ଜନ୍ମ ଜୟନ୍ତୀରେ ଟଲ୍ ମ୍ୟାନ୍ଙ୍କୁ ଝୁରୁଛି ସାରା ଓଡିଶା
ଭୁବନେଶ୍ବର: ଆଜି(ମଙ୍ଗଳବାର) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଟଲ୍ ମ୍ୟାନ୍ଙ୍କୁ ମନେ ପକାଉଛି ସାରା ଓଡିଶା। ଆଜିର ଦିନକୁ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆଜି ଏକ ମାର୍ଗଦର୍ଶିକା ଉନ୍ମୋଚିତ ହେବ । ପଞ୍ଚାୟତିରାଜ ଦିବସରେ ୧୨ଟି ଗ୍ରାମ ପଞ୍ଚାୟତକୁ ଆଇଏସଓ ପ୍ରମାଣପତ୍ର ଆବଣ୍ଟନ କରିବା ପାଇଁ ଏଲଏମଏସ୍ ଓ ୟୁନିଭର୍ସାଲ ସାର୍ଟିଫିକେସନ ଏଜେନ୍ସି ସମ୍ମତି ଜଣାଇଛନ୍ତି । ସେହିପରି ଇ-ପଞ୍ଚାୟତ ସଭା ମୋବାଇଲ ଆପ୍ର ଲୋକାର୍ପଣ କରାଯିବ୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ। କେନ୍ଦ୍ରରେ କୋଇଲା ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ଜଣେ ନିର୍ଭିକ ପାଇଲଟ ଭାବେ ତାଙ୍କର ସୁଖ୍ୟାତି ଥିଲା। ଇଣ୍ଡୋନେସିଆ ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ତେଣୁ ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।
Comments are closed.