ମଣିଷର ମାଟି ଓ ପ୍ରକୃତି ସହିତ ଅନାବିଳ ସମ୍ପର୍କର ସନ୍ତକ, ସମର୍ପଣ ଓ କୃତଜ୍ଞତାର ଗଣପର୍ବ ନୁଆଁଖାଇ

ରେଙ୍ଗାଲି: ସୃଷ୍ଟି ସର୍ଜନା କାଳରୁ ମାଟି ଏବଂ ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ ଓ ପ୍ରାଚୀନ। ପ୍ରକୃତିରୁ ଉତ୍ପାଦିତ ଶସ୍ୟ ଫଳମୂଳ ହିଁ ମଣିଷକୁ ବଞ୍ଚି ରହିବାର ଖୋରାକ୍‌‌ ଯୋଗାଇବା ସହିତ ଜୀବନ ଜୀବିକା ମଧ୍ୟ ଯୋଗାଇ ଥାଏ। ବେଦ ପୁରାଣ, ଉପନିଷଦ, କାବ୍ୟ କବିତା କହେ ଅନ୍ନ ହେଉଛି ସୃଷ୍ଟି ଓ ଜୀବଜଗତର ମୂଳ ଆଧାର ଏବଂ ପୂର୍ଣବ୍ରହ୍ମ ସ୍ୱରୂପ। ଅନ୍ନ ବିନା ଜୀବଜଗତ ତିଷ୍ଠି ରହିବା ସମ୍ପୂର୍ଣ ଅସମ୍ଭବ। ବେଦ, ପୁରାଣ ଏବଂ ଉପନିଷଦ ମାନଙ୍କରେ ଅନ୍ନର ମହିମା ବର୍ଣିତ ଅଛି। ଶ୍ରୀମଦ୍‌‌ ଭାଗବତରେ ଅତିବଡି ଜଗନ୍ନାଥ ଦାସ ଅନ୍ନର ମହିମା ବର୍ଣନା କରିବାକୁ ଯାଇ କହିଛନ୍ତି “ଅନ୍ନ ବିହୁନେ ଆୟୁଷ ହାନି ଯୋଗ ସାଧିବୁ କାହା ଘେନି”। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ଅନ୍ନ ଏକା ଅଟଇ ବିଶ୍ୱ ମୂଳାଧାର। ଅନ୍ନରେ ରହିଛି ଅଖିଳ ସଂସାର। ଅନ୍ନ ବିନା ଉଠେ ଜଗତେ ହାହାକାର, ଏକବାକ୍ୟ କର ହେ ଅନ୍ନର ଜୟକାର। ସ୍ୱରସ୍ୱତୀ ସର୍ଜନା କାଳରୁ ଅନ୍ନ ପୂଜାର ବିଧି ପ୍ରଚଳିତ ହୋଇ ଆସୁଛି। ଧରିତ୍ରି ମା କୋଳରୁ ଉତ୍ପାଦିତ ଅନ୍ନକୁ ଦେବୀ ଦେବତା ମାନଙ୍କ ନିକଟରେ ପ୍ରଥମେ ସମର୍ପଣ କରି କୃତଜ୍ଞତା ଜ୍ଞାପନ କରିବା ପରେ ନୂତନ ଅନ୍ନକୁ ସପରିବାର ଏକତ୍ର ବସି ପଂକ୍ତି ଭୋଜନ କରିବାର ପରମ୍ପରା ହେଉଛି ନୂଆଁଖାଇ।

