ରାମେଶ୍ବରମ୍‌ର ବିଜ୍ଞାନୀ ସନ୍ଥ

ପ୍ର. ନଳିନୀ ରଞ୍ଜନ ମହାନ୍ତି

ଆଜିକୁ ୮୦/୯୦ ବର୍ଷ ତଳେ, ପରାଧୀନ ଭାରତର ଗୋଟିଏ ଗରିବର ଘରେ ବିଦ୍ୟା ଅଧ୍ୟୟନ କରିବା ପାଇଁ ଇଚ୍ଛା କରୁଥିବା ପିଲାଟିର କଥା ଭାବିଲେ ସ୍ବତଃ ଶ୍ରଦ୍ଧାଭାବ ମନ ମଧ୍ୟକୁ ଆସିଯାଏ। ଶୀତବସ୍ତ୍ର ନଥାଏ। ଖାଇବାକୁ ଖାଦ୍ୟ ବି ନଥାଏ। ଅର୍ଥାଗମର ଉପାୟ ନଥାଏ। ପୁସ୍ତକ ଖଣ୍ଡିଏ କିଣିବାକୁ କ୍ଷମତା ମଧ୍ୟ ନଥାଏ। ଏହା ହିଁ ଥିଲା ଦାରିଦ୍ର ଚିତ୍ର। ଭାରତର ଏହି ଅବସ୍ଥାବେଳେ ମାଡ୍ରାସ୍‌ ପ୍ରେସିଡେନ୍ସିର ରାମନାଥପୁର ନାମକ ଏକ ଉପକୂଳୀୟ ଜିଲାର ରାମେଶ୍ବରମ୍‌ ଦ୍ବୀପାଞ୍ଚଳରେ ଏକ ଗରିବ ମୁସଲମାନ ପରିବାରରେ ଜନ୍ମ ନେଇଥିଲା ଏକ ଶିଶୁ, ଯାହାର ନାମ ଆକୁଲ ଫକୀର ଜଇନୁଲାଦ୍ଦିନ୍‌ ଅବ୍‌ଦୁଲ କଲାମ। ଜନ୍ମ ତାରିଖ ୧୫ ଅକ୍ଟୋବର ୧୯୩୧ ମସିହା। ଗୋଟିଏ ବଡ଼ ଭଉଣୀ ଓ ଚାରି ଭାଇଙ୍କ ମଧ୍ୟରେ ସେ ସର୍ବକନିଷ୍ଠ। ପିତା ଜଇନୁଲାଦ୍ଦିନ୍‌ ଜଣେ ଇମାମ ଥିଲେ। ତା’ଛଡ଼ା ତାଙ୍କର ଏକ ଫେରି ନାଆ ଥିଲା, ଯେଉଁଥିରେ ଯାତ୍ରୀଙ୍କ ସହ ଖାଦ୍ୟ ସାମଗ୍ରୀ ନବା ଆଣିବା କରାଯାଉଥିଲା। ଏଥିରୁ ଭଲ ଦି’ପଇସା ରୋଜଗାର ହେଉଥିଲା। ପରିବାରର ଅସ୍ବଚ୍ଛଳତା ଦୂର କରିବାକୁ କଲାମ ଛାତ୍ର ଜୀବନରେ ଖବରକାଗଜ ବିକ୍ରୟ କରିଥିଲେ। ପ୍ରାଇମେରି ଶିକ୍ଷା ସମାପ୍ତି ପରେ ସେ ଦୂରସ୍ଥ ସହର ରାମନାଥପୁରରେ ଉଚ୍ଚ ଇଂରାଜୀ ଶ୍ରେଣୀରେ ପଢ଼ିଲେ।

