ଭୁବନେଶ୍ୱର:ଲଳିତକଳା ପୀଠର ୬୭ତମ ବାର୍ଷିକ ଉତ୍ସବ ଜୟଦେବ ଭାବନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ ରାଉତରାୟ ପୂର୍ବାହ୍ନରେ ନୃତ୍ୟ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସନ୍ଧ୍ୟା ସମୟରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ କହିଥିଲେ ଯେ ଆମ ସଂସ୍କୃତି ହେଉଛି ନିଆରା, ଯାହା ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡିତ। ଲଳିତକଳା ପୀଠ ହେଉଛି ସର୍ବପୁରାତନ ଅନୁଷ୍ଠାନ ଏହି ଅନୁଷ୍ଠାନ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଲାଗି କରୁଥିବା କାର୍ଯ୍ୟ ପ୍ରଶଂସନୀୟ।
ଏହି ପୀଠର ଉନ୍ନତି ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବେ ବୋଲି ଏହି ଅବସରରେ ଅତିରକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ। ଦିବସବ୍ୟାପୀ କାର୍ଯ୍ୟକ୍ରମରେ ସର୍ବଭାରତୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନୃତ୍ୟ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟା ଉତ୍ସବରେ ବରିଷ୍ଠ,କନିଷ୍ଠ ଏବଂ ଉପ-କନିଷ୍ଠ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ଲଳିତକଳା ପୀଠ ସମ୍ମାନରେ ସମ୍ମାନିତ କରିଥିଲେ ମୁଖ୍ୟ ଅତିଥି।
ଲଳିତକଳା ପୀଠର ସଭାପତି ଶୈଳେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ଆୟୋଗର ସଦସ୍ୟ ଦିଲ୍ଲୀପ ବିଶୋୟୀ, ସମ୍ପାଦକ ଚିତ୍ତ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମରେ ଗୁରୁ ସ୍ବପ୍ନାରାଣୀ ସିଂହଙ୍କ ତତ୍ତ୍ବାବଧାନରେ ନୃତ୍ୟ ପରିବେଷଣ କରାଯାଇଥିଲା ବେଳେ ଶ୍ରୀମତୀ ସିଂହ ମଧ୍ୟ ଏକକ ନୃତ୍ୟ ପରିବେଷଣ କରିଥିଲେ। ଡା. ଅଙ୍କିତା ରଥ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।



