କେତେ ହଳିଆ ଗଲେଣି ରହିଛି ବିଲ
ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ
ଟିକିଏ ଆଗକୁ କହିଲେ ଢଗଟି ହେଉଛି ଏହିପରି – “କେତେ ହଳିଆ ଗଲେଣି ରହିଛି ବିଲ, କେତେ ଘରୁଆ ଗଲେଣି ରହିଛି ଘର”। ଭାବି ଦେଖିଲେ ଏହି ଢଗଟି ଭିତରେ କେତେ ଗହୀରା ଜୀବନ ଦର୍ଶନ, ଭାବ ଭରି ରହିଛି ସତରେ! ବୋଧହୁଏ ମଣିଷର ପରିଣତ ଜୀବନକୁ ବା ମୃତ୍ୟୁକୁ ଭିତ୍ତିଭୂମି କରି ଏଇ ଢଗଟି ଲେଖା ହୋଇଛି। ମନସ୍ତତ୍ତ୍ୱବିତ୍ ଓ ସମାଜ ବିଜ୍ଞାନୀମାନେ କହନ୍ତି ଯେ ଏ ପୃଥିବୀ ପ୍ରତି ୫୦ ବର୍ଷରେ ଏକ ଆଖିଦୃଶିଆ ପରିବର୍ତ୍ତନ ଅବସ୍ଥା ଓ ବ୍ୟବସ୍ଥା ସୃଷ୍ଟି କରେ। ୫୦ ବର୍ଷ ତଳର ଚଳଣି, ରୁଚି ଆଦି ଏବର ଚଳଣିରୁ ଢେର ଭିନ୍ନ ଓ ଫରକ ବୋଲି ବାରି ହୋଇପଡ଼େ। ସେଇଥିପାଇଁ ୫୦ ବର୍ଷରୁ ଅଧିକ ହୋଇଯାଇଥିବା ଜଣେ ବ୍ୟକ୍ତି ନିଜକୁ ଉପସ୍ଥିତ ସମାଜ ଓ ପରିବେଶ ସହ ଖାପ ଖୁଆଇ ପାରେନି। ତେଣୁ ମୁଁ ମୋର ଏଇ ପରିଣତ ବୟସରେ ଏଥିରୁ କାହିଁକି ବାଦ୍ ପଡ଼ିବି?
ଭାରତ ୭୫ ବର୍ଷ ହେଲା ସ୍ୱାଧୀନତା ପାଇଲାଣି। ଆଜି ଆମେ ନିଜକୁ ପଚାରିବା, ‘ଆମେ ସତରେ କେତେ ବଦଳିଛେ? ଏଇ ଧରାପୃଷ୍ଠରେ ଆଉ କ’ଣ ସବୁ ବଦଳିଛି? ସୂର୍ଯ୍ୟ କ’ଣ ବଦଳି ଯାଇଛି? ଚନ୍ଦ୍ର, ତାରା, ନକ୍ଷତ୍ର କ’ଣ ବଦଳି ଯାଇଛନ୍ତି? ମୋର ମନେହୁଏ, ଆମର ମନଟା କେବଳ ଅଚାନକ ବଦଳିଯାଇଛି। ଏଇ ପ୍ରବନ୍ଧରେ ଗୋଟିଏ ଗୁରୁତର ପ୍ରଶ୍ନ ହେଉଛି – ଆମେ ଜନ୍ମ ହେଲାବେଳେ ଆମ ଓଡ଼ିଶାକୁ ଯେପରି ଭାବରେ ଦେଖିଥିଲେ, ମଲା ବେଳକୁ ତାହା ଅପେକ୍ଷା ଭଲ ଓଡ଼ିଶା ଦେଖିକରି ଯିବା କି? ଏପରି ଏକ ଉତ୍ପୀଡକ ପ୍ରଶ୍ନରୁ ଏଇ ପ୍ରବନ୍ଧର ଫଳଶ୍ରୁତି।