ପ୍ରକୃତି ଓ ମାଟି ମଆ ପ୍ରତି କୃତଜ୍ଞତା ଓ ସମର୍ପଣ ଭାବ ହିିଁ ନୁଆଖାଇର ମୂଳମନ୍ତ୍ର। ନୁଆଁଖାଇ ସୃଷ୍ଟିର ଆଦ୍ୟ ଗଣପର୍ବ ବୋଲି କୁହାଯାଏ। ପଶ୍ଚିମ ଓଡ଼ିଶାରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ଦୁଃଖି ରଙ୍କି ଠାରୁ ଆରମ୍ଭ କରି ଧନବାନ୍‌‌ ଭେଦଭାବ ଭୂଲି ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରା ତଥା ମୈତ୍ରୀ ଭାବନା ସୃଷ୍ଟି କରୁଥିବା ଏହି ପର୍ବ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବାର ବାର୍ତ୍ତା ଦେବା ସହିତ ଶ୍ରଦ୍ଧା, ସମ୍ମାନ ଓ ବନ୍ଧୁତ୍ୱ ଭାବନାକୁ ସମୃଦ୍ଧ କରିଆସୁଛି। ଯିଏ ଯେତେ ଦୁରରେ ଥାଉ ନା କାହିିଁକି ନୁଆଁଖାଇର ଡାକରାରେ ନିଜ ଜନ୍ମମାଟିକୁ ଫେରି ଆସେ। ମଆ ମାଟିର ଆକର୍ଷଣ ଟାଣି ଆଣେ ଦୂରଦୂରାନ୍ତରେ ରହୁଥିବା ସେଇ ମାଟିର ସନ୍ତାନକୁ। ଏହା ହେଉଛି ଏହି ପର୍ବର ଏକ ସ୍ୱତନ୍ତ୍ର ଆକର୍ଷଣ ଓ ବୈଶିଷ୍ଟ। ନୁଅଁଖାଇ କୃଷି ଭିତ୍ତିକ ପର୍ବ ହୋଇଥିବାରୁ କୃଷି ଏବଂ କୃଷକମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ।

prayash

ଏହି ପର୍ବର କିଛିଦିନ ଆଗରୁ ଗାଁର ଝାଙ୍କର/ଦେହେରୀ ମାନେ ଗ୍ରାମ୍ୟଦେବୀଦେବତା ମାନଙ୍କ ପୀଠ ରେ ପୂଜା ଅର୍ଚ୍ଚନା କରି ନୁଆଁ ଧାନ ସମର୍ପଣ କରିବା ପରେ ଘରଘର ବୁଲି ନୁଆଁ ଧାନ କେଣ୍ଡା ଘରର ପ୍ରତ୍ୟେକ ଚୌକାଠରେ ଝୁଲାଇବାର ପରମ୍ପରା ଆଦ୍ୟ କାଳରୁ ରହି ଆସିଛି। ଏହାକୁ ଶିଶା ଚଢା ବୋଲି ଲୋକେ ଆଖ୍ୟାୟିତ କରାଯାଇଛି। ରେଙ୍ଗାଲି ବ୍ଲକର ରେଙ୍ଗଲୋଇ ଗ୍ରାମ ଝାଙ୍କର ଦିନବନ୍ଧୂ କଲୋ ଏବଂ ନିରଞ୍ଜନ କାଲୋ ନୁଆଁ ଧାନ ବାଣ୍ଟିବା କାମରେ ଗତ ୫ ଦିନ ହେଲା ବ୍ୟସ୍ତ ଅଛନ୍ତି। ଆମର ବାପା ଅଜା ତଥା ପୂର୍ବପୁରୁଷ ଅମଳରୁ ଉତ୍ତରାଧିକାରୀ କ୍ରମେ ଏହି ଶିଶା ଚଢାଇବା କାମ କରି ଆସୁଛନ୍ତି। ଆମେ ସେମାନଙ୍କ ଦାୟାଦ ରୂପେ ପରମ୍ପରାକୁ ବଜାୟ ରଖିଛୁ। ରେଙ୍ଗାଲୋଇ ମୌଜାର ସମସ୍ତ ଗାଁକୁ ଯାଇ ପ୍ରତ୍ୟେକ ଘରର ପ୍ରତ୍ୟେକ ଚୌକାଠରେ ନୂଆଁଧାନର ଶିଶା ଅର୍ଥାତ୍ର ଧାନ କେଣ୍ଡା ବାନ୍ଧିବାକୁ ପଡେ ବୋଲି କହନ୍ତି ଦିନବନ୍ଧୁ ଏବଂ ନିରଞ୍ଜନ କାଲୋ। ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ପରେ ଆମ ଦେଶର ଅନେକ ସାମାଜିକ ଚଳଣି, ରୀତିନୀତି, ସଂସ୍କୃତି ପ୍ରଭାବିତ ହୋଇ ବିସ୍ମୃତିର ଗର୍ଭରେ ବିଳିନ ହେବାର ଦ୍ୱାର ଦେଶରେ ଉପନୀତ ଥିବା ବେଳେ ନୁଅଁଖାଇରେ ଶିଶାଚଢା ଭଳି ପରମ୍ପରା ଗ୍ରାମାଞ୍ଚଳରେ ଏବେ ବି ବଞ୍ଚି ରହିଛି।

ଝାଙ୍କର ଶିଶା ଚଢାଇବା ପରେ ପ୍ରତ୍ୟେକ ଘରରୁ ଝାଙ୍କରକୁ ଅଢିଆ ଖର୍ଚ୍ଚା ଦିଆଯାଇଥାଏ। ଏହାପରେ ନୁଆଁଖାଇ ଦିନ ସକାଳୁ ଚାଷୀ ସ୍ନାନ ଶୌଚ ସାରି ଧାନ ବିଲକୁ କ୍ଷେତ ଚରୁ ଅର୍ଥାତ୍‌‌ ଚାଷ ଜମିରେ କ୍ଷୀର ଢାଳି ପୂଜା ଅର୍ଚ୍ଚନା କରିବାର ବିଧି ମଧ୍ୟ ଆଦ୍ୟ କାଳରୁ ଅଦ୍ୟାବଧି ପ୍ରଚଳିତ ଅଛି। ଯୁଗ ବଦଳି ଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହି ପ୍ରାଚୀନ ପରମ୍ପରା ବଜାୟ ରହିଛି। ନୁଆଁଖାଇ ପର୍ବରୁ ମିତ, ମହାପ୍ରସାଦ, ମକର ଆଦି ମୈତ୍ର ଘରକୁ ଚାଉଳ, ଡାଲି, ପନିପରିବା, ଘିଅ, ସୂଜି, ସିମେଇ ଆଦି ଅଢିଆ /ଖର୍ଚ୍ଚା ଆଦାନ ପ୍ରଦାନର ମଧ୍ୟ ଏକ ନିଆରା ପରମ୍ପରା ରହିଛି। ଧନୀ ଦରିଦ୍ର ଦୁଃଖୀ ରଙ୍କି ସମସ୍ତଙ୍କୁ ଏକତା ସୁ୍‌‌ତ୍ରରେ ବାନ୍ଧି ରଖିଥିବା ଏହି ଗଣପର୍ବ ପରସ୍ପର ମଧ୍ୟରେ ପୂର୍ବରୁ ରହିଥିବା ମନୋମାଳିନ୍ୟ, ମନାନ୍ତର, ଶତ୍ରୁତା ଦୂର କରିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ। ନୁଆଁଖାଇ ଗୁରୁଜନ ମାନଙ୍କୁ ସମ୍ମାନ ଓ ଶିଷ୍ଟାଚାର ଆଦାନ ପ୍ରଦାନର ପ୍ରାଚୀନ ଭାରତୀୟ ପରମ୍ପରାର ବାର୍ତ୍ତା ବହନ କରିଆସୁଛି। ଗାଁରୁ ଜନ୍ମ ନେଇଥିବା ଏହି ଗଣପର୍ବ ସହର ଏବଂ ନଗର ଏପରିକି ମହାନଗରକୁ ପହଞ୍ଚି ସାରିଲାଣି। ହାଇଟେକ୍‌‌ ସଂସ୍କୃତି ଅନୁପ୍ରବେଶ ସତ୍ତେ୍ୱ ନୂଆଁଖାଇ ପର୍ବ ତା’ର ସ୍ଥିତି ଏବଂ ସ୍ୱାତ୍ୟନ୍ତ୍ରତାକୁ ବହୁ ମାତ୍ରାରେ ବଜାୟ ରଖିଛି।

kalyan agarbati

Comments are closed.