ତିନି ଆଇଏସ୍ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ସୋମବାର ୩ଜଣ ଇସଲାମିକ ଷ୍ଟେଟ (ଆଇଏସ୍) ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ୱାଣ୍ଟେଡ ତାଲିକାରେ ରହିଛନ୍ତି। ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ସାହାନୱାଜ ଓରଫ ସାଫି ଉଜ୍ଜାମା, ମହମ୍ମଦ ରିଜୱାନ ଓ ଅର୍ସଦ ୱାର୍ସି। ପୁଲିସ କହିବା ଅନୁଯାୟୀ ସାହାନୱାଜ ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା। ତାର ଗିରଫ ପାଇଁ ଏନଆଇଏ ୩ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ସାହାନୱାଜ ବୃତ୍ତିରେ ଜଣେ ମାଇନିଂ ଇଞ୍ଜିନିୟର। ଆଇଏସ୍ ଆତଙ୍କବାଦୀ ସଂଗଠନ ସହିତ ତାର ସମ୍ପର୍କ ରହିଛି। ଗତ ଜୁଲାଇରେ ସେ ପୁଣେ ପୁଲିସ ହେପାଜତରୁ ଖସିଆସି ଦିଲ୍ଲୀରେ ଲୁଚି ରହିଥିଲା। ସେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଶିବିର ପକାଇବା ପୂର୍ବକ ଯୁବକଙ୍କୁ ନିଯୁକ୍ତି ଦେବା ଲାଗି ପ୍ରବର୍ତ୍ତାଇଥିଲା। ସାହାନୱାଜକୁ ଦକ୍ଷିଣ-ପୂର୍ବ ଦିଲ୍ଲୀରୁ ଗିରଫ କରାଯାଇଥିବାବେଳେ ରିଜୱାନକୁ ଲକ୍ଷ୍ନୌ ଓ ଅର୍ସଦକୁ ମୁରାଦାବାଦରୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର କମିସନର ଏଚଜିଏସ୍ ଧଲିୱାଲ କହିଛନ୍ତି ଯେ ଇଣ୍ଡିଆନ ମୁଜାହିଦ୍ଦିନ ଓ ଆଇଏସ୍ କିଙ୍ଗପିନ ଉପରେ ପୁଲିସ ଦୀର୍ଘ ଦିନ ହେଲା ନଜର ରଖି ଆସିଛି। ଗିରଫ ତିନି ଆତଙ୍କବାଦୀଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ୭ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ଆଡ୍ଡାସ୍ଥଳ ଉପରେ ଚଢଉ ସମୟରେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ, ପିସ୍ତଲ, କାଗଜପତ୍ର ଆଦି ଜବତ କରାଯାଇଛି। ସାହାନୱାଜ ଗୁଜରାଟ ଅହମଦାବାଦର ବାସିନ୍ଦା। ସେ ବାସନ୍ତୀ ପଟେଲ ନାମକ ହିନ୍ଦୁ ଯୁବତୀକୁ ବିବାହ କରିଛି। ବିବାହ ପରେ ବାସନ୍ତୀକୁ ଇସଲାମ ଧର୍ମକୁ ଧର୍ମାନ୍ତର କରିବା ପୂର୍ବକ ତାର ନାମ ମରିୟମ୍ ରଖିଛି। ରିଜୱାନ ଅସ୍ରଫ ମଧ୍ୟ ଆଲିଗଡ ବିଶ୍ବବିଦ୍ୟାଳୟରୁ ବି-ଟେକ୍ ଡିଗ୍ରୀ କରିଛି। ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁ-କାଶ୍ମୀରର କୁପୱାଡ଼ା ଜିଲାରେ ନିରାପତ୍ତା ବାହିନୀ ଶନିବାର ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୀମାନ୍ତର ମଚିଲ ସେକ୍ଟର ଅନ୍ତର୍ଗତ କୁମକାଡ଼ି ଅଞ୍ଚଳରେ ଅନୁପ୍ରବେଶବେଳେ ସେମାନଙ୍କୁ ହତ୍ୟା କରାଯାଇଥିଲା। ମୃତ ଆତଙ୍କବାଦୀଙ୍କଠାରୁ ୨୧୦୦ ପାକିସ୍ତାନୀ ଟଙ୍କା, ଦୁଇଟି ଏକେ-୪୭, ୪ଟି ମାଗାଜିନ୍ ଓ ୯୦ରାଉଣ୍ଡ ଗୁଳି ସହ ଏକେ-୭୪ ରାଇଫଲ ୫କିଲୋ ଆଇଇଡି, ଗ୍ରେନେଡ ଆଦି ଜବତ କରାଯାଇଥିଲା।
Comments are closed.