ପ୍ରଥମରେ ଆମ ଓଡ଼ିଶାର ଚାଷୀଭାଇଙ୍କ କଥା ଚିନ୍ତା କରିବା। ଆମ ଚାଷୀଭାଇ ଆଉ ଚାଷ କରୁନାହିଁ। ହଳ ଶିଖିନଥିବା ବା ଜୀବନରେ କେବେ ଲଙ୍ଗଳ ଧରିନଥିବା ଲୋକ କଳଲଙ୍ଗଳ ଧରି ହଳ କରୁଛି। ଘଣ୍ଟାକୁ ଦେଢ଼ମାଣ। ଚାଷୀମାନେ ଏବେ ଚାଷ ନକରିବାର ଦୁଇଟି କାରଣ ରହିଛି। ଗୋଟିଏ ହେଉଛି – ଖାଦ୍ୟସାମଗ୍ରୀ ବିକ୍ରୟ ଦୋକାନରୁ ଜଳଖିଆ ଆସେ ଏବଂ ଅନ୍ୟଟି – ନିଆଁ ଚୁଲିରୁ ଆସେ ବୋଲି ଭାବିନେବାର ଧାରଣା। ମୋ ଜେଜେବାପା କହୁଥିଲେ, ଆମ ଜୀବନରେ ଥରେ ଡାକ୍ତର, ଓକିଲ, ପୁଲିସ୍ ଏବଂ ଗୁରୁ ଦରକାର। କିନ୍ତୁ ପ୍ରତିଦିନ ତିନିଥର ଜଣେ କୃଷକ ଦରକାର। କ୍ଷେତ ଉପରେ ଅତୁଟ ବିଶ୍ୱାସ ରଖି ବସନ୍ତରେ ମଞ୍ଜି ବୁଣୁଥିବା କୃଷକ ହିଁ ଖରିଫ୍ ଋତୁ ଶେଷରେ ଫସଲ ଅମଳକରେ। ଆମ ବୁନିଆଦି ହେଉଛି କୃଷିଭିତ୍ତିକ ସଂସ୍କୃତି। କୃଷି ହିଁ ଆମ ସମୃଦ୍ଧ ଅର୍ଥନୀତିର ଉତ୍ସ। ଅଥଚ ଆଜିର ବଜାରୀକରଣ ଅର୍ଥନୀତିରେ କୃଷକ ହେଉଛି ଏକମାତ୍ର ବ୍ୟକ୍ତି ଯିଏ ଖୁଚୁରାରେ ଜିନିଷ କିଣେ, ସେ ପାଇକାରୀରେ ସବୁକିଛି ବିକ୍ରି କରେ ଏବଂ ଉଭୟ ପକ୍ଷକୁ ମାଲପରିବହନ ଖର୍ଚ୍ଚ ପ୍ରଦାନ କରେ। ଶେଷରେ ସେ ଋଣଗ୍ରସ୍ତ ହୋଇ ବେକରେ ରଶିଲଗାଏ। ଏ ଅପବାଦ ଆମର ଜନମଙ୍ଗଳକାରୀ ସରକାରଙ୍କୁ ବାଧେ। ତେଣୁ ସେ ନିଜର ଖୁବ୍ ମୋଟାବୁଦ୍ଧିଆ ଅମଲାତନ୍ତ୍ରୀଙ୍କୁ ବସାଇ ନିରାକରଣ ଉପାୟ ପାଞ୍ଚିଥା’ନ୍ତି। କୃଷକଙ୍କୁ ମାଗଣାରେ ଚାଉଳ, ଗହମ, ଛତା, ଭତ୍ତା ଇତ୍ୟାଦି ଦେଇ ଅଳସୁଆ କରି ଘରେ ବସେଇ ଦିଅନ୍ତି।
ଏଥିପାଇଁ ଆମେ ଗୁହାରି କାହାକୁ ନା ପ୍ରତିବାଦ କରିପାରିବୁ କାହାକୁ? ତେଣେ ନିଜ ସ୍ୱାଭିମାନ ହରେଇ ସାରିଥିବା ମାଗଣାଖିଆ ପ୍ରଜାଙ୍କ ଦେହରେ ସରକାର ସହିତ ଲଢ଼େଇ କରିବାକୁ ବଳ ବି ନାହିଁ।
ଆମ ସଂସ୍କୃତିରେ ଅନେକ ପରିବର୍ତ୍ତନ। ଧର୍ମ ସ୍ଥାନରେ ଧର୍ମ ରହିଲାଣି। ଠାକୁର ଜାଗାରେ ଠାକୁରଶଠମାନେ ଠାକୁରଙ୍କ ଗହଣାଗାଣ୍ଠି ଓ ପାଣ୍ଠିକୁ ଖଇରାତ କଲେଣି। ଧର୍ମ ଓ ଠାକୁର ଆସ୍ତେ ଆସ୍ତେ ଉଜୁଡ଼ି ଗଲେଣି। ଗ୍ରାମୀୟ ଜୀବନକୁ ଦେଖିଲେ ଆମ ଓଡ଼ିଶାରେ ଆଜି ସବୁଅଛି ପୁଣି କିଛି ନାହିଁ। ସେଇ ସଞ୍ଜବେଳ, ସନ୍ଧ୍ୟାଶଙ୍ଖ, ମନ୍ଦିରର ଆଳତି ଅଛି ହେଲେ ଚଉରା ମୂଳରେ ସଞ୍ଜବତି ବଦଳରେ ସ୍ୱର୍ଣ୍ଣଚମ୍ପା ଅଗରବତି ଜଳୁଛି। ଡିବିରି ଆଲୁଅରେ ବୋଉର ଭାଗବତ ଓ ପୁରାଣ ପାଠ ବଦଳେ କେବୁଲ ଟିଭିରେ ମଡର୍ଣ୍ଣ ଗୀତ ପ୍ରସାରିତ ହେଉଅଛି। କଇଁଫୁଲ, ଜହ୍ନମାମୁ, କୁଅାଁର ପୂନେଇଁର ଫୁଲବଉଳବେଣୀ ଗୀତ ସବୁ ସ୍ମୃତିର ଆଢୁଆଳରେ ରହିଯାଇଛି।
ମଣିଷ ପାଇଁ ପରିବାରର ମୂଲ୍ୟ ବହୁତ, ଏତେ ଯେ ବେଳେବେଳେ ପ୍ରିୟଜନମାନେ ଯେତେ ମୂଲ୍ୟ ଦିଅନ୍ତି ତାହା ଶବ୍ଦରେ କହିବା କଷ୍ଟକର। ଏଠାରେ ସମସ୍ତ ସ୍ନେହ, ଶ୍ରଦ୍ଧା, ଭଲପାଇବା ନିଃସର୍ତ୍ତ ଓ ପତ୍ୟାଶାବିହୀନ। କିନ୍ତୁ ଆଜି? ଘର ଅଛି, ଏକାନ୍ନବର୍ତ୍ତୀ ପରିବାର ନାହିଁ। ଆଜି ସବୁ କିଛି ସର୍ତ୍ତମୂଳକ ହୋଇଯାଇଛି, ଏପରିକି ପ୍ରେମ ବି। ଅର୍ଥ-ବ୍ୟବସାୟ-ଦେହସୁଖ ତୁଳନାରେ ମଣିଷ ପାଇଁ ପରିବାର ଆଜି ଗୁରୁତ୍ୱପୂର୍ଣ୍ଣ ଜିନିଷ ହୋଇନାହିଁ। ଅତୀତରେ ଆମ ଘରର କେଡ଼େ ଉଚ୍ଚ ପିଣ୍ଡା କି କେତେ ବଡ଼ ପକ୍କାଛାତ ଥିଲା ତାହା ଗୁରୁତ୍ୱପୂର୍ଣ୍ଣ ନଥିଲା; ଏଥିରେ ପ୍ରେମ ଥିଲା ବୋଲି ଗୁରୁତ୍ୱପୂର୍ଣ୍ଣ ଥିଲା। କଠିନ ସମୟ ଦେଇ ଯିବାବେଳେ ସାହାଯ୍ୟ କରିବାକୁ ଆପଣାଛାଏଁ ପରିବାର ଲୋକେ ଆସିଯାଉଥିଲେ। ଦୁରାରୋଗ୍ୟ ବ୍ୟାଧି ଭୋଗୁଥିବା ମଣିଷ ଡାକ୍ତରଖାନାରେ ଚିକିତ୍ସିତ ନହୋଇ ଘରକୁ ଫେରିଆସିବାକୁ ଶେଷଇଚ୍ଛା ବ୍ୟକ୍ତ କରୁଥିଲା। କାରଣ ସେ ଏତିକି ହୃଦବୋଧ କରୁଥିଲା ଯେ ତା’ ଘର ହିଁ ତା’ ପାଇଁ ବୈକୁଣ୍ଠପୁର। ସେଇଠି ପ୍ରିୟଜନ ମଲାବେଳେ ଦୁଇପଦ ଭାଗବତ କାନପାଖରେ ପଢ଼ି ଶୁଣାଇବେ, ତୁଣ୍ଡରେ ନିର୍ମାଲ୍ୟ ଟିକିଏ ଦେବେ, ମୁଖରେ ହରିହରି ଉଚ୍ଚାରଣ କରାଇଦେବେ। ମଲା ପରେ ଶବକୁ ଚାରିକାନ୍ଧ ଲଗାଇ କୋକେଇରେ ମଶାଣିକୁ ନେବେ। ସବୁରି ଚେତନାରେ ଅନୁରଣିତ ହେଉଥିବ – ଆମ ପରିବାର ବା ଆମ କୁଟୁମ୍ବ ବା ଆମ ପଡ଼ିଶା। ସେ ଆତ୍ମୀୟତା ଆଜି କାହିଁ। ପଡ଼ୋଶୀଙ୍କୁ ଦେଖିଦେଲେ ଆଜି ମନେହେଉଛି କି ମୁଁ ଘରେ ଅଛି। ଗୋଟିଏ ଫଟୋ ଭିତରେ ସାରା ପରିବାରର ହସିଲାମୁହଁ ଆଉ କ’ଣ ଦେଖାଯାଉଛି?
