ଘଣ୍ଟେଶ୍ୱର ଫାଣ୍ଡିରେ ନୂତନ ଅଧିକାରୀଙ୍କ ନିଯୁକ୍ତି କେବେ ?
ଧାମରା: ବାଂଶଡ଼ା ଥାନା ଅଧିନରେ ଥିବା ଘଣ୍ଟେଶ୍ୱର ଫାଣ୍ଡିରେ ନୂତନ ଅଧିକାରୀଙ୍କୁ କେବେ ନିଯୁକ୍ତି ମିଳିବ ସେ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଚିଠି ଅନୁଯାୟୀ ଗତ ୨୬ତାରିଖରେ ଭଦ୍ରକ ଜିଲ୍ଲାର ୨୧ଜଣ ଇନ୍ସପେକ୍ଟର ଏବଂ ୨ଜଣ ସବ ଇନ୍ସପେକ୍ଟରଙ୍କ ବଦଳି କରାଯାଇଥିଲା। ଏହି ପତ୍ର ସଂଖ୍ୟା ୧୫୪୪ ଅନୁଯାୟୀ ସମସ୍ତ ଅଧିକାରୀ ବଦଳି ହୋଇଯାଇ ନୂତନ ସ୍ଥାନରେ ନିଯୁକ୍ତି ପାଇଥିବା ବେଳେ ଘଣ୍ଟେଶ୍ୱର ଫାଣ୍ଡିରେ କାହାକୁ ନୂତନ ଭାବେ ନିଯୁକ୍ତି ଦିଆଯାଇଛି ତାହା ଉଲ୍ଲେଖ ହୋଇ ନଥିଲା। ଫଳରେ ଘଣ୍ଟେଶ୍ୱର ଫାଣ୍ଡିରେ ଥିବା ଫାଣ୍ଡି ଅଧିକାରୀ ତତ୍କ୍ଷଣାତ ନିଜର ଦାୟିତ୍ୱ ବାଂଶଡା ଥାନାଧିକାରୀଙ୍କୁ ଦେଇ ନିଜର ନୂତନ ଗନ୍ତବ୍ୟ ସ୍ଥାନକୁ ପଳାଇଗଲେ। ଦୀର୍ଘ ଦିନ ହେବ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀଙ୍କ ପଦବୀ ଫାଙ୍କା ପଡ଼ିଛି।
ଉଲ୍ଲେଖଯୋଗ୍ୟ, ଘଣ୍ଟେଶ୍ୱର ଫାଣ୍ଡି ଅଧିନରେ ଗୋପିନାଥପୁର, ବଜରାପୁର, ତୋଟାପଡ଼ା ଏବଂ ଖଦାଳପୋଖରୀ ଏହିପରି ୪ଟି ପଞ୍ଚାୟତ ଅଛି। ଏହି ପଞ୍ଚାୟତଗୁଡ଼ିକରେ ସବୁ ସମୟରେ ରାଜନୈତିକ ଶତୃତା ଦିନକୁ ଦିନ ବଢ଼ି ବଢ଼ି ଚାଲୁଥିବା ବେଳେ ଘଣ୍ଟେଶ୍ୱର ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ ନିହାତି ଅପରିହାର୍ଯ୍ୟ ହୋଇ ପଡ଼ିଛି। ସରକାରଙ୍କ ନୂତନ ନିୟମାନୁଯାୟୀ ପ୍ରତି ଫାଣ୍ଡିରେ ସବଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦେବାର ନିୟମ ଥିବା ବେଳେ ଆଜି ପର୍ଯ୍ୟନ୍ତ ଘଣ୍ଟେଶ୍ୱର ଫାଣ୍ଡିରେ ସରକାରଙ୍କ ଧାର୍ଯ୍ୟ ନିୟମାନୁଯାୟୀ କୌଣସି ସବଇନ୍ସପେକ୍ଟରଙ୍କୁ ନିଯୁକ୍ତି ମିଳି ପାରିନାହିଁ। ଫଳରେ ଏହି ପଦବୀରେ ସହକାରୀ ସବ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ସଠିକ ସମୟରେ ସଂପୃକ୍ତ ଅଧିକାରୀ କଠିନ ପରିସ୍ଥିତିକୁ ମୁକାବିଲା କରିବା କଷ୍ଟକର ବ୍ୟାପାର ହୋଇପଡୁଛି। ତେଣୂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ପୂର୍ବରୁ ତୁରନ୍ତ ଘଂଟେଶ୍ୱର ଫାଣ୍ଡିରେ ଜଣେ ସବଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦେବାକୁ ସର୍ବାସାଧାରଣରେ ଦାବୀ ହୋଇଛି।
Comments are closed.