ଜୈବ ଇନ୍ଧନ ମେଣ୍ଟର ଗୁରୁତ୍ବ
ଡ. ଜୟକୃଷ୍ଣ ପାଣିଗ୍ରାହୀ
ଭାରତୀୟ ଦର୍ଶନର ‘ବସୁଧୈବ କୁଟୁମ୍ବକମ୍’ ଆଦର୍ଶ ଉପରେ ପର୍ଯ୍ୟବସିତ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ପ୍ରସଙ୍ଗକୁ ଭିତ୍ତିକରି ଭାରତର ଅଧ୍ୟକ୍ଷତାରେ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଅଷ୍ଟାଦଶ ଜି-୨୦ ସମ୍ମିଳନୀର ସାମଗ୍ରିକ ସଫଳତା ନିଶ୍ଚିତ ରୂପେ ରାଷ୍ଟ୍ରର କୀର୍ତ୍ତିସାଧନ ଇତିହାସରେ ଏକ ନୂତନ ଫର୍ଦ ସୃଷ୍ଟି କରିଛି । ଆଫ୍ରିକୀୟ ସଙ୍ଘକୁ ଜି-୨୦ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରିବା ଏବଂ ପରିଶେଷରେ ଏକ ସର୍ବସମ୍ମତ ଘୋଷଣାନାମା ଜାରିହେବା ଦେଶ ନିମନ୍ତେ ଏକ ବିରଳ କୃତିତ୍ୱର ଅନ୍ତଃରାଷ୍ଟ୍ରୀୟ ସ୍ୱୀକୃତି କହିଲେ ଅତ୍ୟୁକ୍ତି ହେବନାହିଁ।
ଏହି ସମ୍ମିଳନୀ ଅବସରରେ ବିଶ୍ୱ ସ୍ତରୀୟ ନେତାମାନଙ୍କ ମଧ୍ୟରେ ବିବିଧ ପ୍ରସଙ୍ଗରେ ଆଲୋଚନା, ଚୁକ୍ତିନାମା ଏବଂ ଅନ୍ୟାନ୍ୟ ସହଯୋଗର ଉଦ୍ୟମ ଓ ସଫଳତା ହାସଲ ହୋଇଛି; କିନ୍ତୁ ସାମ୍ପ୍ରତିକ ସମୟରେ ସମଗ୍ର ଜୀବଜଗତ ନିମନ୍ତେ ପ୍ରମୁଖ ଆହ୍ୱାନକାରୀ ରୂପେ ପରିଗଣିତ ହେଉଥିବା ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଯେଉଁ ଏକ ଉଲ୍ଲେଖନୀୟ ପଦକ୍ଷେପ କାର୍ଯ୍ୟକାରୀ ହୋଇଛି, ତାହା ହେଉଛି ‘ଗ୍ଲୋବାଲ୍ବାୟୋଫିଉଲ୍ଏଲାଏନ୍ସ’ ବା ’ବିଶ୍ୱ ଜୈବ ଇନ୍ଧନ ମେଣ୍ଟ’ (ଜିବିଏ)ର ସଂସ୍ଥାପନ। ପ୍ରଥମ ଦିବସରେ ହିଁ ସମ୍ମିଳନୀରେ ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା, ଇଟାଲୀ, ସିଙ୍ଗାପୁର, ବାଂଲାଦେଶ, ମରିସସ୍ ଏବଂ ୟୁଏଇର ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ଏହି ମଞ୍ଚର ଶୁଭାରମ୍ଭ ବିଷୟରେ ଘୋଷଣା କରିଥିଲେ। ସମ୍ମିଳନୀର ଉଭୟ ଜି-୨୦ ସଦସ୍ୟ ଏବଂ ଅଣ-ସଦସ୍ୟ ରାଷ୍ଟ୍ର ସମେତ ସମୁଦାୟ ୧୯ଟି ଦେଶ ଏବଂ ୧୨ଟି ଅନ୍ତର୍ଜାତୀୟ ସଂଗଠନ ଏ ପର୍ଯ୍ୟନ୍ତ ଏହି ମିଳିତ ମେଣ୍ଟରେ ଯୋଗଦେବାର ସହମତି ପ୍ରକାଶ କରିଛନ୍ତି। ଭାରତ, ଆମେରିକା ଏବଂ ବ୍ରାଜିଲ ଏହି ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ରୂପେ ପରିଗଣିତ। ଜୈବ ଇନ୍ଧନର ନିରନ୍ତର ବ୍ୟବହାରକୁ ବ୍ୟାପକ କରିବା, ଏଥି ନିମନ୍ତେ ବୈଷୟିକ ଅଗ୍ରଗତିକୁ ସୁଗମ କରିବା, ଏହାର ଗୁଣବତ୍ତାର ମାନକକୁ ଉଚ୍ଚସ୍ତରକୁ ନେବା ଏବଂ ବହୁସଂଖ୍ୟକ ହିତାଧିକାରୀଙ୍କ ଅଂଶଗ୍ରହଣ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଜୈବ ଇନ୍ଧନର ବିଶ୍ୱସ୍ତରୀୟ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିବିଏ ଯୋଜନା ପ୍ରଣୟନ କରିଛି। ଏହା ଜ୍ଞାନର ଏକ କେନ୍ଦ୍ରୀୟ ଭଣ୍ଡାର ଏବଂ ଏକ ବିଶେଷଜ୍ଞମାନଙ୍କର ପେଣ୍ଠସ୍ଥଳୀ ଭାବରେ କାର୍ଯ୍ୟସମ୍ପାଦନ କରିବା ସହିତ ଜୈବଇନ୍ଧନର ଅଗ୍ରଗତି ଏବଂ ଅଧିକତର ବ୍ୟବହାର ନିମନ୍ତେ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରସାରିତ କରି ଏକ ପ୍ରୋତ୍ସାହନକାରୀ ପ୍ଲାଟଫର୍ମ ରୂପେ ଉଭା ହେବ ବୋଲି ଭାରତ ଆଶା ପୋଷଣ କରିଛି।
ତେବେ, ବିଭିନ୍ନ ଉଦ୍ଭିଦ ଉତ୍ସରୁ ପ୍ରସ୍ତୁତ ଜୈବ ଇନ୍ଧନର ବ୍ୟବହାରକୁ ଉଦୀୟମାନ ରାଷ୍ଟ୍ରମାନଙ୍କ ଅର୍ଥନୀତିରେ ଶକ୍ତି ଆବଶ୍ୟକତାର ପୂରଣ ନିମନ୍ତେ ବିନିଯୋଗ କରିବାର ପୃଷ୍ଠଭୂମିରେ ଥିବା କାରଣ ସବୁ ଏହି ଆଲୋଚନାର ପରିସର ମଧ୍ୟକୁ ଆସିବା ଆବଶ୍ୟକ। ବିଗତ ଦୁଇ ଶତାବ୍ଦୀ ମଧ୍ୟରେ, ବିଶେଷତଃ ୧୯୫୦ ଦଶକରୁ ଜନସଂଖ୍ୟାର ବିସ୍ଫୋରଣ, ଅର୍ଥନୈତିକ ପ୍ରଗତି ଏବଂ ବୈଷୟିକ ଅଗ୍ରଗତି କାରଣରୁ ଶକ୍ତି ବ୍ୟବହାରରେ ଦ୍ରୁତ ବୃଦ୍ଧି ଘଟି ଚାଲିଛି। ଶକ୍ତି ଉପଲବ୍ଧିର ପ୍ରମୁଖ ଉତ୍ସ ହେଉଛି କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପପରି ଜୀବାଶ୍ମ ଇନ୍ଧନ, ଯାହାର ଦହନରେ ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜ ଗୃହ ବାଷ୍ପ (ଗ୍ରୀନ ହାଉସ ଗ୍ୟାସ୍) ଏବଂ ଅନ୍ୟାନ୍ୟ ପ୍ରଦୂଷକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ଏକ ତଥ୍ୟରୁ ପ୍ରକାଶ ଯେ ଶକ୍ତି ଉତ୍ପାଦନର ସମସ୍ତ ପ୍ରକାର ଉତ୍ସ ସମଗ୍ର ସବୁଜ ଗୃହ ବାଷ୍ପ ନିର୍ଗମନର ୭୨ଶତାଂଶ ନିମନ୍ତେ ଦାୟୀ ଅଟନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ଏହିସବୁ ସବୁଜ ଗୃହ ବାଷ୍ପ ବାୟୁମଣ୍ଡଳରେ ଜମି ରହି ଉତ୍ତାପକୁ ଶୋଷଣ କରନ୍ତି ଏବଂ ସେମାନଙ୍କର ପରିମାଣରେ ବୃଦ୍ଧି ଘଟୁଥିବାରୁ ଏହାର ପ୍ରଭାବରେ ପୃଥିବୀର ତାପମାତ୍ରା ମଧ୍ୟ କ୍ରମଶଃ ବୃଦ୍ଧିପ୍ରାପ୍ତ ହୋଇଚାଲିଛି। ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟରତ ଆନ୍ତଃ ସରକାରୀ ଗୋଷ୍ଠୀ ମାନବ ଜାତିକୁ ସତର୍କିତ କରିଛି ଯେ ଜୀବାଶ୍ମ ଇନ୍ଧନର ବ୍ୟବହାର ଅପରିବର୍ତ୍ତିତ ରହିଲେ ଚଳିତ ଶତାବ୍ଦୀ ସମାପ୍ତି ବେଳକୁ ବିଶ୍ୱ ତାପମାତ୍ରାରେ ହୁଏତ ୪-୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିପାରେ। ଏପରି ବିଶ୍ୱତାପନର ପ୍ରଭାବରେ ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଘଟି ସମ୍ପ୍ରତି ପୃଥିବୀର କୋଣାନୁକୋଣରେ ବହୁବିଧ ପ୍ରାକୃତିକ ବିପର୍ୟ୍ୟୟ ସଂଘଟିତ ହେଉଛି, ଯାହା ସାମ୍ପ୍ରତିକ ସମୟରେ ମାନବଜାତି ତଥା ସମଗ୍ର ଜୀବଜଗତ ସମ୍ମୁଖରେ ଏକ ବିଶାଳ ଆହ୍ୱାନ ରୂପେ ଉଭା ହୋଇଛି। ବିଶ୍ୱସ୍ତରରେ ସବୁଜ ଗୃହ ବାଷ୍ପ ଯେଉଁ ସବୁ ମୂଳ ଉତ୍ସରୁ ଉତ୍ସର୍ଜନ ହେଉଛି, ସେସବୁର ମୁଖ୍ୟ ନିର୍ଗମନ କ୍ଷେତ୍ର ହେଉଛି ବିଦ୍ୟୁତ୍ ଏବଂ ଉତ୍ତାପ (୩୧%), ପରିବହନ (୧୫ %), ସାମଗ୍ରୀ ଉତ୍ପାଦନ (୧୨%), କୃଷି (୧୧%) ଏବଂ ଜଙ୍ଗଲ (୬%) କ୍ଷେତ୍ର ଓ ଏପରି ପୃଷ୍ଠଭୂମିରେ ପାରମ୍ପରିକ ଜୀବାଶ୍ମ ଇନ୍ଧନ ସବୁର ବ୍ୟବହାରକୁ ଯଥାସମ୍ଭବ ସଂକୁଚିତ କରି ବିକଳ୍ପ ଅଣପାରମ୍ପରିକ, ସ୍ୱଚ୍ଛ, ଅକ୍ଷୟଶକ୍ତିର ଉତ୍ସକୁ ଅଧିକତର ବିନିଯୋଗ ନିମନ୍ତେ ବିଶ୍ୱସ୍ତରରେ ଗୁରୁତ୍ୱ ଆରୋପ କରାଯାଉଛି। ଅନ୍ୟଥା, ଜଳବାୟୁ ପରିବର୍ତ୍ତନ ଜୀବଜଗତକୁ ଧ୍ୱଂସାଭିମୁଖୀ କରିବା ନିଃସନ୍ଦେହ।
