www.samajalive.in
Sunday, December 14, 2025
17.1 C
Bhubaneswar

ଜରାଜୀର୍ଣ୍ଣ ଅବସ୍ଥାରେ ପିପିଲି ହସ୍ତଶିଳ୍ପ ଗ୍ରାମ, ଲୋକଙ୍କ ସେବାରେ ଲାଗିପାରୁନି ୮କୋଟି ମୂଲ୍ୟର ପ୍ରକଳ୍ପ

ପିପିଲି:ପିପିଲି ପୌରାଞ୍ଚଳ ଉପକଣ୍ଠ ତଥା ଟୋଲ୍‌‌ପ୍ଲାଜା ନିକଟ ଜାତୀୟ ରାଜପଥ କଡରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ୮ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହା ଅଦ୍ୟାବଧି ଲୋକଙ୍କ ସେବାରେ ଲାଗିପାରିନାହିଁ। ଗତ ୩ବର୍ଷ ମଧ୍ୟରେ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ବହୁବାର ଏହାକୁ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ଏହାର ଉଦ୍‌‌ଘାଟନ ଦିଗରେ ଫଳଘର ଶୂନ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ସ୍ୱପ୍ନ କେବେ ବାସ୍ତବ ରୂପ ନେବ ତାହା ଏବେ ସନ୍ଦିହାନ। ତେବେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୨୩ ମେ ୩୧ ତାରିଖରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପିପିଲି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ବ୍ଲକ କିମ୍ବା ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।

ପିପିଲିର ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଉଦ୍ୟମ କ୍ରମେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୁରାଲ ଟୁରିଜିମ୍‌‌ ପ୍ରୋଜେକ୍ଟରେ ପିପିଲି ବଜାର ଉପକଣ୍ଠ ଜାତୀୟ ରାଜପଥ କଡରେ ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ନିର୍ମାଣ କରାଯାଇଥିଲା। ୨୦୦୭ ମସିହା ଜୁଲାଇ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୮କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ୨୦୧୬ ମସିହାରୁ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ ଉଦ୍‌‌ଘାଟନ କରାଯାଇନାହିଁ। ଫଳରେ ଏହା କାର୍ଯ୍ୟକ୍ଷମ ନହୋଇ ଲୋକଙ୍କ ସେବାରେ ଲାଗିପାରିନାହିଁ। ଏହି ହସ୍ତଶିଳ୍ପ ଗ୍ରାମରେ ୧୨ଶହ ବର୍ଗଫୁଟ୍‌‌ର ୨୧ଟି ଅତ୍ୟାଧୁନିକ ଦୋକାନ ଗୃହ ଥିବା ବେଳେ ପ୍ରଶାସନିକ ଭବନ, ସୂଚନାକେନ୍ଦ୍ର, ସମ୍ମିଳନୀ କକ୍ଷ, ଲାଇବ୍ରେରୀ, ଅତିଥିଙ୍କ ପାଇଁ ଗୃହ, ହସ୍ତଶିଳ୍ପ କାରିଗରି କେନ୍ଦ୍ର ଆଦି ରହିଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ପିପିଲି ଚାନ୍ଦୁଆ ପ୍ରତି ଆକର୍ଷିତ କରିବା ପାଇଁ ସେଠାରେ ଚାନ୍ଦୁଆ ତିଆରି ସହ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଯୋଜନା ରହିଥିଲା। ପର୍ଯ୍ୟଟକଙ୍କ ପାଇଁ ବିସ୍ତୃତ ଅଞ୍ଚଳରେ ଗାଡି ପାର୍କିଂ ବ୍ୟବସ୍ଥା ସହ ଉଭୟ ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ପୃଥକ ଭାବେ ଅତ୍ୟାଧୁନିକ ଶୌଚାଳୟ ଓ ଭୋଜନାଳୟର ବ୍ୟବସ୍ଥା ମଧ୍ୟ ସେଠାରେ କରାଯିବାକୁ ଯୋଜନା ରହିଥିଲା। ଏହି ହସ୍ତଶିଳ୍ପ ଗ୍ରାମ ଦ୍ୱାରା ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆର ଅଧିକ ପ୍ରଚାର ପ୍ରସାର ହେବା ସହ ଚାନ୍ଦୁଆ କାରିଗରଙ୍କ ଜୀବିକା ନିର୍ବାହରେ ଏହା ବେଶ୍‌‌ ସହାୟକ ହେବ ଓ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଥିଲା।

