କ୍ରିକେଟ ବିଶ୍ବକପ ଆଜିଠାରୁ
ଅହମ୍ମଦାବାଦ୍ : କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ ା ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ ମାସ ଧରି ଏବେ ଦେଖିବାକୁ ମିଳିବ ବ୍ୟାଟ ଓ ବଲର ରୋମାଞ୍ଚ। ଆସିବ କ୍ରିକେଟ ଫିବର। ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବେ ବିଶ୍ବର ଶ୍ରେଷ୍ଠ ୧୦ ଦଳ। ଆୟୋଜକ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍ସ, ବାଂଲାଦେଶ,ଆଫଗାନିସ୍ତାନ, ଶ୍ରୀଲଙ୍କା ଏଥିରେ ଭାଗ୍ୟ ପରୀକ୍ଷା କରିବେ। ଅହମ୍ମଦାବାର ମୋେଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଗତଥରର ବିଜେତା ଇଂଲଣ୍ଡ ଓ ରନର୍ସଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଗୁରୁବାର ଖେଳାଯିବ। ଏଥି ସହିତ ଉକ୍ତ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ ହେବ। ଏସୀୟ ମହାଦେଶର ଦେଶର ଏହା ହେବ ସର୍ବବୃହତ କ୍ରିକେଟ ମହାକୁମ୍ଭ। ପୂର୍ବରୁ ଭାରତରେ ୧୯୮୭, ୧୯୯୬ ଓ ୨୦୧୧ରେ ଦିନିକିଆ କ୍ରିକେଟ ବିଶ୍ବକପ ଆୟୋଜିତ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଭାରତ ଏକକ ଭାବେ ଉକ୍ତ ପ୍ରତିଯୋଗିତାକୁ ଆୟୋଜନ କରୁଛି। ଅନେକ ଆହ୍ବାନ ଥିଲେ ହିଁ ଏହାକୁ ସଫଳତାର ସହ ମୁକାବିଲା କରି ଶ୍ରେଷ୍ଠ ପ୍ରତିଯୋଗିତାରେ ଆୟୋଜନ ନେଇ ବିସିସିଆଇ ପ୍ରସ୍ତୁତ ଶେଷ କରିଛି। ପ୍ରତିଯୋଗିତା ମୋଟ ୧୦ଟି ଗ୍ରାଉଣ୍ଡ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ, ମୁମ୍ବଇର ୱାଙ୍ଖଡେ ଓ ପୁଣେରେ, ହାଇଦରାବାଦ୍ର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମ, ଧର୍ମଶାଳାର ଏଚ୍ପିସି ଷ୍ଟାଡ଼ିୟମ, ବାଙ୍ଗାଲୋରର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ, ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମ, କଲକାତାର ଇଡେନଗାର୍ଡେନ, ଲକ୍ଷ୍ନୌର ଏକ୍ନା ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ସମସ୍ତ ଦଳ ସମସ୍ତଙ୍କ ସହିତ ମ୍ୟାଚ ଖେଳିବେ ଲିଗ୍ ପର୍ଯ୍ୟାୟ ମ୍ୟାଚ ନଭେମ୍ବର ୧୨ ପର୍ଯ୍ୟନ୍ତ ଖେଳାଯିବ। ନଭେମ୍ବର ୧୫ରେ ପ୍ରଥମ ଓ ୧୬ରେ ଦ୍ବିତୀୟ ସେମିଫାଇନାଲ ଓ ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରଥମ ଦୁଇ ସଂସ୍କରଣ ବିଜେତା ୱେଷ୍ଟଇଣ୍ଡିଜ୍କୁ ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟ ବିଶ୍ବକପରେ ଦେଖିବାକୁ ମିଳିବନି। କ୍ରିକେଟ ବିଶ୍ବକପର ୪୮ ବର୍ଷ ଇତିହାସରେ ଅଷ୍ଟ୍ରେଲିଆ ସର୍ବାଧିକ ୫ଥର ଟାଇଟଲ ହାସଲ କରିଛି। ୧୯୮୭,୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଏହି ଦଳ ପିନ୍ଧିଛି ମୁକୁଟ। ସେହିପରି ଭାରତ ୧୯୮୩ ଓ ୨୦୧୧, ୱେଷ୍ଟଇଣ୍ଡିଜ୍ ୧୯୭୫ ଓ ୧୯୭୯ରେ ଦୁଇଥର ଲେଖାଏଁ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ୧୯୯୨, ଶ୍ରୀଲଙ୍କା ୧୯୯୬ ଓ ଇଂଲଣ୍ଡ ୨୦୧୯ରେ ଥରେ ଲେଖାଏଁ ବିଶ୍ବକପ ଜିତିଛନ୍ତି।
Comments are closed.