ଏଠାରେ ହାଇସ୍କୁଲ ଶିକ୍ଷା ହାସଲ କରି, ସେ ତ୍ରିଟିନାପଲ୍ଲୀ ଯାଇ ସେଣ୍ଟ୍‌ ଜୋଶେଫ୍ କଲେଜରେ ପଢ଼ିଲେ। ୧୯୫୪ରେ ଏଠାରେ ସ୍ନାତକ ହେବା ପରେ କଲାମ୍‌ ମାଡ୍ରାସ ବୈଷୟିକ ପ୍ରତିଷ୍ଠାନରେ (୧୯୫୫ ମସିହାରେ) ନାମ ପଞ୍ଜି କରଣ କଲେ ଏବଂ ମହାକାଶ ଇଂଜିନିୟରିଂ ବିଭାଗରେ ଅଧ୍ୟୟନ କଲେ। ସେ ଜୀବନରେ ବିଦ୍ୟାର ଆବଶ୍ୟକତା କେତେ ତା’ ଭଲଭାବରେ ବୁଝିଥିଲେ। ଶିକ୍ଷା ଏକ ପନ୍ଥା, ଲକ୍ଷ୍ୟ ନୁହଁ। ଲକ୍ଷ୍ୟ ହେଉଛି ଆତ୍ମୋନ୍ନତି ସହ ପରିବାର, ଗ୍ରାମ ଓ ଦେଶର ସେବା କରିବା। ୧୯୫୭ ମସିହାରେ ଏମ୍‌ଆଇଟିରୁ ଉତ୍ତୀର୍ଣ୍ଣ ହୋଇ ସେ ଚାକିରି ଖୋଜିଲେ। ଫାଇଟର୍‌ ଏୟାରକ୍ରାଫ୍ଟର ପାଇଲଟ ପାଇଁ ଲିଖିତ ପରୀକ୍ଷା ଦେଇ ସେ ୯ ନମ୍ବର ପୋଜିସନ୍‌ରେ ଥିବାରୁ ସ୍ବପ୍ନ ତାଙ୍କର ମଉଳି ଗଲା। ୧୯୬୯ରେ ଭାରତର ପ୍ରଥମ ଉପଗ୍ରହ ପ୍ରେରଣ ଯାନ ଏସ୍‌ଏଲ୍‌ଭି-୩ର ପ୍ରୋଜେକ୍ଟ ନିର୍ଦେଶକ ହେଲେ। ଏ ପ୍ରୋଜେକ୍ଟ ୧୯୮୦ରେ ରୋହିଣୀ ସାଟେଲାଇଟକୁ ତାର ନିଅର ଆର୍ଥ କକ୍ଷରେ ସଫଳ ଭାବରେ ସ୍ଥାପନ କରିଥିଲା।

prayash

୧୯୭୦ ଦଶକରେ ଏସ୍‌ଏଲ୍‌ଭି ପ୍ରୋଗ୍ରାମ ସଫଳ ହୋଇଥିବାରୁ ଡକ୍ଟର କଲାମ୍‌ଙ୍କ ନିର୍ଦେଶନାରେ ଦୁଇଟି ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। କେନ୍ଦ୍ର ମନ୍ତ୍ରୀସଭା ଏହାକୁ ସମ୍ମତି ଦେଇନଥିଲେ। ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ତାଙ୍କ ପାୱାର ବ୍ୟବହାର କରି ଡ଼ କଲାମଙ୍କୁ ଏକ ଗୁପ୍ତ ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରିଥିଲେ। ସେହି ୟାରୋ ସ୍ପେଶ୍‌ ପ୍ରୋଗ୍ରାମକୁ ଗୁପ୍ତ ରଖାଯାଇଥିଲା। ଭାରତର ପ୍ରଥମ ପରମାଣୁ ବୋମା ପରୀକ୍ଷା ୧୮.୫.୧୯୭୪ ଦିନ ରାଜସ୍ଥାନର ପୋଖରାନ୍‌ ଠାରେ କରାଯାଇଥିଲା ରାତି ୨.୩୪.୫୫ରେ। ଏହି ପ୍ରୋଜେକ୍ଟରେ କଲାମ କାମ କରିନଥିଲେ ମଧ୍ୟ ଡ଼ ରାଜାରମାନ୍ନା ତାଙ୍କୁ ପରୀକ୍ଷା ସ୍ଥଳକୁ ଆସିବାକୁ ନିମନ୍ତ୍ରଣ କରିଥିଲେ।

ସ୍ବତନ୍ତ୍ର ଯୋଜନା ଫଳରେ ଅଗ୍ନି ଓ ପୃଥ୍ବୀ କ୍ଷେପଣାସ୍ତ୍ର ନିର୍ମାଣ କରାଯାଇ ଅନ୍ୟ ଦେଶକୁ ବିକ୍ରୟ କରାଯାଉଛି। ୧୯୯୨ରୁ ୧୯୯୯ ପର୍ଯ୍ୟନ୍ତ ଡ଼ କଲାମ ପ୍ରଧାନମନ୍ତ୍ରୀଙ୍କର ବୈଜ୍ଞାନିକ ଉପଦେଷ୍ଟା ଥିଲେ। ସ୍ବାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ଇଂଜିନିୟରିଂ ଜ୍ଞାନ କୌଶଳର ପ୍ରୟୋଗ କରି ସେ କାର୍ଡିଓଲୋଜିଷ୍ଟ ଡ଼ ସୋମାରାଜୁଙ୍କ ସହ ମିଶି ଯେଉଁ ଷ୍ଟେଣ୍ଟ୍ ଉଦ୍ଭାବନ କରିଥିଲେ ତାହା ଏବେ ‘କଲାମ୍-ରାଜୁ ଷ୍ଟେଣ୍ଟ୍‌’ ନାମରେ ହୃଦ୍‌ରୋଗୀଙ୍କ ବ୍ୟବହାର ନିମନ୍ତେ ଉପଲବ୍ଧ ହେଉଛି। ତାହା ମଧ୍ୟ ସ୍ବଳ୍ପ ମୂଲ୍ୟରେ। ପୃଥ୍ବୀ ଓ ଅଗ୍ନି କ୍ଷେପଣାସ୍ତ୍ର ଉଦ୍ଭାବନ ପାଇଁ କଲାମଙ୍କୁ ‘କ୍ଷେପଣାସ୍ତ୍ର ପୁରୁଷ’ କହନ୍ତି। ନିଜସ୍ବ ଜ୍ଞାନ କୌଶଳରେ ପ୍ରଥମ କରି ସେ ମଧ୍ୟ ଉପଗ୍ରହ ଉତ୍‌‌େକ୍ଷପଣ ଯାନ ନିର୍ମାଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଥାଇ ସେ ଡିଆର୍‌ଡିଓର ସେକ୍ରେଟାରି ମଧ୍ୟ ଥିଲେ। ଅଗ୍ନି ଓ ପୃଥ୍ବୀ ପରେ ତ୍ରିଶୂଳ, ଆକାଶ ଓ ନାଗ କ୍ଷେପଣାସ୍ତ୍ର ମଧ୍ୟ ତାଙ୍କ ଦ୍ବାରା ନିର୍ମିତ ହୋଇଥିଲା।

୧୯୭୪ର ପ୍ରଥମ ପରମାଣୁ ପରୀକ୍ଷଣରେ ଅତି ଅଳ୍ପ ବିସ୍ଫୋରକ ନିର୍ଗତ ହୋଇଥିବାରୁ ତାକୁ ପୂର୍ଣ୍ଣ ପରମାଣୁ ବୋମାର ମାନ୍ୟତା ଦିଆଯାଇ ନଥିଲା। ତା’ପଛରେ ଚୀନ୍‌ର ପ୍ରରୋଚନା ରହିଥିଲା। ତାକୁ ଏକ ଶାନ୍ତିପୂର୍ଣ୍ଣ ପରୀକ୍ଷଣ କୁହାଯାଇଥିଲା। ତେଣୁ ଏକ ଦ୍ବିତୀୟ ପରୀକ୍ଷାର ଆବଶ୍ୟକତା ଥିଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ସେ ସୁଯୋଗ ଆସିଲା। ୧୯୯୮ ମସିହା ମେ ୧୧ ତାରିଖ ଦିନ ରାଜସ୍ଥାନର ପୋଖରାନ୍‌ରେ ଦ୍ବିତୀୟ ପରୀକ୍ଷା କରାଗଲା। ସେଦିନ ତିନିଟି ବୋମା ପରୀକ୍ଷିତ ହୋଇଥିଲା। ପୂର୍ଣ୍ଣ ସଫଳତା ସହିତ ସେହି ମାସ ୧୩ ତାରିଖକୁ ଆଉ ଦୁଇଟି ବୋମା ପରୀକ୍ଷିତ ହେଲା। ଏସବୁ କାର୍ଯ୍ୟର ନେତୃତ୍ବ ନେଇଥିଲେ ଅବ୍‌ଦୁଲ କଲାମ୍‌। ଭାରତ ସରକାର କଲାମ୍‌ଙ୍କୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଓ ୧୯୭୭ରେ ଭାରତ ରତ୍ନ ପୁରସ୍କାରରେ ଭୂଷିତ କରିଥିଲେ। ବିଜ୍ଞାନ ଓ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ ପାଇଁ ତାଙ୍କୁ ଶେଷୋକ୍ତ ପୁରସ୍କାର ଦିଆଯାଇଥିବା କଥା ଘୋଷଣା କରାଯାଇଥିଲା। ନିଜର ଶେଷ ନିଶ୍ବାସ ପର୍ଯ୍ୟନ୍ତ ତାଙ୍କ ତ୍ୟାଗପୂତ ଜୀବନର ବାଣୀ ହେଲା- ‘ଭୂମୈଃ ଗରୀୟସୀ ମାତା, ସ୍ବର୍ଗାତ୍‌ ଉଚ୍ଚତରଃ ପିତା, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ।’

kalyan agarbati

Comments are closed.