ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ପୁରୀ: ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି । ମହାଯଜ୍ଞର ପୂର୍ଣ୍ଣାହୂତି ସହ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ସାଢେ ଚାରି କୋଟି ଓଡିଶାବାସୀ ଏହି ଶୁଭ ମୁହୁର୍ତ୍ତକୁ ଅନାଇ ରହିଛନ୍ତି। ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭଲଗ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ । ପରେ ପରେ ଗଜପତି ମହାରାଜାଙ୍କ ଦ୍ବାରା ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା ନେଇ ସୂଚନା ରହିଛି। ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସେହିପରି ସନ୍ଧ୍ୟାରେ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି। ଯାହା କାଞ୍ଚି ଅଭିଯାନର କଥା କହିବ ।
ତେବେ ଲୋକାର୍ପଣ ସମାରୋହରେ ଦେଶର ପ୍ରସିଦ୍ଧ ୯୦ଟି ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି। ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କ ଲାଗି ୫୦ରୁ ଅଧିକ ବ୍ୟାଟେରୀ ଗାଡିର ବ୍ୟବସ୍ଥା କରାଯାଇଛି। ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଯେଭଳି କୌଣସି ଅସୁବିଧା ସୃଷ୍ଟି ନହୁଏ , ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାରି ଭିତରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ଜରିଆରେ ଏହାକୁ ଚିତ୍ରଣ କରିଛନ୍ତି। ଆନିମେସନ ଭିଡିଓଟିରେ ସବୁ କିଛି ଦର୍ଶାଯାଇଛି। ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଗୁଆ ଚାଉଳ ଦେଇ ରାଜଗୁରୁଙ୍କୁ ବରଣ କରୁଛନ୍ତି। ପରିକ୍ରମା ପର୍ବକୁ ବିଧିପୂର୍ବକ ସମ୍ପୂର୍ଣ୍ଣ ଯଜ୍ଞନୁଷ୍ଠାନକୁ ଆଗେଇ ନେବା ପାଇଁ ରାଜଗୁରୁ ବ୍ରାହ୍ମଣ ସମାଜଙ୍କୁ ଦାୟିତ୍ୱ ଦେଉଛନ୍ତି। ବ୍ରାହ୍ମଣମାନଙ୍କ ଦ୍ୱାରା ଅଙ୍କୁର ରୋପଣ କିପରି କରାଯାଉଛି । ଏବଂ ତ୍ରିଦେବଙ୍କ ଆବାହନ କିପରି କରାଯାଉଛି , ସେ ସବୁକୁ ଏହି ଭିଡିଓରେ ଦେଖାଯାଇଛି।
Comments are closed.