ସମ୍ପ୍ରତି ଯେଉଁସବୁ ପ୍ରମୁଖ ଅକ୍ଷୟଶକ୍ତିର ଉତ୍ସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି, ସେଥିରେ ଅନ୍ତର୍ଭୁକ୍ତ ରହିଛି ସୂର୍ଯ୍ୟାଲୋକ, ଜଳ, ପବନ, ଜୁଆର, ଭୂଗର୍ଭ ଉତ୍ତାପ, ଜୈବିକ ବସ୍ତୁ, ଉଦ୍ଜାନ, ନାଭିକୀୟ ଉତ୍ସ ଇତ୍ୟାଦି। ଜୀବାଶ୍ମ ଇନ୍ଧନ ଉତ୍ସଗୁଡ଼ିକ ପ୍ରଦୂଷଣକାରୀ ଏବଂ କ୍ରମେ ନିଃଶେଷ ହୋଇ ଆସୁଥିଲାବେଳେ ଅକ୍ଷୟଶକ୍ତିର ଉତ୍ସ ସବୁ ନବୀକରଣ ଯୋଗ୍ୟ ଏବଂ ସବୁଜ ଗୃହ ବାଷ୍ପ ନିର୍ଗମନ ବାୟୁ ପ୍ରଦୂଷଣରେ ଭୂମିକା ରଖନ୍ତି ନାହିଁ। ଏହି ଦୃଷ୍ଟିରୁ ସ୍ୱଚ୍ଛ ଶକ୍ତି ଉତ୍ସର ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦିଆଯିବା ସହ ଏପରି ନୂତନ ଶକ୍ତି କ୍ଷେତ୍ର ସଂକ୍ରାନ୍ତ ପ୍ରଯୁକ୍ତିର ଦକ୍ଷତାରେ ଅଧିକ ଉନ୍ନତିସାଧନ ନିମନ୍ତେ ବୈଜ୍ଞାନିକ ଗବେଷଣା ଜାରି ରହିଛି। ଜଳ ବିଦ୍ୟୁତ୍ଶକ୍ତି ବ୍ୟତିରେକ ସୌରଶକ୍ତି, ପବନଶକ୍ତି ଏବଂ ଜୈବିକଶକ୍ତି କ୍ରମଶଃ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ଜାତିସଙ୍ଘର ୨୦୧୫ ପ୍ୟାରିସ ଜଳବାୟୁ ସମ୍ମିଳନୀ ଅବସରରେ ଭାରତ ଓ ଫ୍ରାନ୍ସର ସମ୍ମିଳିତ ପ୍ରୟାସରେ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ ଏବଂ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ‘ଅନ୍ତର୍ଜାତୀୟ ସୌରମେଣ୍ଟ’ ପ୍ରତିଷ୍ଠାଲାଭ କରିଥିଲା, ଯେଉଁଥିରେ ସମ୍ପ୍ରତି ୧୨୦ରୁ ଅଧିକ ସ୍ବାକ୍ଷରକାରୀ ସଦସ୍ୟ ରାଷ୍ଟ୍ର ଅନ୍ତର୍ଭୁକ୍ତ ଅଛନ୍ତି। ସମ୍ପ୍ରତି ଜି-୨୦ ସମ୍ମିଳନୀ ଅବସରରେ ନୂତନ ଭାବେ ଗଠିତ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମଧ୍ୟ ଆଗାମୀ ଦିନରେ ଜୈବିକ ଉତ୍ସରୁ ଅଧିକ ବିକଳ୍ପ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ନିମନ୍ତେ ଉଦ୍ୟମ କରି ପେଟ୍ରୋଲ ଓ ଡ଼ିଜେଲ ଉପରେ ନିର୍ଭରଶୀଳତା ହ୍ରାସ ଘଟାଇ ଊର୍ଜା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବ। ନୂତନଶକ୍ତି କ୍ଷେତ୍ରର ପ୍ରସାରଣ ଦ୍ୱାରା ଶକ୍ତିସଙ୍କଟ ଦୂରହେବା ସହ ନୂତନ ସବୁଜ ନିଯୁକ୍ତିର ଦ୍ୱାର ଉନ୍ମୁକ୍ତହେବ । ମେଣ୍ଟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନର ଆଦାନପ୍ରଦାନ ହୋଇ ସେମାନେ କ୍ରମଶଃ ଆତ୍ମନିର୍ଭରଶୀଳ ପଥରେ ଅଗ୍ରସର ହେବେ।
