ସ୍ଥାନୀୟ ଶାସନ ଆମ ଆୟତ୍ତରେ କେତେ?
ସରକାରୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ହିଁ ସହରରେ ବିକାଶ ଆଣିବ
ଆଜି ଆମେ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଛୁ। ଦେଶରେ ଶାସନ ବ୍ୟବସ୍ଥା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ। ଗୋଟିଏ କେନ୍ଦ୍ର ସରକାରଙ୍କ ଦ୍ୱାରା ଏବଂ ଅନ୍ୟଟି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ। ତେବେ ଦେଶରେ ଆଉ ଏକ ସ୍ତରୀୟ ଶାସନ ବ୍ୟବସ୍ଥା ମଧ୍ୟ ରହିଛି। ତାହାକୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ବୋଲି କୁହାଯାଏ। ୧୯୯୨ରେ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ଏହି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସ୍ଥାପିତ ହୋଇଥିଲା। ଋଗ୍ ବେଦରେ ଏହିଭଳି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପରିଚାଳନା ମଣ୍ଡଳୀକୁ ‘ସଭା’ ବୋଲି କୁହାଯାଇଛି। ସମୟକ୍ରମେ ତାହା ପଞ୍ଚାୟତରେ ପରିଣତ ହୋଇଥିଲା ଏବଂ ତାହା ପାଞ୍ଚଜଣଙ୍କୁ ନେଇ ପରିଚାଳିତ ହେଉଥିଲା। ବ୍ରିଟିଶ ଶାସନ ସମୟରେ ମଧ୍ୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସ୍ୱୀକୃତି ଦିଆଯାଇଥିଲା।
ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପରିଚାଳନା ନିମନ୍ତେ ୧୯୫୭ରୁ ୧୯୮୬ ମଧ୍ୟରେ ଚାରିଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରାଯାଇଥିଲା। ସେଗୁଡିକ ଏହି ବ୍ୟବସ୍ଥା ସମ୍ପର୍କରେ ଅନେକ ସୁପାରିସ କରିଥିଲେ। ୧୯୫୭ରେ ବଲବନ୍ତ ମେହଟା କମିଟି କରିଥିବା ସୁପାରିସରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲା ପରିଷଦ ଗଠନ ପାଇଁ ସୁପାରିସ କରିଥିଲେ। ସେହିଭଳି ୧୯୭୭-୭୮ରେ ଅଶୋକ ମେହଟା କମିଟି ତ୍ରିସ୍ତରୀୟ ବଦଳରେ ଦୁଇସ୍ତରୀୟ ଢାଞ୍ଚା ପାଇଁ ସୁପାରିସ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୫ରେ ଜିଭିକେ ରାