ଆଇଜର କ୍ୟାମ୍ପସରେ ଶ୍ରମିକମାନେ ଅସୁରକ୍ଷିତ ଭାବେ କାମ କରୁଥିବା ଅଭିଯୋଗ
ସରକାରୀ ହସ୍ତକ୍ଷେପ ଦାବି କଲେ କୋଳିଥି ଗାଁ ସରପଞ୍ଚ
ଗୋପାଳପୁର : ଲୌଡ଼ି ଗାଁସ୍ଥିତ ଆଇଜର୍ କ୍ୟାମ୍ପସ ପରିସରରେ ଗତ ଶୁକ୍ରବାର ଦିନ କାର୍ଯ୍ୟରତ କଲୋକତାର ଶ୍ରମିକ ଶେଖ ଅଜଗରଙ୍କ ମୃତ୍ୟୁ ଘଟିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଏଠାରେ କାର୍ଯ୍ୟରତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣେ ଗୁରୁତର ଆହତ ହୋଇ ସବୁଦିନ ପାଇଁ ଅକର୍ମଣ୍ୟ ହୋଇ ଘରେ ଜୀବନ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ହଜାର ହଜାର କୋଟି ଟଙ୍କା ବିନିମୟରେ ଲଉଡିଗାଁ ଠାରେ ଆଇଜର କ୍ୟାମ୍ପସ ନିର୍ମାଣ କାମ ଚାଲୁ ରହିଛି । ଏଠାରେ ନିୟୋଜିତ ଠିକାଦାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରୁ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କୁ ଆଣି କୋଠା ନିର୍ମାଣ କାମରେ ନିୟୋଜିତ କରିଛନ୍ତି । କିନ୍ତୁ ଶ୍ରମିକ ମାନଙ୍କ ସୁରକ୍ଷା ପ୍ରତି ଅଣଦେଖା କରି ଯାଉଥିବା ଶ୍ରମିକଙ୍କ ସମେତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ଶ୍ରମ ବିଭାଗ ସମେତ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଅନେକ ସମୟରେ ଅଘଟଣମାନ ଘଟିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଉ ଥିବା ନଜିର ରହିଛି। କୋଠା ନିର୍ମାଣ ସ୍ଥାନରେ ଠିକାଦାରଙ୍କ ପକ୍ଷରୁ ନିୟୋଜିତ ରହିଥିବା ଶ୍ରମିକଙ୍କୁ ସେଫ୍ଟି ବେଲଟ, ହେଲେମେଟ କିମ୍ବା ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଇନଥାଏ, ଯାହାଫଳରେ ଅନେକ ସମୟରେ ଏଭଳି ଘଟଣାମାନ ଘଟୁଥିବା ନେଇ କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ଏଥି ନେଇ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ ଗତ ୨୦୨୧ ମାର୍ଚ୍ଚ ୨୨ ତାରିଖରେ କେଲୁଆପଲ୍ଲୀ ଗ୍ରାମର ଉଦୟ ନାୟକ ,ଏନ୍ କେ ଜି ଇନଫାଷ୍ଟକଚର କମ୍ପାନୀ ଅଧୀନରେ ମହାରାଣା ଭାବେ କାମ କରୁଥିଲେ, କିନ୍ତୁ ଦୁର୍ଘଟଣା ରେ ଉଦୟଙ୍କ ମୃତ୍ୟୁ ଘଟିଥିଲା। ଘଟଣା ନେଇ ଥାନାରେ ଅଭିଯୋଗ ପରେ ଠିକାଦାର ଓ ମୃତକଙ୍କ ଉଦୟଙ୍କ ପରିବାର ମଧ୍ୟରେ ଏକ ବୁଝାମଣା ହେବା ସହ ଠିକା କମ୍ପାନୀ ପକ୍ଷରୁ ଉଦୟଙ୍କ ସ୍ତ୍ରୀ ମାହେଶ୍ୱରୀ ନାୟକଙ୍କ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରି ଅଭିଯୋଗକୁ ରଫାଦଫା କରି ଦେଇଥିଲେ। ଠିକା କମ୍ପାନୀର ମନୋମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ଘଟଣା ଘଟିବାର ଏକ ଭିଡିଓରେ ଦେଖିବାକୁ ମିଳିଛି। କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କ ନିମନ୍ତେ ସେଫ୍ଟୀ ବେଲ୍ଟ ଏବଂ ସେଫ୍ଟି ସାମଗ୍ରୀ ଯୋଗାଇ ଦିଆ ଯାଉ ନଥିବାର ଅନ୍ୟ ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଯେଉଁଥିରେ ଶ୍ରମିକ ମାନେ ଶହ, ଶହ ଫୁଟ ଉଚ୍ଚତାରେ ଜୀବନ, ମରଣ ସହିତ ସଂଘର୍ଷ କରି କାର୍ଯ୍ୟ କରିବାର ପରିଲକ୍ଷିତ ହେଉଛି।ଗତ ଏକ ତାରିଖରେ ଘଟିଥିବା ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ଜଣଙ୍କ ଲୋକଲୋଚନକୁ ଆଣି ଥିଲେ। ଏହି ଘଟଣା ପ୍ରଘଟ ହେବା ସହ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାରୁ କମ୍ପାନୀ ପକ୍ଷରୁ ସିକ୍ୟୁରିଟି ଗାର୍ଡକୁ କାମରୁ ବାହାର କରି ଦିଆଯାଇଛି । ଏଭଳି ଭାବେ ଅନେକ କିଛି ବେଆଇନ କାର୍ଯ୍ୟ ଆଇଜର୍ କ୍ୟାମ୍ପସ ମଧ୍ୟରେ ଚାଲୁଥିବାରୁ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।
Comments are closed.