ଗଣଙ୍କର ସ୍ବର ହେଉ ଗଣମାଧ୍ୟମ : ଛତିଶଗଡ଼ ରାଜ୍ୟପାଳ
‘ସମାଜ’ର ୧୦୪ବର୍ଷ ପୂର୍ତ୍ତି ଉତ୍ସବ
କଟକ : ୧୦୪ ବର୍ଷର ଦୀର୍ଘ ଯାତ୍ରାକାଳରେ ‘ସମାଜ’ ସହ ମାନବ ସମାଜ ସର୍ବଦା ରହି ଆସିଛି। ସ୍ବାଧୀନତା ଆନ୍ଦୋଳନ ସମୟରେ ଓଡ଼ିଶାବାସୀଙ୍କୁ ଏକତ୍ର କରିବାରେ ‘ସମାଜ’ ଅମୋଘ ଅସ୍ତ୍ର ଭାବେ କାର୍ଯ୍ୟ କରିଥିଲା। ବ୍ରିଟିଶ ଶାସକଙ୍କ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ଓଡ଼ିଶାେର ନେତୃତ୍ବ ନେବା ସହ ‘ସମାଜ’ ଜରିଆରେ ରାଜ୍ୟର ଜନଗଣଙ୍କୁ ଏକାଠି କରାଇବାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଅନନ୍ୟ ଭୂମିକା ନିର୍ବାହ କରିଥିଲେ ବୋଲି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି।
ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ବୁଧବାର ଅପରାହ୍ଣରେ ‘ସମାଜ’ର ୧୦୪ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଲେ, ରାଜ୍ୟରେ ମାନବିକ ଅଧିକାର ପ୍ରତିଷ୍ଠା ସହ ତତ୍କାଳୀନ ସରକାର ଓ ତାଙ୍କ ଆଇନ୍କୁ ଅବମାନନା କରି ଓଡ଼ିଶାବାସୀଙ୍କୁ ସବୁବେଳେ ‘ସମାଜ’ ଜାଗ୍ରତ କରୁଥିଲା। ସତ୍ୟକୁ ପାଥେୟ କରି କୁଶାସନକୁ ଲୋକଲୋଚନକୁ ଆଣିବା ‘ସମାଜ’ର ବ୍ରତ। ପ୍ରତିଷ୍ଠାତାଙ୍କ ଏହି ଆଦର୍ଶକୁ ‘ସମାଜ’ ପାଥେୟ କରି ଆଗକୁ ବଢିଚାଲିଛି। ଦରିଦ୍ର, ନିଷ୍ପେଷିତଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ‘ସମାଜ’ ଏକ ବିରାଟ ପରମ୍ପରା ସୃଷ୍ଟି କରିଥିଲା। ସେ ଦୃଷ୍ଟିରୁ ସ୍ବାଧୀନତା ଆନ୍ଦୋଳନର ଶକ୍ତିଶାଳୀ ଅସ୍ତ୍ର ଭାବେ ‘ସମାଜ’କୁ ବିବେଚନା କରାଯାଏ ବୋଲି ସେ ପ୍ରକାଶ କରିଥିଲେ। ଗୋପବନ୍ଧୁଙ୍କ ସମ୍ପାଦନା ସମୟରେ ଏକ ଖବରକୁ ନେଇ ସେ କିଭଳି ବ୍ରିଟିଶ୍ ଶାସକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ ସେ ସଂକ୍ରାନ୍ତରେ ସେ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମ ନିରପେକ୍ଷ ଓ ସତ୍ୟ ଖବର ପ୍ରରିବେଷଣ ଉପରେ ଗୁରୁତ୍ବ ଦେଇଥିଲେ। ମିଥ୍ୟା ଓ କପୋଳକଳ୍ପିତ ଖବର ପରିବେଷଣ କେବଳ ସରକାର ନୁହେଁ, ଜନସାଧାରଣଙ୍କୁ ଭ୍ରମିତ କରିଥାଏ ବୋଲି ସେ କହିଥିଲେ। ଗଣମାଧ୍ୟମ ସବୁବେଳେ ଗଣମାନଙ୍କର ସ୍ବର ହେବା ଆବଶ୍ୟକ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କ ବକ୍ତବ୍ୟରେ କହିଥିଲେ।
ଉତ୍ସବରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ପରାମର୍ଶଦାତା ସୁବ୍ରତ ବାଗ୍ଚୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ୧୯୧୯ ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ସମୟରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଆଜି ଏକ ବହୁମୁଖୀ ମହାଦ୍ରୁମରେ ପରିଣତ ହୋଇଛି। ‘ସମାଜ’ ଲୋକଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି। କେବଳ ପ୍ରାକୃତିକ ବିପତ୍ତି ସମୟରେ ବିପନ୍ନଙ୍କ ନିକଟରେ ‘ସମାଜ’ ପହଞ୍ଚି ସହାୟତା ଦେଇଚାଲିଛି। ୧୦୪ ବର୍ଷର ଏହି ବିରାଟ ଅନୁଷ୍ଠାନର ଆନୁଷ୍ଠାନିକ ଇତିହାସର ଅବଲୋକନ କରାଯିବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଥିଲେ। ଉଚ୍ଚମାନର ଆନୁଷ୍ଠାନିକ ପ୍ରଥା ଓ ନିର୍ଭିକ ପ୍ରତିପାଦନ ସହ ଘାତ ପ୍ରତିଘାତର ମୁକାବିଲା ‘ସମାଜ’ କ୍ଷେତ୍ରରେ ଅନନ୍ୟ ଓ ଅଦ୍ବିତୀୟ। ସ୍ଥୂଳ, ବୌଦ୍ଧିକ, ଆବେଗ ଓ ଦୂରଦୃଷ୍ଟିରହିତ ‘ସମାଜ’ ଅନନ୍ୟ ଓ ଅଦ୍ବିତୀୟ ବୋଲି କହିଥିଲେ। ପରବର୍ତ୍ତୀ ପିଢ଼ି ପାଇଁ ଏହା ବତୀଖୁଣ୍ଟ ସଦୃଶ ରହିବ ବୋଲି ସେ ତାଙ୍କ ବକ୍ତବ୍ୟରେ ଆଶାପ୍ରକଟ କରିଥିଲେ। ମାନବୀୟ ଅଧିକାରକୁ ସର୍ବଦା ପ୍ରାଧାନ୍ୟ ଦେଇଥିବା କାରଣରୁ ‘ସମାଜ’ ଆଜି ରାଜ୍ୟର ମୁରବି ଶ୍ରେଣୀର ଅନୁଷ୍ଠାନର ମାନ୍ୟତା ହାସଲ କରିପାରିଛି ବୋଲି ସେ ଦର୍ଶାଇଥିଲେ। ୧୯୧୯ରେ ବିଦ୍ୟୁତ୍, ଗମନାଗମନ ସୁବିଧା ନଥିବାବେଳେ ଉତ୍କଳମଣିଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଆଜି ସମଗ୍ର ଦେଶରେ ଏକ ମହାନୁଷ୍ଠାନର ପରିଚୟ ପାଇବା କିଛି କମ୍ କଥା ନୁହେଁ ବୋଲି ଶ୍ରୀ ବାଗ୍ଚୀ ଦର୍ଶାଇଥିଲେ।
ପ୍ରାରମ୍ଭରେ ‘ସମାଜ’ ସମ୍ପାଦକ ପ୍ରମୋଦକୁମାର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ବିବରଣୀ ପାଠ କରି ‘ସମାଜ’ ପକ୍ଷରୁ ପ୍ରତିବର୍ଷ ଗ୍ରହଣ କରାଯାଇଥିବା ସେବାମୂଳକ କାର୍ଯ୍ୟର ଏକ ସୂକ୍ଷ୍ମ ସୂଚନା ଉପସ୍ଥାପନ କରିଥିଲେ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କୃତଜ୍ଞତା ଅର୍ପଣ ସମୟରେ ଆଜି ସନ୍ଧ୍ୟାର ଉଭୟ ଅତିଥି ନିଜ ନିଜ ପ୍ରତିଭାରେ କିଭଳି ପ୍ରତିଷ୍ଠିତ ସେ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ଅତିଥିଙ୍କଦ୍ବାରା ‘ସମାଜ’ର ବାର୍ଷିକ ବିଶେଷାଙ୍କ, ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ପୂଜା ସଂଖ୍ୟା ଓ ସୁସ୍ଥ ସାମ୍ବାଦିକତା ଆହ୍ବାନ ଶୀର୍ଷକ ଏକ ଲୋଗୋକୁ ଉନ୍ମୋଚନ କରାଯାଇଥିଲା। ସ୍ବନକ୍ଷତ୍ର ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଆକାଂକ୍ଷା ପାତ୍ର, ସ୍ବର୍ଣ୍ଣଦୀପା ସାହୁ, ପ୍ରତୀକ୍ଷା ଦାସ ଓ ବଂଶିକାପ୍ରିୟଦର୍ଶିନୀ ହୋତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଆୟୋଜିତ ଉତ୍ସବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ଦୀପକ ମାଲବ୍ୟ, ଆଜୀବନ ସଦସ୍ୟ ରାଜେନ୍ଦ୍ରକୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ୧୦ ଶ୍ରେଷ୍ଠ ବିତରକ, ବିଜ୍ଞାପନଦାତା ଓ ସମ୍ବାଦଦାତାଙ୍କୁ ପୁରସ୍କୃତ କରାଯାଇଥିଲା।
Comments are closed.