୧୨ ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ

ଢେଙ୍କାନାଳ ସଦର: ୧୨ ଦଫା ଦାବି ନେଇ ଢେଙ୍କାନାଳ ସରପଞ୍ଚ ମହାସଂଘ ତରଫରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ନେଇ ସରପଞ୍ଚମାନେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ଉପସ୍ଥାପନ କରିଥିଲେ । ସେମାନଙ୍କ ଦାବି ଅନୁସାରେ, ୧୧ ଗୋଟି ସରକାରୀ ବିଭାଗର ୨୯ଟି ବିଷୟକୁ ପଞ୍ଚାୟତକୁ ହସ୍ତାନ୍ତର ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ କାଗଜପତ୍ରରେ ସୀମିତ ନରଖି କାର୍ଯ୍ୟକାରୀ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଯୋଗାଇଦେବାର ବ୍ୟବସ୍ଥା, ୱାର୍ଡମେମ୍ବରଙ୍କ ଦ୍ୱାରା ଅନାସ୍ତାପ୍ରସ୍ତାବ ବ୍ୟବସ୍ଥାକୁ ଉଚ୍ଛେଦ, ପଞ୍ଚାୟତସ୍ତରରେ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପ ସମ୍ବନ୍ଧୀୟ ଅର୍ଥ ଉଠାଣରେ ବିଡିଓଙ୍କ ଦସ୍ତଖତ ବ୍ୟବସ୍ଥାକୁ ଉଚ୍ଛେଦ, ରାସନ୍ କାର୍ଡରେ ନୂଆ ହିତଧିକାରୀଙ୍କୁ ସାମିଲ ସୁଯୋଗ, ପଞ୍ଚାୟତକୁ ପ୍ରଦାନ କରାଯାଉଥିବା ସିଏଫ୍ସି ଓ ଏସ୍ଏଫ୍ସି ପାଣ୍ଠି ବୃଦ୍ଧି, ମନରେଗା ଯୋଜନାରେ ମାଟିବୁହା କାମ ସମେତ ସମସ୍ତ ଉନ୍ନୟନ ପ୍ରକଳ୍ପକୁ ସାମିଲ, ସରପଞ୍ଚଙ୍କୁ ମାସିକ ପ୍ରଦାନ କରାଯାଉଥିବା ୨୩୫୦ ଟଙ୍କା ପାରିତୋଷିକକୁ ୫୦ ହଜାର ଓ ୱାର୍ଡମେମ୍ବରକୁ ମାସିକ ୧୦ ହଜାର, ସ୍ୱାସ୍ଥ୍ୟବୀମାରେ ସାମିଲ, ସରପଞ୍ଚଙ୍କ ଅବସରକାଳୀନ ଭତ୍ତା ଅନ୍ୟୁନ ୨୦ ହଜାର ସହିତ ସରପଞ୍ଚ ଓ ପୂର୍ବତନମାନଙ୍କର ଆର୍ଥିକ ଓ ସମାଜିକ ସୁରକ୍ଷା ନୀତିନିୟମ ପ୍ରଣୟନ, ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକର ସଠିକ୍ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ହାତପାଣ୍ଠି ବାବଦକୁ ୧୦ ଲକ୍ଷ ପ୍ରଦାନ ଓ ୫ଟି ଗୃହ ପ୍ରଦାନର କ୍ଷମତା, ଖାଲି ପଡିଥିବା ପିଇଓ, ଜେଇ, ଜିଆର୍ଏସ୍ ପଦବୀ ପୂରଣ ଆଦି ଦାବି କରାଯାଇଛି । ଏ ନେଇ ସରପଞ୍ଚ ମହାସଂଘର ସଭାପତି ଅମିତଜ୍ୟୋତି ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି।

Comments are closed.