www.samajalive.in
Monday, December 15, 2025
15.1 C
Bhubaneswar

ଧଳା ଜହରର ନୁଆ ହବ ସୁନାପାଲି!

ସମ୍ବଲପୁର: ସମ୍ବଲପୁରରେ ନିଶା କାରବାର ଅବାଧରେ ଚାଲିଥିବା ବେଳେ ପ୍ରତି ଗଳି କନ୍ଦିରେ ନିଶାଡି ମାନଙ୍କର ଛାପ ଦେଖିବାକୁ ମିଳୁଛି। ମଝିରେ ମଝିରେ ସରକାରୀ ଏଜେନ୍ସି ମାନେ ଏହି ଅବୈଧ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଚଢ଼ଉ କରୁଥିବା ବେଳେ ତାହା ଦିନକୁ ଦିନ ସମୁଦ୍ରକୁ ଶଙ୍ଖେ ସଦୃଶ ହେଉଛି। ବିଭିନ୍ନ ପ୍ରକାରର ମାରାତ୍ମକ ନିଶା କାରବାର ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ବେଶ ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଯାଇ ପାରୁ ନାହିଁ। ପୂର୍ବରୁ ଟାଉନ ଥାନା ସମ୍ମୁଖରେ ଥିବା ସାହୁ କଲୋନୀ, ଝୁପୁଡିପଡ଼ା, ରିଂ ରୋଡ ଆଦି ଅଞ୍ଚଳରେ ନିଶା କଫ ସିରଫ କାରବାରର ଗୋଦାମ ଘର ବୋଲି ଦୁର୍ନାମ ଅର୍ଜନ କରିଥିବା ବେଳେ ଏବେ ସୁନାପାଲି ଅଞ୍ଚଳକୁ ଧଳା ଜହର (ବ୍ରାଉନସୁଗାର)ର ନୂତନ ହବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଗତ କିଛି ମାସର ଘଟଣାଗୁଡିକୁ ପରିଲକ୍ଷିତ କଲେ ଜନତାଙ୍କ ଏହି ଅଭିଯୋଗରେ ସତ୍ୟତା ଥିବାର ଲକ୍ଷ୍ୟ କରାଯାଉଛି। ଗତ ମେ ୫ ତାରିଖରେ ଜିଲା ଅବକାରୀ ବିଭାଗ ତରଫରୁ ସୁନାପାଲି ଅଞ୍ଚଳରେ ଚଢ଼ଉ କରାଯାଇ ମହମ୍ମଦ ନସିମ ଓରଫ ଗୁଡ୍ଡୁ ଙ୍କ ନିକଟରୁ ୧୯ ଗ୍ରାମ ଧଳା ଜହର ଓ ୧୨୫ଟି ନିଶା କଫ ସିରଫ, ମେ ୨୦ ତାରିଖରେ ସୁନାପାଲି ଅଞ୍ଚଳରେ ଚଢ଼ଉ କରାଯାଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲାର ଔରଙ୍ଗାବାଦ ନିବାସୀ ସଦ୍ଦାମ ମୋମିନ (୩୨) ଓ ସୁନାପାଲି ନିବାସୀ ଇମ୍ରାନ ଅହମଦ ଖାନ (୨୭) ଙ୍କୁ ଗିରଫ କରି ୧୨ ଗ୍ରାମ ଧଳା ଜହର, ୧୦୦ଟି ନିଶା ବଟିକା ଓ ଏକ ସ୍କୁଟି, ୧୫ ଜୁଲାଇରେ ସେହି ସୁନାପାଲିର ଗୌନ୍ତିଆପଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ମହମ୍ମଦ ଚାନ୍ଦ ନାମକ ଜଣେ ଯୁବକଙ୍କୁ ଧରାଯାଇ ୧୩ ଗ୍ରାମର ଧଳା ଜହର, ୨୯ ଅଗଷ୍ଟରେ ସୁନାପାଲି ଅଞ୍ଚଳରୁ ମାସୁମ ଅହମଦ (୨୭) ଙ୍କ ନିକଟରୁ ୧୬ ଗ୍ରାମ ଧଳା ଜହର ଓ ଗୋଟିଏ ସ୍କୁଟି ଏବଂ ଆଜି ସୋମବାର ଦିନ ପୁର୍ନବାର ସୁନାପାଲି ଅଞ୍ଚଳର ନିବାସୀ ମହ୍ମମଦ ସରଫରାଜ (୨୭) ନାମକ ଜଣେ ଯୁବକଙ୍କୁ ଗିରଫ କରି ୧୨ ଗ୍ରାମର ଧଳା ଜହର ଜବତ କରିଛି। ଏଠାରେ ଧ୍ୟାନଯୋଗ୍ୟ ଯେ, ବିଗତ ୪ ମାସ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ସୀମିତ ମାନବ ସମ୍ବଳ ସତ୍ୱେ କେବଳ ସୁନାପାଲି ଅଞ୍ଚଳରେ ବାରମ୍ବାର ଚଢ଼ଉ କରାଯାଇ ୫ଟି ମାମଲା ରୁଜୁ କରିବା ସହିତ ସମୁଦାୟ ୭୨ ଗ୍ରାମର ଧଳା ଜହର ସମେତ ନିଶା କଫ ସିରଫ ଓ ନିଶା ବଟିକା ଗୁଡିକ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଧନୁପାଲି ଥାନାରୁ ମାତ୍ର ୧୦୦ ମିଟର ଦୂରରେ ସ୍ଥିତି ଅବକାରୀ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଧନୁପାଲି ଥାନାଞ୍ଚଳରେ ଚଢ଼ଉ କରି ଧଳା ଜହର ସମେତ ଅନ୍ୟାନ୍ୟ ମାରାତ୍ମକ ମାଦକ ଦ୍ରବ୍ୟ ଜବତ କରୁଥିବା ବେଳେ କିନ୍ତୁ ଧନୁପାଲି ଥାନା ପୁଲିସକୁ ଆଜି ପର୍ଯ୍ୟନ୍ତ ଧଳା ଜହର କିମ୍ବା ଅନ୍ୟାନ୍ୟ ମାରାତ୍ମକ ନିଶା ଦ୍ରବ୍ୟ ନ ପାଇବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଧଳା ଜହର, ନିଶାକଫ ସିରଫ ଆଦି ମାରାତ୍ମକ ମାଦକ ଦ୍ରବ୍ୟ ଯୋଗୁଁ ଯୁବ ପିଢ଼ି ପଥଭ୍ରଷ୍ଟ ହେବା ସହିତ ବିଭିନ୍ନ ଅପରାଧିକ ଗତିବିଧିରେ ଲିପ୍ତ ରହୁଥିବା ବେଳେ ଅନେକ ସମୟରେ ଅଯଥାରେ ଆଇନ ଶୃଙ୍ଖଳା ପରିସ୍ଥିତ ସୁଷ୍ଟି ହେଉଛି। ନିଶାଡି ମାନଙ୍କ ପାଇଁ ସହରରେ ଜନତା ଆତଙ୍କିତ ରହୁଥିବା ବେଳେ ତୁରନ୍ତ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ଜନତା ଦାବି କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories