www.samajalive.in
Sunday, December 14, 2025
26.1 C
Bhubaneswar

ଖେଳ ଖେଳୁଛି ଖଣି ବିଭାଗ; ମଉଜ କରୁଛନ୍ତି ମାଫିଆ

ଦୋବଲ: ଭଦ୍ରକ ଜିଲା ଧାମନଗର ତହସିଲ ଅଧିନ ଆନନ୍ଦପୁର ପଞ୍ଚାୟତରେ ଚାଲିଥିବା ୩ଟି ବେଆଇନ ବାଲିଘାଟ ଉପରେ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଖଣି ବିଭାଗର ଭଦ୍ରକ ଜିଲା କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସଙ୍କ ସମେତ ଇନଚାର୍ଜ ଭବାନୀ ଶଙ୍କର ମଲ୍ଲିକ ଓ ଶୁଭ୍ରଜିତ ମହାନ୍ତି ନେତୃତ୍ବରେ ଏକ ଟିମ୍ ଆଜି ସକାଳୁ ଆନନ୍ଦପୁରରେ ପହଞ୍ଚି ଚଢ଼ଉ କରିଥିଲା।

ଧାମନଗର ତହସିଲଦାର ଦୀପକ ଦାସ, ଧାମନଗର ରେଭିନ୍ୟୁ ସୁପରଭାଇଜର ଧନେଶ୍ବର ମାରାଣ୍ଡି, ସୋଧ ରାଜସ୍ବ ନିରୀକ୍ଷକ ଚୁଲବୁଲ୍ ସିଂହ ଦଳାଙ୍ଗ ନିରୀକ୍ଷକ ମଧ୍ୟ ଏହି ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ପାଇଁ ଧାମନଗର ଥାନା ପକ୍ଷରୁ ପୋଲିସ ସହାୟତା ଯୋଗାଇ ଦିଆଯାଇଥିଲା। ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ଦିହୁଡ଼ି ଆନ୍ଦପୁର-ସିଦ୍ଧେଶ୍ବର ବୈତରଣୀ ସେତୁ ନିକଟରେ ପହଞ୍ଚି ଆନନ୍ଦପୁର ମୌଜାର ପ୍ଲଟ ନମ୍ବର ୬୩୬ରେ କୃଷ୍ଣ ଜେନାଙ୍କ ପାଳରେ ହୋଇଥିବା ପୁରୁଣାଗଡ଼ା ଓ ତାର ପୂର୍ବ ଦିଗକୁ ପ୍ଲଟ ନମ୍ବର ୬୩୭ରେ ହୋଇଥିବା ନୂଆ ଗଡ଼ାକୁ ଅନୁଧ୍ୟାନ କରିଥିଲେ।

- Advertisement -

ବାଲିଘାଟ ବା ସୈରାତ ଉତ୍ସ ନିଲାମ ନଥିବାବେଳେ ଦୁଇଟି ଯାକ ଗଡ଼ା ବେଆଇନ ଭାବେ କରାଯାଇ ବୈତରଣୀ ନଦୀ ଗର୍ଭରୁ ବାଲି ଉଠାଯାଉଥିଲା। ଏନଫୋର୍ସମେଣ୍ଟ ଟିମ୍ ଟିକିନିଖି ବୁଲି ଦେଖିବା ପରେ ଡୋଜର ଡକାଇଥିଲା। ହେଲେ ସ୍ଥାନୀୟ ବାଲି ଚୋରମାନେ ପରସ୍ପର ଭିତରେ କଥାବାର୍ତ୍ତା ହୋଇ ଆଖପାଖରେ ଥିବା ଡୋଜର ମାଲିକଙ୍କୁ ଭୟଭୀତ କରିଥିଲେ ଓ ଘାଟକୁ ନ ଆସିବାକୁ ଚେତାବନୀ ଦେଇଥିଲେ। ଡୋଜର ନ ଆସିବାରୁ ଏନଫୋର୍ସମେଣ୍ଟ ଟିମ୍ ପ୍ରାୟ ଦେଢ଼ ଘଣ୍ଟା ଧରି ଅପେକ୍ଷା କରି ରହିଥିଲା। ଶେଷରେ ବାଲି ମାଫିଆଙ୍କ ସହ ଫୁସଫାସ କଥା ହୋଇ ସମ୍ମାନ ରଖିବା ପାଇଁ କହିଥିଲେ । ଏହାପରେ ସେହି ଜାଗାରେ ବାଲି ଚୋରିରେ ସହଯୋଗ କରୁଥିବା ଗୋଟିଏ ଡୋଜରକୁ ମଗାଇଲେ। ଡୋଜର ପହଞ୍ଚିବା ପରେ ଦୁଇଟି ଯାକ ପ୍ଲଟରେ ହୋଇଥିବା ଗଡ଼ାକୁ କାଟିଥିଲେ।