- Advertisement -

ପର୍ଯ୍ୟଟନ କ୍ଷେତ୍ର ପୁରୀ ସହ ଏହି ହସ୍ତଶିଳ୍ପ ଗ୍ରାମକୁ ଯୋଡି ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ହସ୍ତଶିଳ୍ପ ଗ୍ରାମ ପରିସର ଏବେ ବଣବୁଦାରେ ପରିଣତ ହୋଇଥିବା ବେଳେ ସେଠାରେ ନିର୍ମିତ ଘର ଗୁଡିକ ନଷ୍ଟ ହେବାକୁ ବସିଲାଣି। ସେଠାରେ ଲାଗିଥିବା ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମର ବ୍ୟବହାର ନହେବା କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ପ୍ରଶାସନିକ ଭବନ, ସୂଚନାକେନ୍ଦ୍ର, ସମ୍ମିଳନୀ କକ୍ଷ ଆଦିରେ ଲାଗିଥିବା ଅଧିକାଂଶ ମୂଲ୍ୟବାନ୍‌‌ କବାଟ ଓ ଝରକା ଆଦିକୁ କେହି ତାଡି ନେଇଥିବା ପରିଲକ୍ଷିତ ହୋଇଛି। ଉକ୍ତ ବିରାଟ କୋଠାଘରକୁ ଏବେ କେତେକ ବୁଲାବିକାଳି ଜବରଦଖଲ କରି ରଖିବା ସହ କୋଠାଘର ମଧ୍ୟରେ ସେମାନେ ପରିବାର ସହ ବାସ କରୁଥିବା ଜଣାଯାଇଛି। ହସ୍ତଶିଳ୍ପ ଗ୍ରାମର ଚତୁଃପାଶ୍ୱର୍ରେ ଥିବା ପାଚେରୀର କେତେକ ଅଂଶ ଭାଙ୍ଗି ଯାଇଥିବା ପରିଲକ୍ଷିତ ହୋଇଛି। ଉଦ୍‌‌ଘାଟନ ଅପେକ୍ଷାରେ ଥିବା ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମକୁ ଗତ ୩ବର୍ଷ ମଧ୍ୟରେ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ବହୁବାର ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ କିପରି ଅତି ଶିଘ୍ର କାର୍ଯ୍ୟକ୍ଷମ କରାଯିବ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କଣ କଣ ବ୍ୟବସ୍ଥା ରହିବ ସେ ନେଇ ଅଧିକାରୀମାନେ ବିସ୍ତୃତ ଭାବେ ସମୀକ୍ଷା ମଧ୍ୟ କରିଥିଲେ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୨୩ ମେ ୩୧ ତାରିଖରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱକୁ ପିପିଲି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ବ୍ଲକ କିମ୍ବା ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ସହ ଜିଲା ପ୍ରଶାସନ ପକ୍ଷରୁ ତତ୍‌‌କାଳୀନ ପିପିଲି ବିଡିଓ ରଶ୍ମିତା ନାଥଙ୍କ ମଧ୍ୟରେ ଏ ସଂପର୍କିତ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ଓ ସେହିଦିନ ଏହି ପିପିଲି ଗ୍ରାମୀଣ ଟୁରିଜିମ୍‌‌ ପ୍ରକଳ୍ପର ସମସ୍ତ ସଂପତ୍ତିକୁ ପିପିଲି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଥିବା ବେଳେ ଆବଶ୍ୟକ ମରାମତି ତଥା ପୁନଃର୍ଦ୍ଧାର କାର୍ଯ୍ୟ ପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିଲା। ତେବେ ଇତି ମଧ୍ୟରେ ୯ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଏହାର ଆବଶ୍ୟକ ମରାମତି ଓ ପୁନଃର୍ଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିବା ସୂଚନା ମିଳିଛି। ଏସଂପର୍କରେ ପିପିଲିରେ ନୂତନଭାବେ ଯୋଗଦେଇଥିବା ବିଡିଓ ସରୋଜ କୁମାର ରାଉତଙ୍କୁ ପଚାରିବାରେ ସେ କହିଥିଲେ ଯେ, ଏ ବାବଦରେ ଅନୁଧ୍ୟାନ କରିବା ପରେ ଯାହା ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories