ମାରୁତି ସୁଜୁକି ଆଣିବ ଉଡନ୍ତା କାର୍, ୩ ଜଣ କରିପାରିବେ ଯାତ୍ରା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିଜ ପ୍ୟାରେଣ୍ଟ କମ୍ପାନୀ ସୁଜୁକି ମୋଟର କର୍ପୋରେସନ ସହିତ ମିଶି ଏକ ଇଲେକ୍ଟ୍ରିକ୍ କପ୍ଟର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି । ଏହି ଇଲେକ୍ଟ୍ରିକ୍ ଏୟାର କାରକୁ ଘର ଛାତରୁ ଉଡାଇହେବ ଏବଂ ଅବତରଣ ମଧ୍ୟ କରିହେବ ।

ସୁଜୁକି ମୋଟର କର୍ପୋରେସନ ଉଡନ୍ତା କାର୍ ନିର୍ମାଣ ପାଇଁ ଜାପାନର ଏକ କମ୍ପାନୀ ସ୍କାଇଡ୍ରାଇଭ୍ ସହ ପାର୍ଟନରସିପ୍ କରିଛି । ଏହାର ନାଁ ସ୍କାଇଡ୍ରାଇଭ୍ ହେବ । ଇଲେକ୍ଟ୍ରିକ୍ ଏୟାର କପ୍ଟର ଡ୍ରୋନଠୁ ବଡ କିନ୍ତୁ ପାରମ୍ପରିକ ହେଲିକପ୍ଟରଠୁ ଛୋଟ ହେବ । ଏଥିରେ ପାଇଲଟ୍ ସମେତ ଅତି କମରେ ୩ ଜଣ ବସିପାରିବେ । ଏହାର ବ୍ୟବହାର ସହର ଅଞ୍ଚଳରେ ଇଲେକ୍ଟ୍ରିକ୍ ଉଡନ୍ତା ଟ୍ୟାକ୍ସି ସେବା ରୂପେ କରିହେବ ।

କମ୍ପାନୀ ଆର୍ଥିକ କାରଣରୁ ଭାରତରେ ହିଁ ଏହାର ନିର୍ମାଣ କରିବା ଉପରେ ଚିନ୍ତା କରୁଛି । ଏଥିପାଇଁ ଡିଜିସିଏ ସହ ଆଲୋଚନା କରାଯାଉଛି । ଯଦି ମେକ୍ ଇନ୍ ଇଣ୍ଡିଆ ଅନୁସାରେ ଦେଶରେ ଏହା ନିର୍ମାଣ ହେବ ତେବେ ନିଶ୍ଚିତ ରୂପେ ଏହାର ଦାମ୍ କମ୍ ରହିବ । ତେବେ ଏହାର ପ୍ରଥମ ୧୨ଟି ୟୁନିଟ୍ ଜାପାନରେ ୨୦୨୫ ଓସାକା ଏକ୍ସପୋରେ ଲଞ୍ଚ୍ କରାଯିବା ଅନୁମାନ କରାଯାଉଛି । ସର୍ବପ୍ରଥମେ ଉଡନ୍ତା କାର୍ ଜାପାନ ଏବଂ ଆମେରିକା ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହା ପରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅନୁସାରେ ଭାରତରେ ବିକ୍ରି ପାଇଁ ଯୋଜନା ରହିଛି ।

Comments are closed.