ବୌଦ୍ଧ ଜିଲାର ନିଆରା ପରମ୍ପରା-ପୁରା ଉଆଁସ ଓ ଲଙ୍କାପୋଡି
ବୌଦ୍ଧ : ଆଜି ହେଲା ସପ୍ତପୁରୀ ଅମାବାସ୍ୟା। ଏହି ପାରମ୍ପରିକ ପର୍ବକୁ ନେଇ ବୌଦ୍ଧ ଜିଲାର ସମସ୍ତ ଗ୍ରାମ ଗୁଡିକ ଚଳ ଚଞ୍ଚଳ ହୋଇପଡିଛି। ବୌଦ୍ଧ ଜିଲାରେ ସପ୍ତପୁରୀ ଅମାବାସ୍ୟା କୁ ପୂରା ଉଆଁସ ଭାବେ ପାଳନ କରାଯାଇଥାଏ। ପ୍ରତ୍ୟେକ ଗ୍ରାମରେ ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ଆରମ୍ଭ ହୋଇଥାଏ ଏହି ପର୍ବ। ଅପରାହ୍ନରେ ଛୋଟଛୋଟ ପୁଅ ପିଲାମାନେ କାଠ, ମାଟି ତିଆରି ହାତୀ, ଘୋଡ଼ା,ମାଙ୍କଡ ଓ ଷଣ୍ଡ ଆଦିକୁ ଫୁଲ , ସିନ୍ଦୁର ଦେଇ ସଜ୍ଜିତ କରି ଖେଳିବାକୁ ବାହାରିଥାନ୍ତି। ଗ୍ରାମର ମନ୍ଦିର ପ୍ରାଙ୍ଗଣରେ କିମ୍ବା ବିଦ୍ୟାଳୟ ପରିସରରେ ଏହି ଖେଳ ଜମିଥାଏ । ପିଲାମାନେ ନିଜ ନିଜ ହାତୀ ଘୋଡ଼ା ମଧ୍ୟରେ ଲଢ଼େଇ କରାନ୍ତି । ପିଲାମାନେ କୁନିକୁନି ଝିଅମାନଙ୍କ ଠାରୁ ନିଜ ହାତୀ ଘୋଡ଼ା ପାଇଁ ଖାଦ୍ୟ ମାଗିଥାଆନ୍ତି । ଏପଟେ କୁନିକୁନି ଝିଅମାନେ ହାତରେ ଚାଙ୍ଗୁଡି ଓ କୂଲା ଧରି ଛୋଟ ଛୋଟ ମାଟି ନିର୍ମିତ ପାତ୍ରରେ ବିଭିନ୍ନ ଖାଦ୍ୟଶସ୍ୟ ଯଥା ମକା, ଶିମ୍ବ, ମୁଗ, କୋଳଥ, ଲିଆ, ସାତ ପ୍ରକାର ଚଣା ଧରି ସେଠାରେ ଏକତ୍ରିତ ହୋଇଥାଆନ୍ତି । ନିଜନିଜ ମଧ୍ୟରେ ଏହି ଖାଦ୍ୟକୁ ଆଦାନ ପ୍ରଦାନ କରିବା ସହ ପିଲାମାନଙ୍କୁ ବାଣ୍ଟିଥାଆନ୍ତି। ଏହି ନିଆରା ପରମ୍ପରା କୁଶାଣ ରାଜତ୍ୱ ସମୟରୁ ପାଳିତ ହୋଇଆସୁଥିବାର କୁହାଯାଏ। ଏହି ପର୍ବ ପାଳନ ମାଧ୍ୟମରେ ପିଲାମାନଙ୍କୁ ଯୁଦ୍ଧ ଓ ଝିଅମାନଙ୍କୁ ଘରକରଣାର ଶିକ୍ଷା ଦିଆଯାଉଥିଲା। ଏହି ପରମ୍ପରା ଭାଇ ଚାରର ବାର୍ତ୍ତା ଦେବା ସହ ମିଳିମିଶି ଚଳିବାକୁ ଶିକ୍ଷା ଦେଇଥାଏ। ସନ୍ଧ୍ୟା ସମୟରେ ପିଲା ମାନେ ହନୁମାନ ମୂର୍ତ୍ତିର ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କାପୋଡ଼ି ଉତ୍ସବ ପାଳନ କରିଥାନ୍ତି। ମନମୁଣ୍ଡା ଠାରେ ମଧ୍ୟ ଧୁମଧାମରେ ଲଙ୍କାପୋଡ଼ି ଉତ୍ସବ ପାଳନ କରାଯାଇଛି।
ବୌଦ୍ଧର ଇଷ୍ଟଦେବୀ ମାଁ ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ପାରମ୍ପରିକ ରୀତିନୀତି ସହ ସ୍ୱତନ୍ତ୍ର ପୂଜା ଗୁରୁବାର ଦିନ ଗୋଟାଏ ସମୟରେ ଅନୁଷ୍ଠିତ ହୋଇଅଛି । ପାରମ୍ପରିକ ରୀତିନୀତି ସହ ସକାଳର ନିତିକାନ୍ତି ସରିବା ପରେ ମା’ ଭୈରବୀଙ୍କ ବେଶ କରାଯାଇଥିଲା। ମା’ ଭୈରବୀଙ୍କ ଠାରେ ପୀଠା ଭୋଗ ସହ ନୂତନ ଶସ୍ୟ ଲାଗି କରାଯାଇଥିଲା। ମୁଖ୍ୟ ସେବାୟତ ଗୌରି ଶଙ୍କର ବଡମାଳି, ପାଳିଆ ସେବାୟତ ହରିହର ବଡମାଳି ଙ୍କ ସମତେ ଅନ୍ୟମାନେ ସମସ୍ତ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ।
Comments are closed.