ଗୋପାଳପୁର-ସମ୍ବଲପୁର ରେଳପଥର ନୂତନ ମାନଚିତ୍ରରୁ ଫୁଲବାଣୀ ବାଦ, ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର
ଫୁଲବାଣୀକୁ ରେଳ ସଂଯୋଗ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ
ଫୁଲବାଣୀ:ଗୋପାଳପୁର-ସମ୍ବଲପୁର ରେଳପଥର ନୂତନ ମାନଚିତ୍ର ଅନୁଯାୟୀ ଫୁଲବାଣୀ ଏଥିରୁ ବାଦ ପଡୁଥିବା ଜଣାପଡିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ପ୍ରସଙ୍ଗରେ କନ୍ଧମାଳ ରେଳବାଇ ମିଳିତ ମଞ୍ଚ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବରିଷ୍ଠ ନାଗରିକ କମିଟିର ସଭାପତି କମଳାକାନ୍ତ ପାଣ୍ଡେ ଅଧ୍ୟକ୍ଷତା କରି ଫୁଲବାଣୀକୁ ରେଳ ଲାଇନ ସ୍ପର୍ଶ ନାହିଁ ବୋଲି ଜାଣି ଗଭୀର ଉଦବେଗ ପ୍ରକାଶ କରିଥିଲେ। ଏ ନେଇ ପ୍ରକାଶିତ ଖବରର ସତ୍ୟାସତ୍ୟ ଜାଣିବା ପାଇଁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ପୂର୍ବତଟ ରେଳ କର୍ତ୍ତୃପକ୍ଷ, ପ୍ରଧାନମନ୍ତ୍ରୀ, ରେଲୱେ ବୋର୍ଡ ଅଧକ୍ଷ, ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ମେଲ ଯୋଗେ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ସୂଚନାଯୋଗ୍ୟ, ଫୁଲବାଣୀ ସହରକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାଙ୍କୁ ଅନୁରୋଧ କରିବା ଫଳରେ ଡିପିଆରରେ ଫୁଲବାଣୀ ସ୍ଥାନ ପାଇଥିଲା।
ତେବେ ଇତି ମଧ୍ୟରେ ଫୁଲବାଣୀ ସହର ରେଳ ମାନଚିତ୍ରରୁ କିପରି ବାଦ ପଡିଲା ବୋଲି ରେଳ ବାଇ ମିଳିତ ମଞ୍ଚର ଆବାହକ ଡ଼. ଅରୂପ କୁମାର ଜେନା ପ୍ରତକ୍ରିୟା ପ୍ରକାଶ କରିଥିଲେ। ପ୍ରସ୍ତାବିତ ଗୋପାଳପୁର- ସମ୍ବଲପୁର ରେଳ ଲାଇନ ଆସ୍କା, ଭଞ୍ଜନଗର, ଚକାପାଦ ଦେଇ ଯିବ ଏବଂ ଫୁଲବାଣୀକୁ ସ୍ପର୍ଶ କରିବ ନାହିଁ ବୋଲି ଜାଣି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲା ମିଡ଼ିଆ ଫୋରମ ସଭାପତି ସନ୍ତୋଷ କୁମାର ଦିଗଲ ରେଳବାଇ ମିଳିତ ମଞ୍ଚ କ୍ରିୟାନୁଷ୍ଠାନ କମିଟି ଗଠନ କରି ରେଳବାଇ କମିଟିର ସଦସ୍ୟ ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ, ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରେଳବାଇ ବୋର୍ଡ ଅଧକ୍ଷଙ୍କୁ ଅବଗତ କରିବାକୁ ପ୍ରସ୍ତାବ ଦେଇଥିଲେ। ଏ ନେଇ ସଭାପତି ଶ୍ରୀ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଦଶଜଣିଆ ସଦସ୍ୟ ବିଶିଷ୍ଟ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି। ଏଥିରେ ଅଧ୍ୟକ୍ଷ ଭାବେ କମଳାକାନ୍ତ ପାଣ୍ଡେ ଥିବା ବେଳେ ଅରୁପ ଜେନା, ଭଗବାନ ମହାନ୍ତି, ବିଜୟ ପଟ୍ଟନାୟକ, ଅବନୀ କହଁର, ପ୍ରତାପ ପାତ୍ର, ସୁନୀଲ ପଟ୍ଟନାୟକ, ସନ୍ତୋଷ ଦିଗାଲ, ଅଶୋକ ବେହେରା, ଅଶୋକ ପରିଡ଼ା,ପ୍ରଣବ ମଣ୍ଡଳ ପ୍ରମୁଖ ସଦସ୍ୟ ରହିଛନ୍ତି। ପରବର୍ତ୍ତି ସମୟରେ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କୁ କମିଟିରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ୭ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରେଲୱେ (ପୂର୍ବତଟ )କମିଟି ବୈଠକକୁ ଯାଇ ସ୍ମାରକ ପତ୍ର ପ୍ରଦାନ କରିବା ଓ ଆବଶ୍ୟକ ହେଲେ ଜନ ଆନ୍ଦୋଳନ କରିବା ପାଇଁ ବୈଠକରେ ସ୍ଥିର ହୋଇଛି।
Comments are closed.