ଉଦ୍ଘାଟନୀ ଉତ୍ସବ ଅବସରରେ ଜିବିଏରେ ଯୋଗଦାନ କରିଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ଯେ ଏହି ମେଣ୍ଟର ସ୍ଥାପନ ଆମର ନିରନ୍ତରତା ଏବଂ ନିର୍ମଳ ଶକ୍ତି ଅନୁସନ୍ଧାନ ଦିଗରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତକୁ ସୂଚିତ କରେ। ଜି-୨୦ ଘୋଷଣାନାମାରେ ମଧ୍ୟ ଆମର ଶୂନ୍ୟ ଏବଂ ନିମ୍ନ-ନିର୍ଗମନ ବିକାଶ କୌଶଳରେ ନିରନ୍ତର ଜୈବ ଇନ୍ଧନର ଗୁରୁତ୍ୱକୁ ସ୍ୱୀକୃତି ଏବଂ ବିଶ୍ୱ ଜୈବ ଇନ୍ଧନ ମଞ୍ଚର ସ୍ଥାପନାକୁ ପ୍ରାଧାନ୍ୟ ପ୍ରଦାନ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏଚ୍ଏସ୍ପୁରୀ ଆଶାପ୍ରକାଶ କରିଛନ୍ତି ଯେ ଏହି ମେଣ୍ଟ ମାଧ୍ୟମରେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୱେଷଣ ଐତିହାସିକ ପ୍ରଗତି ହାସଲ କରିବ ଏବଂ ଭାରତୀୟ ଉଦ୍ୟୋଗ ଜଗତ ଏହା ସଂକ୍ରାନ୍ତ ପ୍ରଯୁକ୍ତିବିଦ୍ୟା ଅନ୍ୟ ଦେଶମାନଙ୍କୁ ପ୍ରଦାନ କରି ଲାଭାନ୍ବିତ ହେବ। ଜୈବ ଇନ୍ଧନର ଉତ୍ପାଦନ ମୁଖ୍ୟତଃ ଜୈବ ଇଥାନଲ ପାଇଁ ମକା, ଆଖୁ ଏବଂ ଜୈବ ଡିଜେଲ ପାଇଁ ଉଦ୍ଭିଦ ଜାତ ତୈଳ ପରି ପ୍ରଥମ ପିଢ଼ିର କଞ୍ଚାମାଲ ଉପରେ ନିର୍ଭରଶୀଳ ରହିବ ବୋଲି ପୂର୍ବାନୁମାନ କରାଯାଏ। ଏକ ଇନ୍ଧନ ରୂପେ ଜୈବ ଇଥାନଲର ବୈଶ୍ବିକ ବଜାର ଆକାର ୨୦୨୨ରେ ୫୩.୦୫ ବିଲିୟନ ଡ଼ଲାର ଥିଲାବେଳେ ଏହା ୭.୮ହାରରେ ବୃଦ୍ଧିପାଇ ୨୦୩୨ ବେଳକୁ ୧୧୨.୪୩ ବିଲିୟନ ଡ଼ଲାରରେ ପହଞ୍ଚିବାର ସମ୍ଭାବନା ରହିଛି। (ସ୍ଫେରିକାଲ୍ ଇନ୍ସାଇଟ୍ସ ଅନୁଯାୟୀ) ଓ ଅକ୍ଷୟଶକ୍ତି କ୍ଷେତ୍ରରେ ଏପରି ସକାରାତ୍ମକ ଅଗ୍ରଗତି ଶକ୍ତି ଉତ୍ପାଦନ କ୍ଷେତ୍ରରୁ ସୃଷ୍ଟ ସବୁଜ ଗୃହ ବାଷ୍ପ ନିର୍ଗମନରେ ହ୍ରାସ ଘଟାଇବା ସହ ବିଶ୍ୱାତାପମାତ୍ରା ବୃଦ୍ଧିକୁ ୧.୫ଡ଼ିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବାର ପ୍ୟାରିସ୍ ଚୁକ୍ତିନାମାର ଈପ୍ସିତ ଲକ୍ଷ୍ୟ ହାସଲରେ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଏ ।
ବିଗତ ଦୁଇ ଦଶନ୍ଧି ମଧ୍ୟରେ ଜୈବ ଇନ୍ଧନ ବିକାଶ ଏବଂ ଉତ୍ପାଦନରେ ବିପୁଳ ପୁଞ୍ଜି ବିନିଯୋଗ ହୋଇଛି। ମୁଖ୍ୟତଃ ଚାରି ପ୍ରକାରର ତରଳ ଜୈବଇନ୍ଧନ ଏବେ ଉପଲବ୍ଧ ରହିଛି – ଜୈବ ଇଥାନଲ୍, ଜୈବ ଡିଜେଲ୍,ପାଇରୋଲିସିସ୍ ପ୍ରକ୍ରିୟାରୁ ଲବ୍ଧ ଜୈବ-ତେଲ ଏବଂ ଡ୍ରପ୍-ଇନ୍ବା ସବୁଜ ପରିବହନ ଇନ୍ଧନ ଓ ଜୈବ ଇଥାନଲ୍ ବିଭିନ୍ନ ଉଦ୍ଭିଦ ଉତ୍ସରୁ, ଯେପରି କି ମକା, ଆଖୁ, ମିଠା ସୋରଗମ୍ ଏବଂ ଲିଗ୍ନିନ୍-ସେଲୁଲୋଜି ଭିତ୍ତିକ ଜୈବବସ୍ତୁରେ ଥିବା ଚିନି କିମ୍ବା ଷ୍ଟାର୍ଚ ପରି ଶ୍ୱେତସାରରୁ ଅଣୁଜୀବୀୟ ପଚନ (ଫରମେଣ୍ଟେସନ୍) ପ୍ରକ୍ରିୟାରେ ମୁଖ୍ୟତଃ ଉତ୍ପାଦିତ ହୋଇଥାଏ। ସେହିପରି, ବାଇଗବା (ଜାଟ୍ରୋଫା) ମଞ୍ଜି ପରି ତୈଳ ମଞ୍ଜି ଏବଂ ପଶୁ ଚର୍ବିରୁ ଜୈବ ଡିଜେଲ୍ ପ୍ରସ୍ତୁତ ହୁଏ। ଭାରତରେ ପେଟ୍ରୋଲରେ ହାରାହାରି ୧୦% ଇଥାନଲସୁରାର ମିଶ୍ରଣ ୨୦୨୨ରେ ହାସଲ ହୋଇ ସାରିଛି ଏବଂ ଧାର୍ଯ୍ୟଲକ୍ଷ୍ୟ ରହିଛି ୨୦୨୫ ସୁଦ୍ଧା ଏହା ୨୦% ମିଶ୍ରଣରେ ଉପନୀତ ହେବ; ତଦନୁଯାୟୀ ଗାଡ଼ି ବିନିର୍ମାଣ ସମୟରେ ଇଞ୍ଜିନରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବ। ଇଥାନଲ ଉତ୍ପାଦନ ପାଇଁ ମକାପରି ସ୍ୱଳ୍ପ ଜଳ ଆବଶ୍ୟକକାରୀ ଫସଲର ଉତ୍ପାଦନକୁ ଏବଂ ଅଣ-ଖାଦ୍ୟ ଉଦ୍ଭିଦଜାତ କଞ୍ଚାମାଲରୁ ମଧ୍ୟ ଏହାର ଉତ୍ପାଦନ ପାଇଁ ପ୍ରଯୁକ୍ତିବିଦ୍ୟା ବିକାଶକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଜୈବ ଇନ୍ଧନ ଉତ୍ପାଦନ ନିମନ୍ତେ ଉଦ୍ଭିଦରୁ ପ୍ରସ୍ତୁତ ତୈଳର ବ୍ୟବହାର ୨୦୨୨-୨୦୨୭ ମଧ୍ୟରେ ୪୬% ବୃଦ୍ଧିପାଇ ୫୪ ନିୟୁତ ଟନ୍ରେ ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା ଆଶାପୋଷଣ କରିଛି। ଆଗାମୀ ସମୟରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା, ପରିବେଶର ଗୁଣବତ୍ତାରେ ବୃଦ୍ଧି ଘଟାଇବା ଏବଂ ପ୍ରାକୃତିକ ଉତ୍ସରୁ ସ୍ୱଚ୍ଛ ଜୈବ ଇନ୍ଧନର ଉତ୍ପାଦନ ମାଧ୍ୟମରେ ଶକ୍ତି ଅବଶ୍ୟକତାର ପୂରଣ କରିବା ଦିଗରେ ଜିବିଏ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଏ ।
Comments are closed.