ବାଲି ଉଠାଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ସ୍ଥାନୀୟ ଲୋକେ ଦାବି କରୁଥିଲେ ଯେ ନଦୀବନ୍ଧ ପାଖରେ ଓ ନଦୀ ଗର୍ଭରେ କରାଯାଇଥିବା ଗଡ଼ାକୁ ସଂପୂର୍ଣ୍ଣ ଭାବେ ତାଡ଼ିଦେବାକୁ। ହେଲେ ଏନଫୋର୍ସମେଣ୍ଟ ଟିମ୍ ଦୁଇଟି ଗଡ଼ାରେ ୪ ଫୁଟ୍ ଚଉଡ଼ା, ୪ ଫୁଟ୍ ଲମ୍ବ ଓ ୩ ଫୁଟ୍ ଗଭୀରର ଗାତ କରିଦେଇଥିଲେ। ଏ ଦୁଇଟି ଗଡ଼ାରେ ଗାତ ଖୋଳିଦେଇ ଉତ୍ତେଇପୁରର ମଲ୍ଲିମାହାରାରେ ଚାଲିଥିବା ବେଆଇନ ଘାଟରେ ବି ଚଢ଼ଉ କରିଥିଲେ। ଏଠାରେ ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶରତ ମାଝି ବାଲି ଉଠାଉଥିବା ଗଡ଼ାରେ ମଧ୍ୟ ଅନୁରୂପ ଭାବେ ଗାତଟିଏ କରିଦେଇଥିଲେ।
ଖଣି ବିଭାଗ କ୍ଷେତ୍ର ଅଧିକାରୀଙ୍କ ନେତୃତ୍ବରେ ଆସିଥିବା ଏଫୋର୍ସମେଣ୍ଟ ଟିମର ଏଭଳି କାର୍ଯ୍ୟ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ବାଲି ମାଫିଆ ହସୁଥିଲେ। ନିଜ ପାଖରେ ଡୋଜର ଥିବାରୁ ଗୋଟିଏ ଘଣ୍ଟାରେ ଏ ଗାତ ବନ୍ଦ ହୋଇଯିବ ଓ ପୁଣି ବାଲି ଉଠାଇ ହେବ ବୋଲି ସେମାନେ କହୁଛନ୍ତି। ଲୋକଙ୍କ କହିବା କଥା ଯେ, ଦୁଇଟି ଯାକ ଗଡ଼ାକୁ ସଂପୂର୍ଣ୍ଣ ଭାବେ ଖୋଳି ଦେଇଥିଲେ ପୁଣି ଗୋଟିଏ ଗଡ଼ା କରିବାକୁ ସମୟ ଲାଗିଥାନ୍ତା। ଖର୍ଚ୍ଚାନ୍ତ ହୋଇଥାନ୍ତେ। ଏଣୁ ବାଲି ଉଠାଇବା ବନ୍ଦ ରହିଥାନ୍ତା। ହେଲେ ଖଣି ବିଭାଗ ତାହା ନ କରି ପିଲା ଖେଳ ଭଳି ଛୋଟ ଛୋଟ ୩ଟି ଗାତ କରି ପଳାଇଗଲେ। ତେବେ ତିନିଟି ଯାକ ଘାଟରେ ଆଗାମୀ ଦିନରେ ୧୪୪ ଧାରା ଜାରି କରାଯିବ ବୋଲି ଖଣି ବିଭାଗ କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସ କହିଛନ୍ତି।

ଏହି ତିନିଟି ସ୍ଥାନରେ ଗତ ଦୁଇ ବର୍ଷ ହେଲା ବେଆଇନ ଭାବେ ବାଲି ଉଠାଯାଉଛି। ଉତ୍ତେଇପୁର ମଲ୍ଲିମାହାରାରେ ବାଲିଘାଟର ନିଲାମ ଅବଧି ରହିଛି। ହେଲେ ଘାଟରୁ ବାଲି ଉଠାଇବା ଲାଗି ପରିବେଶ ବିଭାଗର ଅନୁମତି ନାହିଁ କି କନସେଣ୍ଟ ଟୁ ଅଫରେଟ-ସିଟିଓ ନାହିଁ। ଏହାସତ୍ତ୍ବେ ନିଲାମଧାରୀ ଶରତ ମାଝି ବେଆଇନ ଭାବେ ବାଲି ଉଠାଉଛନ୍ତି। ତାଙ୍କ ଦେଖାଦେଖି ତାଙ୍କର ରାଜନୈତିକ ବିରୋଧୀମାନେ ଦିହୁଡ଼ି ଆନନ୍ଦପୁର-ସିଦ୍ଧେଶ୍ବର ବୈତରଣୀ ସେତୁ ପାଖ କୃଷ୍ଣ ଯେନା ପାଳରେ ଗଡ଼ା କରି ବାଲି ଉଠାଉଥିଲେ। ଚଳିତ ବର୍ଷ ଶରତଙ୍କ ଅନୁଗତମାନେ କୃଷ୍ଣ ଯେନାଙ୍କ ପାଳକୁ ଲାଗିକି ନିରୁପମା ମାହାକୁଡ଼ଙ୍କ ପାଳରେ ଆଉ ଗୋଟିଏ ଗଡ଼ା କରି ଉଠାଉଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories