ପେଟ ପାଇଁ ସହରମୁହାଁ ଗାଁ ଲୋକ
ଅମ୍ବିକା ପ୍ରସାଦ କାନୁନ୍ଗୋ
ସମୟ ବଦଳି ଚାଲିଛି। କାଳର ଚକ୍ରରେ ହଜିଯାଇଛି ଗାଁର ଅନେକ ଚିତ୍ର । ଗାଁ ମାନଙ୍କରୁ ବଡ଼ ବଡ଼ ଆମ୍ବତୋଟା ହଜିଯାଇଛି, ଚାଳଛପର ମାଟିଘର ସଂଖ୍ୟା କମିଯାଇଛି। ମାଟି ନନ୍ଦବସା କୂଅ ଆଉ ଦେଖିବାକୁ ମିଳୁନାହିଁ। ଏବେ ଗାଁ ଦାଣ୍ଡରେ ଗୋଧୂଳି ସମୟରେ ଗଉଡ଼ ପିଲା ଗାଈଙ୍କୁ ଧରି ଗୋଠରୁ ଫେରିବାର ଦୃଶ୍ୟ ଆଉ ଦେଖିବାକୁ ମଳୁନାହିଁ। ଶୁଭୁନାହିଁ ଗାଈପଲଙ୍କ ବେକରେ ବନ୍ଧା ଯାଇଥିବା ଘାଗୁଡିର ଢଗ ଢଗ ଶବ୍ଦ । ଜୀବନ ଜୀବିକା ପାଇଁ ବହୁ ପରିବାର ଗାଁ ଛାଡ଼ି ସହରକୁ ଚାଲିଯାଉଥିବା ଯୋଗୁଁ ଅଧିକାଂଶ ଘର ଆଗରେ ଥିବା ଚଉରା ମୂଳେ ସଂଧ୍ୟାରେ ଜଳୁନାହିଁ ସଞ୍ଜବତି। ସନ୍ଧ୍ୟାରେ ଭାଗବତ ଘରେ ଜଡାତେଲ ଦୀପ ପାଖରେ ଗାଁ ଲୋକଙ୍କର ଭାଗବତ ଚର୍ଚ୍ଚାର ସେହି ଆସର ଆଉ ଜମୁନାହିଁ।
ଓଡ଼ିଶାରେ ଥିବା ଗାଁ ଗୁଡିକର ଚିତ୍ରରେ ଅନେକ ପରିବର୍ତ୍ତନ ଏବେ ଦେଖିବାକୁ ମିଳୁଛି। ପାଠଶାଠ ପଢିଥିବା ବ୍ୟକ୍ତିମାନେ ଚାକିରି ପାଇଁ ସହରକୁ ଚାଲିଯାଉଥିବା ବେଳେ ଗାଁରେ ଚାଷବାସ କରି ଚଳୁଥିବା ଲୋକ ଚାଷକରି କ୍ଷତିଗ୍ରସ୍ତ ହୋଇ ପଡୁଥିବା ଦେଖାଯାଉଛି। ଋଣଭାର ସେମାନଙ୍କ ମୁଣ୍ଡରେ ଲଦିହୋଇ ଯାଉଥିବାରୁ ଚାଷ ଛାଡି ଅନେକ ଚାଷୀ ଦାଦନ ଖଟିବାକୁ ପଡୋଶୀ ରାଜ୍ୟକୁ ଚାଲିଯାଉଛନ୍ତି। କେବଳ ଉପକୂଳ ଜିଲାକୁ ଗୁଡ଼ିକୁ ଛାଡ଼ିଦେଲେ ରାଜ୍ୟର ଅଧିକାଂଶ ଗାଁ ଦାଣ୍ଡ କବାଟରେ ତାଲା ଝୁଲୁଛି। ଗାଁ ଗୁଡିକ ଏବେ ଖାଁ ଖାଁ ଲାଗୁଛି। ବାରି ସାଗ ଏବେ ଦୁର୍ଲଭ। କାଗିଜି ଲେମ୍ବୁ, କଞ୍ଚାଲଙ୍କା, ପରିବା, ଅଣ୍ଡା ଓ ମାଛ ଏବେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଆସି ଗାଁରେ ବିକ୍ରି ହେଉଛି।
ଭାଗବତ ଘରେ ସଂଧ୍ୟାରେ ଭଜନ କୀର୍ତ୍ତନ କରିବାକୁ ଲୋକ ମିଳୁନାହାନ୍ତି, ଘଣ୍ଟ ଓ ଶଙ୍ଖର ଶବ୍ଦ ଶୁଣାଯାଉନାହିଁ। ନୂଆ ବୋହୂ ମୁଣ୍ଡରେ ଓଢଣା ପକାଇ ସଞ୍ଜବତୀ ଧରି ଚଉରା ପାଖକୁ ଯିବାର ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ। ଗୁହାଳେ ଦେଶୀ ଗାଈ ଆଉ ଦାଣ୍ଡରେ କଅଁଳା ବାଛୁରୀର ମନୋରମ ନାଚ କୁଆଡେ ଉଭେଇ ଯାଇଛି। ମାଟି ବଢାରେ ଏଠି ମରାଯାଉଥିବା ଘିଅର ବାସ୍ନା ପାଲଟଛି ସାତ ସପନ। ସକାଳୁ ଦାଣ୍ଡରେ ଗୋବର ପାଣି ଆଉ ପଡୁନାହିଁ, ସମୟଚକ୍ରରେ ସବୁ ହଜି ଯାଇଛି।
କାର୍ତ୍ତିକ ମାସରେ ଠାଏ ଠାଏ ଜାଗାରେ ଭାଗବତ ପାରାୟଣ, ରାହାସ ଓ କାର୍ତ୍ତିକ ମେଲଣର ସଂସ୍କୃତିକୁ ପୁରୁଖା ଲୋକମାନେ ଚଳାଇ ରଖିଛନ୍ତି। ଅନେକ ବ୍ୟକ୍ତି ପେଟ ପାଟଣା ପାଇଁ ସହରରେ ରହୁଥିଲେ ମଧ୍ୟ ଗାଁର ଆକର୍ଷଣ ଏବେ ବି ତାଙ୍କୁ ଛାଡିନାହିଁ। ସମୟ ମଳିଲେ ଗାଁକୁ ଚାଲିଆସି ଭଜନ କୀର୍ତ୍ତନ, ଭୋଜିଭାତରେ ଭାଗନେଇ ସେମାନେ ଆନନ୍ଦ ଅନୁଭବ କରନ୍ତି। ସହରକୁ ଫେରିବାକୁ ମନ ଚାହୁଁନଥିଲେ ମଧ୍ୟ ପେଟ ପାଟଣା ପାଇଁ ସହରକୁ ଫେରିବାକୁ ସେମାନେ ବାଧ୍ୟ ହେଉଛନ୍ତି।
ଗାଁର ନିର୍ମାୟା ଲୋକଗୁଡାକଙ୍କ ମୁଣ୍ଡରେ ନେତା ମାନେ ରାଜନୀତିର କୁଟିଳତାକୁ ଏବେ ଭରିଦେଇଛନ୍ତି, ହଜିଯାଉଛି ସେମାନଙ୍କର ସରଳତା। ଭାଇଚାରା, ଆତ୍ମୀୟତା ଓ ଆନ୍ତରିକତାର ଅନୁଭବର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତି ଓ ଗ୍ରାମ୍ୟ ଜୀବନର ଯେପରି ବିକାଶ ଚାହୁଁଥିଲେ ଆଜି ଅଧିକାଂଶ ଗାଁ ଶ୍ରୀହୀନ ହୋଇପଡ଼ିଛି। ଜାତିର ପିତା ମହାତ୍ମା ଗାନ୍ଧୀ ଗ୍ରାମ୍ୟ ବିକାଶର ସ୍ବପ୍ନକୁ ସ୍ବାଧୀନତା ପରେ ଦେଶରେ ଯେପରି ଗୁରୁତ୍ବ ଦିଆଯିବାକଥା ସେପରି ଦିଆଯାଇନାହିଁ। କୁଟୀର ଶିଳ୍ପ ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ। ହେଁସ, ମାଛଧରିବା ପାଇଁ ବଜା ଓ ମୁଗୁରା ଲୋକେ ଆଉ ବୁଣୁନାହାନ୍ତି। ଗାଁ ଗଣ୍ଡାରେ ଥିବା ଅଧିକାଂଶ ପାନ ଦୋକାନରେ ଖୋଲା ଖୋଲି ମଦ ଓ ଧଳାଜହର ବିକ୍ରି ହେଉଛି। ନେତା କେବଳ ଗାନ୍ଧିଜୀଙ୍କ ନାଁ ଓ ତାଙ୍କ ଆଦର୍ଶ କଥା କହି କେତେକ ରାଜନେତା କ୍ଷମତା ହାସଲ କରିଚାଲିଛନ୍ତି। ଗାଁ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ତ ଅନେକ ଗାଁ ଡାକ୍ତରଖାନାରେ ଡ଼ାକ୍ତର ନଥିବାରୁ ଗାଁର ରୋଗୀକୁ ସହରକୁ ଯିବାକୁ ପଡ଼ୁଛି। ଗ୍ରାମ୍ୟ ଜୀବନର ଶାନ୍ତ ପରିବେଶ କ୍ରମେ ରାଜନୀତି ପାଇଁ ଅଶାନ୍ତ ହୋଇ ଉଠୁଛି। ନିଶା ଯୁବକମାନଙ୍କୁ କବଳିତ କରିଚାଲିଥିବାବେଳେ ବିଭିନ୍ନ ପ୍ରକାର ଅପରାଧ ଦିନକୁ ଦିନ ବଢି ଚାଲିଛି।
ଦେଶରେ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ କରିବା, ପ୍ରତ୍ୟେକ ଗାଁକୁ ଆଦର୍ଶ ଗ୍ରାମରେ ପରିଣତ କରିବା ଏବଂ ଗାଁ ଲୋକଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ମିଆଦୀ ବିଧିବଦ୍ଧ ଯୋଜନା ହୋଇନାହିଁ। ସ୍ବାଧୀନ ହେବାର ୭୬ ବର୍ଷ ପରେ ବି ଗ୍ରାମ୍ୟ ଅର୍ଥନୀତି ବିକଶିତ ହେବା ପରିବର୍ତ୍ତେ ବିପର୍ଯ୍ୟସ୍ତ ହୋଇ ପଡିଛି। ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁଁ ଅନଗ୍ରସର ଲୋକଙ୍କ ସଂଖ୍ୟା ବଢିବଢି ଚାଲିଛି। ଶିକ୍ଷା, ସ୍ବାସ୍ଥ୍ୟସେବା, ଜଳସେଚନ, କୃଷି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ସେହିପରି କୌଳିକ ବୃତ୍ତି କ୍ଷେତ୍ରରେ ମାଟି ପାତ୍ର ଗଢୁଥିବା କୁମ୍ଭାର, ଲୁହା କାମ କରୁଥିବା କମାରଶାଳ କାଁ ଭାଁ କାମ କରୁଛି। ଝୋଟରୁ ଗାଈପଘା, ବଳଦ ତୁଣ୍ଡି ଓ ଶିକା ଏବେ ଆଉ ଦରକାର ହେଉନାହିଁ। ଏସବୁ କାମରେ ନିୟୋଜିତ ଲୋକଙ୍କ ହାତକୁ ଏବେ କାମ ନାହିଁ। ଟଙ୍କିକିଆ ଚାଉଳ ବ୍ୟବସ୍ଥା ଆମ କାମ କରିବାର ସଂସ୍କୃତିକୁ ନଷ୍ଟ କରିଦେଇଛି। ଗାଁ ଗହଳିରେ ଥିବା ଶ୍ରମଜୀବୀଙ୍କ ମଧ୍ୟରେ କାମ କରିବାର ପ୍ରବୃତ୍ତି ଏବେ ଆଉ ଦେଖିବାକୁ ମିଳୁନାହିଁ। ଅଧିକାଂଶ ଲୋକଙ୍କ ମଧ୍ୟରେ ମାଗଣା ଖାଇବାର ମନୋଭାବ ସୃଷ୍ଟି ହୋଇଛି। ଲୋକଙ୍କ ମଧ୍ୟରେ କାମ କରିବାର ସଂସ୍କୃତି ସମ୍ପୂର୍ଣ୍ଣଭାବେ ବିପର୍ଯସ୍ତ ହୋଇ ଯାଇଛି। ରୋଜଗାରର ସୁବିଧା ସୃଷ୍ଟି କରାଯାଉନଥିବାରୁ ଜୀବନ ଓ ଜୀବିକା ପାଇଁ ଲୋକେ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ଦେଶର ବିକାଶ ହେବ କିପରି?
ବ୍ରିଟିଶ୍ ସରକାରଙ୍କ ସମୟରେ ଖୋଳାଯାଇଥିବା କେନାଲଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ବନ୍ଧଗୁଡିକ ଭାଙ୍ଗିରୁଜି ଗଲାଣି, ପୂର୍ବ ଭଳି କେନାଲରେ ଆଉ ପାଣି ଆସୁନାହିଁ। କେନାଲ ଶଯ୍ୟାରେ ବାଲି ଚରିଗଲାଣି । ଜମିରେ ପାଣି ମାଡୁନଥିଲେ ବି ଚାଷୀ ଅଭିଯୋଗ କଲେ କେହି ଶୁଣିବାକୁ ନାହାନ୍ତି। ବନ୍ୟା, ବାତ୍ୟା, ମରୁଡି ଓ ଅଦିନିଆ ବର୍ଷାରେ ଚାଷୀ ସର୍ବସ୍ବ ହରାଉ ଥିଲେ ମଧ୍ୟ ସେହି କ୍ଷତିକୁ ଭରଣା କରିବା ପାଇଁ ଆବଶ୍ୟକ ସହାୟତା ତାକୁ ମିଳୁନାହିଁ। ଗାଁ ମହାଜନ, ମିଶନ ଶକ୍ତି, ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା ଶୁଝିନପାରି ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ନେଇ ଅଭିଯୋଗ ହେଉଛି।
Comments are closed.