ଯୁଦ୍ଧରେ ଜଳୁଛି ଜଗତ

ମାୟାଧର ନାୟକ

ଋୁଷ-ୟୁକ୍ରେନ୍‌‌ ଘମାଘୋଟ ଯୁଦ୍ଧକୁ ସାଢେ ୨୦ମାସ ବିତିଗଲାଣି। ଥମିବାରେ ନାଁ ଧରୁନି। ଏଇ ଅଶୁଭ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ୍‌‌ ଇସ୍ରାଏଲ ଉପରେ ୨୦ ମିନିଟ୍‌‌ରେ ୭୦୦୦ ରକେଟ୍‌‌ ମାଡ଼କରି ସାରାବିଶ୍ୱକୁ ଚମକାଇଦେଲା। ପାଲେଷ୍ଟଇନ୍‌‌ଠାରୁ ଇସ୍ରାଏଲ ୧୦୦ ଗୁଣ ଶକ୍ତିଶାଳୀ। ଇସ୍ରାଏଲ ପ୍ରତିଶୋଧ ନେବା ପାଇଁ ପାଲେଷ୍ଟାଇନ୍‌‌ ଉପରେ ବୋମାବର୍ଷଣ କରିଚାଲିଛି। ଉଭୟ ପଟରୁ ସୈନ୍ୟ-ସାଧାରଣ ନାଗରିକଙ୍କ ମୃତ୍ୟୁସଂଖ୍ୟା ଓ ଆହତସଂଖ୍ୟା ବଢ଼ିବାରେ ଲାଗିଛି। ପାଲେଷ୍ଟାଇନ୍‌‌ ପକ୍ଷ ନେଇ ଲେବାନନ୍‌‌ ଇସ୍ରାଏଲ୍‌‌ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ଇସ୍ରାଏଲ-ପାଲେଷ୍ଟାଇନ୍‌‌ରେ ରକ୍ତର ହୋରିଖେଳ ଚାଲିଛି। ଯେଉଁମାନେ ଯୁଦ୍ଧ କ’ଣ ଜାଣିନାହାନ୍ତି,ଶତ୍ରୁତା କ’ଣ ବୁଝିନାହାନ୍ତି, ସେଇ ସାଧାରଣ ନାଗରିକ ଓ ନାରୀ, ଶିଶୁଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରାଯାଉଛି। ବର୍ବରତାର ସୀମା ଟପିଗଲାଣି।

୧୯୭୧ ଜାନୁୟାରୀ ୧୪ ତାରିଖରେ ପାକିସ୍ତାନ କବଜାରୁ ପୂର୍ବ ବଙ୍ଗ ମୁକ୍ତି ପାଇ ଜନ୍ମ ନେଲା ନୂତନ ବାଂଲାଦେଶ। ଜଣେ ଭାରତୀୟ ସାମ୍ବାଦିକ ଭାବେ ‘ସମାଜ’ର ପ୍ରତିନିଧିତ୍ୱ କରି ବାଂଲାଦେଶ ଯାଇ ୨୭ଦିନ ବିଭିନ୍ନ ସ୍ଥାନ ପରିଭ୍ରମଣ, ବାଂଲାଦେଶ ଜାତିର ପିତା ଶେଖ୍‌‌ ମଜବୁର ରହମନଙ୍କ ସହ ସାକ୍ଷାତ ଆଲୋଚନା, ବୀଭତ୍ସ ଗଣହତ୍ୟାର ବିବରଣୀ ଓ ସେ ସବୁ ସ୍ଥାନ ପରିଦର୍ଶନ କରି ସମ୍ବାଦ ପ୍ରେରଣ କରିଛି। ଏଇ ୫୨ବର୍ଷ ମଧ୍ୟରେ କେତେ କ’ଣ ଘଟିଗଲାଣି, ତା’ର ମୂକସାକ୍ଷୀ କେବଳ ଇତିହାସ। ଅନୁଧ୍ୟାନ କରିଛି, ଆମେରିକା-ଭିଏତ୍‌‌ନାମର ୨୩ବର୍ଷ ଯୁଦ୍ଧ, ଏବେ ଦେଖୁଛି ରୁଷ-ୟୁକ୍ରେନ୍‌‌ ଯୁଦ୍ଧ, ପାଲେଷ୍ଟାଇନ୍‌‌-ଇସ୍ରାଏଲ ଜଘନ୍ୟ ମହାଯୁଦ୍ଧ ସାରାଜଗତ ଜଳୁଛି।

ସମ୍ପ୍ରତି ଯୁଦ୍ଧର କଳା ବାଦଲ ସାରା ଆକାଶକୁ ଆଚ୍ଛାଦିତ କଲାଣି। ମେଦିନୀ ଥରୁଛି। ଏ ପୃଥିବୀର ୪ ଭାଗରୁ ଭାଗେ ସ୍ଥଳ ପାଇଁ ଦେଶ ଦେଶ ମଧ୍ୟରେ କେତେ ଯେ ଯୁଦ୍ଧ ହୋଇଗଲାଣି, କେତେ ଯେ ଧନସମ୍ପତ୍ତି ଜୀବନ ନଷ୍ଟ ହେଲାଣି ତା’ର ହିସାବ କରିବା କଷ୍ଟକର। ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାରାବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଏବେ ମଧ୍ୟ ରୁଷ-ୟୁକ୍ରେନ୍‌‌, ଇସ୍ରାଏଲ-ପାଲେଷ୍ଟାଇନ୍‌‌ ଯୁଦ୍ଧରେ ବିଶ୍ୱର ବିଭିନ୍ନ ଦେଶ ପକ୍ଷଭୁକ୍ତ ହେବାରେ ଲାଗିଛନ୍ତି। ୨୦୨୩ ଶେଷ ବେଳକୁ ଦେଶେ ଦେଶେ ଯୁଦ୍ଧ ଲାଗିଯାଇପାରେ। ୨୦୨୪ରେ ପୃଥିବୀ ଧ୍ୱଂସ ଆଡକୁ ଅଗ୍ରସର ହେବାକୁ ଯାଉଛି। ପ୍ରାକୃତିକ-ମନୁଷ୍ୟକୃତ ବିପଦ ଏକାକାର ହୋଇଗଲାଣି। ଯୁଦ୍ଧ ଯୋଗୁଁ ଜଗତରେ ଜଘନ୍ୟ ଘଟଣାମାନ ଘଟିଚାଲିଛି। ଏ ଘୋର କଳିକାଳରେ କେବଳ ଯୁଦ୍ଧ ନୁହେଁ; ମହାମାରୀ ମଧ୍ୟ ମାଡିଆସୁଛି। ଯୁଦ୍ଧ, ଭୋକ, ରୋଗରେ ସାରାସଂସାର ଜୀବଜଗତ ଛଟପଟ ହେଉଛନ୍ତି। ଜମି, ଧର୍ମ ପାଇଁ ଯୁଦ୍ଧ। ଏବେକାର ଯୁଦ୍ଧ ଜମି ଅର୍ଥାତ୍‌‌ ଦେଶ ଦଖଲ, ଧର୍ମ-ଧର୍ମ ମଧ୍ୟରେ ଯୁଦ୍ଧ। ପୃଥିବୀର ୪ଟି ଦେଶ ବର୍ତ୍ତମାନ ଭୟଙ୍କର ବିପତ୍ତି ସୃଷ୍ଟି କରୁଛନ୍ତି। ରୁଷ୍‌‌, ଚୀନ୍‌‌, ଆମେରିକା, ଇସ୍ରାଏଲ୍‌‌ ନେତୃବର୍ଗ ପାଗଳଙ୍କ ଭଳି ଆଚରଣ କରି ସମଗ୍ର ବିଶ୍ୱକୁ ଧ୍ୱଂସଆଡକୁ ଟାଣି ନେଉଛନ୍ତି।

prayash

ଯୁଦ୍ଧର ଐତିହାସିକ ପୃଷ୍ଠଭୂମି ଉପରେ ନଜର ପକାନ୍ତୁ। ପ୍ରଥମ ବିଶ୍ୱଯୁଦ୍ଧରେ ଓଟୋମାନ୍‌‌ ସାମ୍ରାଜ୍ୟ ପରାଜିତ ହେବାପରେ ପାଲେଷ୍ଟାଇନ୍‌‌ ଉପରେ ବ୍ରିଟେନ୍‌‌ର ଆଧିପତ୍ୟ ବୃଦ୍ଧି ପାଇଲା। ସେତେବେଳେ ପାଲେଷ୍ଟାଇନ୍‌‌ରେ ସଂଖ୍ୟାଲଘୁ ଇହୁଦି ଓ ସଂଖ୍ୟାବହୁଳ ଆରବୀୟ ବସବାସ କରୁଥିଲେ। ଆନ୍ତର୍ଜାତିକ ସମୁଦାୟ ବ୍ରିଟେନ୍‌‌କୁ ପାଲେଷ୍ଟାଇନ୍‌‌ରେ ଏକ ଇହୁଦି ରାଜ୍ୟ ଗଠନ ଦାୟିତ୍ୱ ଦେଲେ। ପାଲେଷ୍ଟିନୀୟ ନିଜ ଦେଶରେ ଇହୁଦିଙ୍କୁ ଜାଗା ଦେବାକୁ ଚାହୁଁ ନ ଥିବାରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ବର୍ତ୍ତମାନର ରୂପ ନେଇଛି। ସୂଚନାଯୋଗ୍ୟ ଯେ ୧୯୨୦ ଓ ୧୯୪୦ ଦଶକରେ ପାଲେଷ୍ଟାଇନ୍‌‌ରେ ଇହୁଦି ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସେମାନେ ନିଜ ପାଇଁ ଏକ ଜାଗା ବା ରାଜ୍ୟ ଖୋଜୁଥିଲେ। ୧୯୪୭ରେ ଜାତିସଂଘ ପାଲେଷ୍ଟାଇନ୍‌‌କୁ ବିଭାଜନ କରି ସ୍ୱତନ୍ତ୍ର ଇହୁଦି, ଆରବ ରାଷ୍ଟ୍ର ଗଠନ ଓ ଜେରୁଜେଲମକୁ ଆନ୍ତର୍ଜାତିକ ପ୍ରଶାସନ ଅଧୀନରେ ରଖିବାକୁ ପ୍ରସ୍ତାବ ଥିଲା। ଇହୁଦିମାନେ ଏଥିରେ ଖୁସି ହୋଇଥିଲେ; କିନ୍ତୁ ଆରବୀୟ ରାଗିଯାଇଥିଲେ। ବହୁକାଳରୁ ଆରବଙ୍କ ଅତ୍ୟାଚାରରେ ନିଜ ଭିଟାମାଟି ହରାଇ ବିଶ୍ୱର ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଇହୁଦିମାନେ ନିଜର ଏକ ରାଜ୍ୟ ପାଇବା ପରେ ସେଠାକୁ ଫେରିଲେ ଓ କ୍ରମଶଃ ନିଜର ଶକ୍ତି ବୃଦ୍ଧିକଲେ। ବହୁବର୍ଷ ଧରି ଇସ୍ରାଏଲ-ପାଲେଷ୍ଟାଇନ୍‌‌ ଭିତରେ ଛୋଟଛୋଟ ଯୁଦ୍ଧ ଲାଗିରହିଥିଲା। ଇତିମଧ୍ୟରେ ଏକ ଶକ୍ତିଶାଳୀ, ଯୁଦ୍ଧଖୋର ହମାସ୍‌‌ ଗୋଷ୍ଠୀ ପାଲେଷ୍ଟାଇନ୍‌‌ରେ ଗଢିଉଠିଲା। ଇସ୍ରାଏଲ୍‌‌ ସହ ଏହି ଗୋଷ୍ଠୀର ୧୯୭୩ ମସିହାରୁ ବିବାଦ ଥିଲା। ୫୦ବର୍ଷ ପରେ ସେମାନେ ଇସ୍ରାଏଲ ଉପରେ ପ୍ରତିଶୋଧ ନେଲେ। ଏହି ହମାସ୍‌‌ ଗୋଷ୍ଠୀ ଗାଜା ସହରକୁ ନିଜ ଆୟତ୍ତରେ ରଖିଥିଲେ। ସବୁ ଆରବ ଅଧିବାସୀ ଏପରି କି ଇସ୍ରାଏଲରେ ରହୁଥିବା ଆରବମାନେ ଏକାଠି ମିଶି ଇସ୍ରାଏଲ ବିରୋଧରେ ଆକ୍ରମଣ କରିବାକୁ ଆହ୍ୱାନ ଦେଇଥିଲେ। ୨ୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ ଶୀତଳ ଯୁଦ୍ଧ ଲାଗିରହିଛି। ଆମେରିକା-ଭିଏତନାମ ଯୁଦ୍ଧ, ତୁର୍କୀ-ସିରିଆ ଯୁଦ୍ଧ, ଚୀନ୍‌‌-ଭାରତ ଯୁଦ୍ଧ, ପାକିସ୍ତାନ-ଭାରତ ଏବେ ରୁଷ-ୟୁକ୍ରେନ୍‌‌, ସମ୍ପ୍ରତି ପାଲେଷ୍ଟାଇନ୍‌‌-ଇସ୍ରାଏଲ୍‌‌ ଯୁଦ୍ଧ ପ୍ରମୁଖ ଭାବେ ଦେଖାଦେଇଛି। ଲେବାନନ୍‌‌ର ଲଢୁଆ ଗୋଷ୍ଠୀ ହିଜିବୁ୍‌‌ଲ୍ୱାହା ଯୁଦ୍ଧ କ୍ଷେତ୍ରରେ। ଇରାନ୍‌‌-ସିରିଆ ସହାୟତା ଯୋଗାଇ ଦେଉଛନ୍ତି। ପାଲେଷ୍ଟାଇନ୍‌‌ ହମାସ୍‌‌ ଆକ୍ରମଣକୁ ଇରାନ-ରୁଷ୍‌‌-ଚୀନ୍‌‌ ସମସ୍ତ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଯୁଦ୍ଧଭୂମିରେ ବିଶେଷକରି ଇସ୍ରାଏଲ୍‌‌-ପାଲେଷ୍ଟାଇନ୍‌‌ ରାସ୍ତାରେ କୁଢକୁଢ ଶବର ପାହାଡ଼। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତୈଳ ସଂକଟ ଦେଖାଯିବ। ଇରାନ୍‌‌ ତୈଳ ସମ୍ପଦରେ ବଳୀୟାନ। ସେଠାରୁ ତୈଳ ନ ଆସିଲେ ଡିଜେଲ୍‌‌-ପେଟ୍ରୋଲ୍‌‌ ଦାମ୍‌‌ ବଢ଼ିଯିବ। ଏହା ବିଶ୍ୱ ସଂକଟରେ ପରିଣତ ହେବ। ଆଜି ଜମି ଖଣ୍ଡକ ପାଇଁ ଗାଁରେ ଭାଇଭାଇ ମଧ୍ୟରେ ଲଢେଇ, ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଛି। ଏଇ ବିଶ୍ୱରେ ବିଭିନ୍ନ ଧର୍ମାବଲମ୍ବୀ ପ୍ରାୟ ସବୁ ଦେଶରେ ମିଳିମିଶ ବାସ କରୁଛନ୍ତି। ଖ୍ରୀଷ୍ଟିଆନ୍‌‌, ମୁସଲିମ୍‌‌, ହିନ୍ଦୁ, ଇହୁଦି, ଜିଉ, ବୌଦ୍ଧ, ଜୈନ ପ୍ରମୁଖ ଧର୍ମ ଏବଂ ସେମାନଙ୍କର ପ୍ରାର୍ଥନା ପାଇଁ ଗୀର୍ଜା, ମସଜିଦ୍‌‌, ଚର୍ଚ୍ଚ, ମନ୍ଦିର ଗଢିଉଠିଛି। ଯାହା ଫଳରେ ଏଇ ଜମି, ସମ୍ପତ୍ତି, ଧର୍ମକୁ ନେଇ ଅହରହ ଯୁଦ୍ଧ ଲାଗିଚାଲିଛି।

ଇସ୍ରାଏଲ-ପାଲେଷ୍ଟାଇନ୍‌‌ ଯୁଦ୍ଧରେ ବିଶ୍ୱ ଦୁଇଭାଗ ହୋଇଗଲାଣି। ଇସ୍ରାଏଲ ପକ୍ଷରେ ଭାରତ, ଆମେରିକା, ବ୍ରିଟେନ୍‌‌, ଅଷ୍ଟ୍ରେଲିଆ, ଫ୍ରାନ୍ସ, ପୋଲାଣ୍ଡ, କାନାଡା, ସ୍ପେନ୍‌‌, ଜର୍ମାନୀ, ୟୁରୋପୀୟ ଦେଶ ସମୂହ ଏବଂ ପାଲେଷ୍ଟାଇନ୍‌‌ ପକ୍ଷରେ ଆରବ ଲିଗ୍‌‌ର ୨୨ଟି ଦେଶ ଇରାକ, ଇରାନ, ଅଲଜେରିଆ, ଲେବାନନ୍‌‌, ଲିବ୍ୟା, ମରକ୍କୋ, କତାର, ସାଉଦିଆରବ, ୟୁଏଇ, ସୋମାଲିଆ, ସୁଦାନ, ଟୁନିସିଆ, ଜିବୁତି, ୟେମେନ୍‌‌ ଦକ୍ଷିଣଆଫ୍ରିକା, ରୁଷ, ଚୀନ୍‌‌, ଉତ୍ତରକୋରିଆ ଆଦି ଦେଶ ଅଛନ୍ତି। ଏହି ଯୁଦ୍ଧରେ ସମଗ୍ର ବିଶ୍ୱରେ ଗୁଇନ୍ଦା ଏଜେନ୍ସି ବିଫଳ ହୋଇଛି। ଇସ୍ରାଏଲ, ଆମେରିକା ଗୁଇନ୍ଦା ସଂସ୍ଥା ଜାଣିପାରିଲାନାହିଁ। ଇସ୍ରାଏଲ-ପାଲେଷ୍ଟାଇନ୍‌‌ ଯୁଦ୍ଧରେ କିଏ ଜିତିବ, କିଏ ହାରିବ, ତାହା ଇତିହାସ କହିବ; କିନ୍ତୁ ଇରାନର ବୁଦ୍ଧି ସାରା ବିଶ୍ୱକୁ ଟପିଗଲା। ସମଗ୍ର ବିଶ୍ୱ ବର୍ତ୍ତମାନ ଯୁଦ୍ଧମୁହାଁ। ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି ସେମାନେ ଯଦି ରାଗରେ ବଟନ୍‌‌ ଦବେଇଦିଅନ୍ତି, ତା’ହେଲେ ସମଗ୍ର ବିଶ୍ୱରେ ଘୋର ବିପର୍ଯ୍ୟୟ ଘଟିବ। ବିଶ୍ୱଧ୍ୱଂସର କାରଣ ହେବ। କୋଉ ଭଗବାନ କେଉଁ ଦେଶରେ ଅଛନ୍ତି, ଏ ଜଘନ୍ୟ କାଣ୍ଡକୁ ଦେଖି ପ୍ରତିକାର କରିବେ? କୌଣସି ଦେଶର କୌଣସି ସ୍ଥାନ ବର୍ତ୍ତମାନ ସୁରକ୍ଷିତ ନୁହେଁ। ହଜାର ହଜାର ବର୍ଷ ଧରି ଜାତି-ଜାତି ମଧ୍ୟରେ ପ୍ରଚଳିତ ସାଂସ୍କୃତିକ ବୈଚିତ୍ର୍ୟସମ୍ପନ୍ନ ନାନା ଭେଦବୈଷମ୍ୟ ବଳବତ୍ତର ରହିଆସିଥିବା ସତ୍ତ୍ବେ ବିଶ୍ୱ ସଭ୍ୟତାର ଗତି ଥିଲା ଅବାଧ, ଅବ୍ୟାହତ, ଏପରି କି ପ୍ରଚୁର ପ୍ରତିକୂଳତା ସତ୍ତ୍ବେ ସ୍ୱାଭାବିକ ମଧ୍ୟ। ଆଜି କିନ୍ତୁ ସେ ଜାତି, ସଂସ୍କୃତି, ରୀତିଗତ ବୈଚିତ୍ର୍ୟକୁ ‘ଶତ୍ରୁ’ ବୋଲି ଚିହ୍ନଟ କରି ପ୍ରଚଣ୍ଡ ହିଂସ୍ରତାର ବିଷବାର୍ତ୍ତା ପ୍ରଚାର କରାଯାଉଛି।

ଫୁଲପତ୍ରର ଏଇ ପୃଥିବୀରେ ପ୍ରତିହିଂସା ନିଜ ବିଷବୃକ୍ଷର କଣ୍ଟା ବିଛାଇ କେତେ ଯେ ଅଘଟଣ ଘଟାଇଯାଇଛି, କେବଳ ଇତିହାସ ତା’ର ହିଁ ମୂକସାକ୍ଷୀ। ସବୁଠି କ୍ଷମତା ଓ ସମ୍ପତ୍ତି ଲୋଭରେ ରକ୍ତପାତ। ଏବେ ମଧ୍ୟପ୍ରାଚ୍ୟରେ ରକ୍ତଯୁଦ୍ଧ ଜଘନ୍ୟ ଆଡକୁ ଗତି କରିଛି। ଏହି ନିଷ୍ଠୁରତା ବନ୍ଦ କରିବାକୁ ବିଶ୍ୱବାସୀ ଆଗେଇ ଆସନ୍ତୁ।

kalyan agarbati

Comments are closed.