ରେଙ୍ଗାଲିକ୍ୟାମ୍ପ: ଅତାବିରା ସରସ୍ଵତୀ କଲ୍ୟାଣ ମଣ୍ଡପ ଠାରେ ଆଜି ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୯୫ ମସିହାର ମାଟ୍ରିକ ଛାତ୍ରଙ୍କ ଦ୍ଵାରା ମହା ଆଡ଼ମ୍ବରରେ ତଥା ଆନ୍ତରିକ ସମ୍ମାନ ସହକାରେ ଗୁରୁପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୮ ବର୍ଷ ପରେ ବି ଗୁରୁଙ୍କ ପ୍ରତି ଶିଷ୍ୟ ମନରେ ଅତୁଟ ଭକ୍ତିର ନିଆରା ଝଲକ୍ ଆଜି ଏହି ଗୁରୁପୁଜନ କାର୍ୟ୍ୟକ୍ରମରେ ଦେଖିବାକୁ ମିଳିଥିଲା।
ଆଜି ଛାତ୍ର ମାନଙ୍କ ଦ୍ଵାରା ଏହି ଗୁରୁ ପୂଜନ କାର୍ୟ୍ୟକ୍ରମରେ ପ୍ରଥମେ ଛାତ୍ର ମାନେ ନିଜର ସମସ୍ତ ଗୁରୁଙ୍କୁ ସାଦରେ ନିମନ୍ତ୍ରଣ କରି ଝୋଟି କଳସ ଓ ଦୀପ ସ୍ଥାପନ କରି ପାଦ ଧୌତ କରି ଫୁଲ ଚନ୍ଦନ ଦେଇ ଆସନ ରେ ଉପବେଶନ କରାଇଥିଲେ। ଛାତ୍ର ମନୋଜ ବରେଇଙ୍କ ପରିଚାଳନା କ୍ରମେ ଗୁରୁ ସମ୍ମାନ ଉତ୍ସବରେ ଉପଢୌକନ ଦେଇ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ସମସ୍ତ ଛାତ୍ର ମାନେ। ଏହା ପରେ ଦିବଂଗତ ଗୁରୁ ତଥା ସହପାଠୀ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।ସମସ୍ତ ଛାତ୍ର ମାନେ ସାମୁହିକ ଭାବରେ ଗୁରୁ ବନ୍ଦନା ଓ ପ୍ରାର୍ଥନା କରି ପୁଣି ଥରେ ଛାତ୍ର ଜୀବନର ଅନୁଭୂତିକୁ ଜୀବନ୍ତ କରିଥିଲେ। ଏଥିରେ ଅବସରପ୍ରାପ୍ତ ଗୁରୁ ସୂର୍ୟ୍ୟ କୁମାର ଭୋଇ, ଶିବା ଶଙ୍କର ଦାଶ, ଦୁର୍ୟ୍ୟୋଧନ ପ୍ରଧାନ,ଋଷୁଭ ସାହୁ, ଭୋଜରକ୍ଷଜ ସ୍ୱାଇଁ, ଭରତ ସାହୁ, ଶିକ୍ଷୟିତ୍ରୀ ଜାନକୀ ବଣିଆ ଓ ବର୍ତ୍ତମାନ କାର୍ୟ୍ୟରତ ହିମାଂଶୁ ଶେଖର ସାହୁ ପ୍ରମୁଖ ଗୁରୁ ମାନେ ନିମନ୍ତ୍ରିତ ହୋଇ ମଞ୍ଚାସିନ ଥିଲେ। ଛାତ୍ରଛାତ୍ରୀମାନେ ୨୪ କ୍ୟାରେଟ ସୁନାରେ ନିର୍ମିତ ମା ସରସ୍ଵତୀଙ୍କ ମନ୍ତ୍ର ସହ ଫ୍ରେମ୍ ଫଟୋ ଓ ଗୋଟିଏ ଲେଖାଏଁ ରୌପ୍ୟ ନିର୍ମିତ କଲମ ସମସ୍ତ ଗୁରୁଙ୍କୁ ଉପହାର ପ୍ରଦାନ କରି ଭକ୍ତିପୂତ ଭାବରେ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଥିଲେ।



