଙ୍ଗପଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ବାଗ। ଏସ୍ଟିଏଫ୍ ସୂତ୍ରରୁ ପ୍ରକାଶ, ବନ୍ୟଜନ୍ତୁ ସୁରକ୍ଷା ଲାଗି ତଦନ୍ତ ଜାରି ରହିଛି। ଅଭିଯୁକ୍ତଦ୍ବୟ ଏକ ବାଘଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ଏସ୍ଟିଏଫ୍ର ଏକ ଦଳ କଳାହାଣ୍ଡି ଗସ୍ତ କରିଥିଲେ। ସ୍ଥାନୀୟ ପୁଲିସ ସହାୟତାରେ ଉପରୋକ୍ତ ଅଭିଯୁକ୍ତଦ୍ବୟଙ୍କୁ କାବୁ କରାଯାଇଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ବାଘଛାଲ ମିଳିଥିଲା। ପରେ ସେମାନଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା। ଉକ୍ତ ଛାଲକୁ ବିକ୍ରି କରିବା ପାଇଁ ଯୋଜନା କରିଥିବା ସେମାନେ ସ୍ବୀକାର କରିଥିଲେ। ଏନେଇ ଏସ୍ଟିଏଫ୍ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Popular Categories



