ମହିଳା ସ୍ନାତକ କଲେଜରେ ରକ୍ତଦାନ ଶିବିର

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଓ ଏନଏସଏସ ଆନୁକୂଲ୍ୟରେ ଜୀବନବିନ୍ଦୁ ଏବଂ ଏଚଡିଏଫସି ବ୍ୟାଙ୍କ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗୁରୁବାର କଲେଜ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌‌ଘାଟନ କରିଥିଲେ। ରାଜ୍ୟରେ ରକ୍ତଦାନ କ୍ଷେତ୍ରରେ ଆଠଗଡର ଏକ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହ କଟକରେ ପ୍ରତିବର୍ଷ ଯେତିିକି ରକ୍ତର ଆବଶ୍ୟକତା ହେଉଛି ତାର ଅଧାରୁ ଅଧିକ କେବଳ ଆଠଗଡ ନିର୍ବାଚନ ମଣ୍ଡଳୀରୁ ସଂଗୃହିତ ହେଉଛି ବୋଲି ପ୍ରକାଶ କରିଥିଲେ। ରକ୍ତଦାନ ମାନବ ସେବାର ଏକ ଶ୍ରେଷ୍ଠ ନିଦର୍ଶନ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଆଠଗଡ ନଗରପାଳ ସସ୍ମିତା ରାଉତ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କଟକ କେନ୍ଦ୍ରୀୟ ରେଡକ୍ରସ ବ୍ଲଡବ୍ୟାଙ୍କର ଡାକ୍ତର କନକଲତା ଦେଇଙ୍କ ନେତୃତ୍ୱରେ ଆସିଥିବା ଡାକ୍ତରୀଦଳ ଏହି ଶିବିରରେ ଉପସ୍ଥିତ ରହି ୭୦ୟୁନିଟ୍‌‌ ରକ୍ତ ସଂଗ୍ରହ କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର ଓ ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଜୀବନବିନ୍ଦୁ ସଂଯୋଜକ ରାକେଶ ଦାଶ ଓ କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ, ରେଡକ୍ରସ ଓ ଏନଏସଏସ ସ୍ୱେଚ୍ଛାସେବୀ ଛାତ୍ରୀ ସହଯୋଗ କରିଥିଲେ।

Comments are closed.