ନିଜର ସ୍ୱଧର୍ମ ପରିହାର ନୁହେଁ। ଇତିହାସ ଏକ ଧର୍ମନିରପେକ୍ଷ ବିଶ୍ୱାସର ପିଣ୍ଡି ଉପରେ ଦଣ୍ଡାୟମାନ। ଏହା ଆମକୁ ଅତୀତ ସହିତ ଯୋଡ଼ିଥାଏ, ବର୍ତ୍ତମାନକୁ ବ୍ୟାଖ୍ୟା କରେ ଏବଂ ଭବିଷ୍ୟତର ଝରକା ଖୋଲିଦିଏ।
ଆଜି ‘ଆମ ଓଡ଼ିଶା’ କହିଲେ ଆଜି ତିନୋଟି ଓଡ଼ିଶାକୁ ବୁଝାଏ। ଏଇ ଓଡ଼ିଶାରେ ବସବାସ କରୁଥିବା ଲୋକମାନଙ୍କୁ ତିନିଭାଗରେ ବିଭକ୍ତ କରିବାକୁ ଅନେକ ଯୁକ୍ତି ରହିଛି। ସେମାନଙ୍କର ଦୁନିଆ, ସେମାନଙ୍କର ଜୀବନ ପରସ୍ପରଠାରୁ ଏତେ ଭିନ୍ନ ଯେ ସେମାନଙ୍କୁ ତିନୋଟି ଅଲଗା ଦେଶର ବୋଲି କହିଲେ ସତ୍ୟର ଅପଳାପ ହେବ ନାହିଁ। ଏଇ ତିନି କିସମର ଲୋକ ସତରେ ତିନୋଟି ଓଡ଼ିଶାର ଅଧିବାସୀ।
‘ପ୍ରଥମ ଓଡ଼ିଶା’ର ଲୋକମାନେ ହେଲେ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର। ସେମାନଙ୍କ ପାଇଁ ଆର୍ଥିକ ସ୍ୱଚ୍ଛଳତା ଓ ଆରାମପୂର୍ଣ୍ଣ ଜୀବନ ସୁନିଶ୍ଚିତ। ବିପଦଆପଦ ପାଇଁ ସେମାନଙ୍କର ସଞ୍ଚୟ ଭଲ। ପିଲାମାନେ ଇଂଲିଶ ମିଡିୟମ ସ୍କୁଲକୁ ପଢ଼ିବାକୁ ଯାଆନ୍ତି। ସେମାନଙ୍କର ପିଲାମାନେ ଘରଠାରୁ ଦୁଇପାହୁଣ୍ଡ ଚାଲି ଯିବାକୁ ଅମଙ୍ଗ ବା ଅକ୍ଷମ। ତାଙ୍କୁ ସାଇକେଲ ଓ ସ୍କୁଟି ଲୋଡ଼ା। ବେଶି ଧନୀ ହେଲେ, ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଗାଡ଼ି ଓ ଡ୍ରାଇଭର ରଖା ହୋଇଛି। ଗାଡ଼ିରେ ବସିବାମାତ୍ରେ ‘ଟିଟୁନ ବାବୁ’ ଡ୍ରାଇଭରକୁ କହେ, ‘ହେ ଏସି ଜୋରରେ ଚଲାଅ, ଗରମ ହେଉଛି।’ ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ଇଂଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ ଓ ଅନ୍ୟ ବୈଷୟିକ ଶିକ୍ଷା ଅନୁଷ୍ଠାନରେ କାପିଟେସନ୍ ଫି ଦେଇ ପଢ଼ିବାରେ କୌଣସି ଅସୁବିଧା ନାହିଁ। କୋଚିଙ୍ଗ୍ ସେଣ୍ଟରରେ ତାଙ୍କ ଭବିଷ୍ୟତ ପାଇଁ ପୁଞ୍ଜିନିବେଶ କରାଯାଇଛି। ଝିଅକୁ ଜବରଦସ୍ତ ଯୌତୁକ ଦେଇ ବାହା