ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦ : ଛୁଟିରେ ଗଲେ କୃଷି ବିଭାଗର ସମସ୍ତ ଅଧିକାରୀ

ଢେଙ୍କାନାଳ ସଦର : କ୍ୟାଡ଼ର ପୁନଃବିନ୍ୟାସର ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଏବଂ ଅନୁରୋଧ ସତ୍ତ୍ୱେ ବିଭାଗ ତରଫରୁ କୌଣସି ନ୍ୟାୟୋଚିତ ପଦକ୍ଷେପ ନିଆ ନ ଯିବାରୁ ଗୁରୁବାରଠାରୁ ଅନିର୍ଦ୍ଦଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି ଢେଙ୍କାନାଳ କୃଷି, ଉଦ୍ୟାନ କୃଷି ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗର ସମସ୍ତ ଅଧିକାରୀ।
ସୂଚନା ଯୋଗ୍ୟ ଯେ, କୃଷି ସେବା ସଂଘ ଦୀର୍ଘ ଦିନ ଧରି କ୍ୟାଡରର ପୁନର୍ବିନ୍ୟାସ ସମ୍ବନ୍ଧରେ ସରକାରଙ୍କ ନିରନ୍ତର ସହାୟତା ଲୋଡ଼ି ଆସିଛି ଏବଂ ସମୟାନୁସାରେ ସରକାରଙ୍କ ଦ୍ଵାରା ମଗା ଯାଇଥିବା ସମସ୍ତ ତଥ୍ୟାବଳି ଦେବା ସହ ରାଷ୍ଟ୍ରୀୟ କୃଷି ସଂପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (MANAGE) ଦ୍ଵାରା ସୁପାରିଶ କରାଯାଇଥିବା ପୁନର୍ବିନ୍ୟାସ ଦସ୍ତାବିଜ ସମ୍ବନ୍ଧୀୟ ଆଲୋଚନା ଉଚ୍ଚ ସ୍ତରୀୟ ଅଧିକାରୀ ତଥା କୃଷି ମନ୍ତ୍ରୀଙ୍କ ସହ କରି ଆସିଛି । କିନ୍ତୁ ପରିଲକ୍ଷିତ ହୋଇଛି ଯେ କୃଷିମନ୍ତ୍ରୀଙ୍କ ଆଲୋଚନା ପରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆ ଯିବା କେବଳ ପ୍ରତିଶ୍ରୁତି ହେଇ ରହିଯାଇଛି। କୃଷି ସେବା ସଂଘ ନିଜର ସାମୂହିକ ଛୁଟିର ନିଷ୍ପତ୍ତିକୁ ଅଗଷ୍ଟ ୮ ରୁ ସ୍ଥଗିତ କରିଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଗ୍ରଗତି ନ ହେବା ଯୋଗୁଁ ଦୁଃଖିତ ହୋଇ ସଂଘ ଏହି ଭଳି କଷ୍ଟକର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲା।

prayash

ଅପର ପକ୍ଷରେ କୃଷି କ୍ଷେତ୍ରରେ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ କୃଷି କାର୍ଯ୍ୟ ରୋଗପୋକ ନିୟନ୍ତ୍ରଣ, ସାର ବିହନର ସୁବିଧା ଏବଂ ସରକାରୀ ସୁବିଧା ସୁଯୋଗ ଅଭାବ କୃଷି ଅଧିକାରୀଙ୍କ କାର୍ଯ୍ୟବନ୍ଦ ଡାକରା ଦ୍ୱାରା କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟ ବିପର୍ଯ୍ୟସ୍ତ ଶିକାର ହେବାର ଆଶଂକା ଯୋଗୁଁ ରାଜ୍ୟର କୃଷକ ସମାଜ ମଧ୍ୟରେ ଏକ ପ୍ରକାରର ଭୟ ବସା ବାନ୍ଧିଛି। ଯଥାଶୀଘ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିଭାଗୀୟ ଅଧିକାରୀଙ୍କ ପ୍ରତି ନ୍ୟାୟୋଚିତ ସହାନୁଭୂତି ନିମନ୍ତେ ଉଭୟ କୃଷି ସେବା ସଂଘ ଏବଂ କୃଷକ ସମାଜ ଆଗ୍ରହ ପ୍ରକାଶ କରିଛି ।

Comments are closed.