ଗଢି ଉଠୁଛି କୋଠାବାଡି, ଖାଲି ପଡ଼ିଛି ବିଶେଷଜ୍ଞ ପଦବୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଟିଏ ହେଲେ ବି ବିଶେଷଜ୍ଞ ପଦବୀରେ କାହାକୁ ନିଯୁକ୍ତ କରାଯାଉନି । ଫଳରେ ଲକ୍ଷ୍ମୀପୁର ସମେତ ନାରାୟଣପାଟଣା ଓ ବନ୍ଧୁଗାଁ ୩ଟି ବ୍ଲକର ଲୋକେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇ ପାରୁ ନାହାନ୍ତି । ଯେଉଥିପାଇଁ ସେମାନଙ୍କୁ କୋରାପୁଟ ମେଡିକାଲ କଲେଜକୁ ଯିବାକୁ ପଡ଼ୁଛି । ବିଶେଷ କରି ଅଦିବାସୀ ଅଧ୍ୟୁଷିତ ତିନୋଟି ବ୍ଲକର ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ଯୋଗାଇ ଦେବା ନିମନ୍ତେ ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୯୭୮ ମସିହାରେ ୩୦ ଶଯ୍ୟା ବିଶିଷ୍ଠ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା ।

ଏଠାରେ ୪ଟି ବିଶେଷଜ୍ଞ ପଦବୀ ଯଥା ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ରୋଗ, ଭେଷଜ ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହିତ ଜଣେ ଡାକ୍ତରଖାନା ମୁଖ୍ୟ ପ୍ରଥମ ଶ୍ରେଣୀ, ଓ ଅନ୍ୟ ଦୁଇଟି ଏମବିବିଏସ ପଦବୀ  ରହିଛି । ତେବେ ବିଡ଼ମ୍ବନାର ବିଷୟ ହେଉଛି ଆରମ୍ଭରୁ ଏଠାରେ ବିଶେଷଜ୍ଞ ପଦବୀ ଗୁଡ଼ିକ ପୂରଣ ହୋଇ ପାରୁନାହିଁ । କେବଳ ଏମବିବିଏସ ଡାକ୍ତରମାନଙ୍କୁ ଏଠାରେ ନିଯୁକ୍ତି ଦେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯୋଗାଯାଉଛି କହିଲେ ଅତ୍ୟୁକ୍ତି ହେବନି । ସେହିପରି ଯେଉଁ ପୁରୁଣା କୋଠା ଥିଲା ତାକୁ ବହୁକୋଟି ଟଙ୍କା ବ୍ୟୟରେ ରୂପାନ୍ତରିତ କାର୍ଯ୍ୟ ଚାଲିଛି, ଯାହା ଅଳ୍ପ ଦିନ ମଧ୍ୟରେ ଉଦ୍ଘାଟିତ ହେବ ।

ତେବେ ବିଡ଼ମ୍ବନାର ବିଷୟ କୋଠାବାଡ଼ିରେ ପରିପୁର୍ଣ୍ଣ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କିନ୍ତୁ ଚାରୋଟି ଯାକ ବିଶେଷଜ୍ଞ ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଛି । ଯେଉଁଥିପାଇଁ ସମ୍ପୃକ୍ତ ଚାରାଟି ଯାକ ବିଭାଗର ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ବୁଖୀନ ହେଉଛନ୍ତି । ଯାହା ଫଳରେ ଏମାନଙ୍କୁ ୬୦ କିଲୋମିଟର ଦୂର କୋରାପୁଟ ଲକ୍ଷ୍ମଣ ନାୟକ ଭେଷଜ ବିଦ୍ୟାଳୟକୁ ଯିବାକୁ ପଡ଼ୁଛି । ତେବେ ଏଥିପ୍ରତି ଦୃଷ୍ଟି ଦେଇ ଏହି ପଦବୀ ଗୁଡ଼ିକ ପୁରଣ କରାଇଲେ ଆଦିବାସୀ ଅଧ୍ୟୁଷିତ ତିନୋଟି ବ୍ଲକର ଜନ ସଧାରଣ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Comments are closed.