ଦେବାରେ କୌଣସି ସମସ୍ୟା ନାହିଁ। ରୋଗରେ ପଡ଼ିଲେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ବା ଅପରେସନ ପାଇଁ ଓ ବଜାରରୁ ଦାମିକା ଔଷଧ ପାଇଁ ସମ୍ବଳର କୌଣସି ଅଭାବ ନାହିଁ। ସେମାନଙ୍କ ପରିବାରର ଭବିଷ୍ୟତ ସୁରକ୍ଷିତ। ଏଇ ‘ପ୍ରଥମ ଓଡ଼ିଶା’ର ଯୁବ ସମ୍ପ୍ରଦାୟ ଇଂରାଜୀ ଭାଷାରେ ନିପୁଣ ଓ ପାଶ୍ଚାତ୍ୟ ସଭ୍ୟତାରେ ଅନୁପ୍ରାଣିତ। ଏମାନଙ୍କର ଆଦର୍ଶ ପୁରୁଷ ହେଲେ ଅନିଲ ଅମ୍ବାନୀ ବା ଶାହରୁଖ ଖାଁ, କେବେହେଲେ ଗାନ୍ଧୀ, ଗୋପବନ୍ଧୁ ବା ମଧୁ ବାରିଷ୍ଟର ନୁହନ୍ତି।
‘ଦ୍ୱିତୀୟ ଓଡ଼ିଶା’ର ଲୋକମାନେ କିଏ? ସେମାନେ ହେଲେ ନିଜେ ବଞ୍ଚିବା ପାଇଁ ଅନବରତ ସଂଘର୍ଷରତ ସ୍ୱଳ୍ପ ଆୟକାରୀ ଗରିବ ଚାଷୀ, କୁଲି ମଜଦୁର ଓ ସମ୍ବଳହୀନ ଲୋକମାନେ ଯେଉଁମାନଙ୍କର ଅତୀତ ନଥିଲା କି ଭବିଷ୍ୟତ ମଧ୍ୟ ନାହିଁ। କେବଳ ଟିକିଏ ବଞ୍ଚିବା ପାଇଁ ଏମାନେ ଖାଇବା, ପିଇବା, ମୁଣ୍ଡ ଗୁଞ୍ଜିବା ପାଇଁ ସଂଗ୍ରାମ କରି କରି ସାରାଜୀବନ କଟାଇ ଦିଅନ୍ତି। ଏମାନଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢ଼ନ୍ତି। ବହୁପିଲା ଅଧାରୁ ପଢ଼ା ଛାଡ଼ନ୍ତି। ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ସମ୍ବଳର ଅଭାବ। ଆଜି ଓଡ଼ିଶାରେ ଘରେ ଘରେ ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତ ବେକାର ପିଲା ଯେଉଁମାନଙ୍କର ଭବିଷ୍ୟତ ଅନ୍ଧାର। ଝିଅର ବିଭାଘର ଏମାନଙ୍କ ପାଇଁ ଗୋଟିଏ ମୌଳିକ ସମସ୍ୟା। ଦେହ ଅସୁସ୍ଥ ହେଲେ ନିଜର ଭାଗ୍ୟକୁ ଆଦରି କେବଳ ମୃତ୍ୟୁକୁ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ସରକାରୀ ଡାକ୍ତରଖାନାରେ ଔଷଧ ନାହିଁ। ବଜାରରୁ ଆକାଶଛୁଆଁ ଦରରେ ଏମାନେ ଔଷଧ କିଣିବାକୁ ପଇସା କେଉଁଠାରୁ ଆଣିବେ? ପେଟ ପୂରାଇବା ଓ ଦେହ ଘୋଡ଼ାଇବାର ଆବଶ୍ୟକତା ଏମାନଙ୍କର ଔଷଧଠାରୁ ଅଧିକ ପରା! ସରକାରୀ ଅଫିସରେ ଏମାନଙ୍କୁ ଦୂର୍ଦୂର୍, ମାର୍ମାର୍। ବିପଦ ଆପଦରେ ପିଠିରେ ପଡ଼ିବାକୁ କେହି ନାହିଁ। କେବଳ ଦ୍ୱିତୀୟ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଏଇ ଅସହାୟ ଗରିବ ନାଗରିକମାନଙ୍କର ‘ସାମ୍ବିଧାନିକ ଅଧିକାର’ କେବଳ ‘କିମ୍ବଦନ୍ତୀ’ ମାତ୍ର। ରାଜନେତା କେବଳ ନିର୍ବାଚନ ସମୟରେ ଭୋଟ ଭିକ୍ଷା ପାଇଁ ଏମାନଙ୍କୁ ଖୋଜନ୍ତି। ଏଥିରେ ଦ୍ୱିମତ ନାହିଁ।
‘ତୃତୀୟ ଓଡ଼ିଶା’ର ଲୋକମାନେ ହେଉଛନ୍ତି ଆମର ରାଜନେତାମାନେ। ସେମାନେ ବିଶେଷତଃ ଦ୍ୱିତୀୟ ଓଡ଼ିଶାର ଲୋକମାନଙ୍କର ଭାଗ୍ୟ ନିର୍ଣ୍ଣୟ କରନ୍ତି। ଏଇ ରାଜନେତାମାନେ ଜାତି, ଧର୍ମର ବିଭେଦ ସୃଷ୍ଟି କରନ୍ତି। ନିର୍ବାଚନ ଆଗରୁ ଦୁର୍ନୀତି ଓ ସାଧୁତାର ଭାଷଣ ଦିଅନ୍ତି। ବିକାଶର ପ୍ରତିଶ୍ରୁତି ଦେଇ ‘ରୋଟି, କପଡ଼ା, ମକାନ’ର ସ୍ୱପ୍ନ ଦେଖାଇ ଭୋଟ୍ ହାସଲ କରନ୍ତି। କେବଳ ଓଡ଼ିଶାରେ ନୁହେଁ ସାରା ଭାରତବର୍ଷରେ ଅପାଠୁଆ, ଅଜ୍ଞାନ ଲୋକେ ଗୁଣ୍ଡା, ଦାଗୀମାନଙ୍କୁ ତାଙ୍କର ପ୍ରତିନିଧି ରୂପେ ବାଛନ୍ତି। ଆମ ନେତାମାନେ ଛଳନାକାରୀ ଭାବରେ କ୍ଷମତାର ଅନ୍ଧଗଳିର ନିକଟବର୍ତ୍ତୀ ହୋଇଛନ୍ତି। ଅଣବୈଜ୍ଞାନିକ ଧାର୍ମିକ ଭାବ ଏଠାରେ ପ୍ରବଳ। ଧର୍ମର ଅଫିମ ବାଣ୍ଟି ଓ ‘ଖଇରାତି ରାଜନୀତି’ କରି ରାଜନେତାମାନେ ସାଧାରଣ ଜନତାକୁ ତାଙ୍କର ‘ସ୍ଥାୟୀ ଅନୁଗାମୀ’ କରି ନେଇଛନ୍ତି। ଓଡ଼ିଆ ବୁଦ୍ଧିଜୀବୀ ଗୋଷ୍ଠୀ ସମାଜକୁ ଜ୍ଞାନଦୀପ୍ତ କରିବା ପରିବର୍ତ୍ତେ ସମାଜଠାରୁ ନିରାପଦ ଦୂରତାରେ ରହିବାକୁ ପସନ୍ଦ କରୁଛନ୍ତି।
ପ୍ରବନ୍ଧର ଶେଷରେ ନିଜକୁ ଓ ପାଠକମାନଙ୍କୁ ଏକମାତ୍ର ପ୍ରଶ୍ନ : ସ୍ୱାଧୀନତାର ୭୫ ବର୍ଷ ପରେ ଆମେ ଆଜି ସଭ୍ୟତାର ଆଗରେ ନା ପଛରେ? ଆମ ସମାଜର ତଳସ୍ତରରେ ଓ ମଝିସ୍ତରର ଲୋକମାନେ କାହିଁକି ସେମାନଙ୍କର ସାମର୍ଥ୍ୟ ଅନୁସାରେ ବଞ୍ଚୁନାହାନ୍ତି?
Comments are closed.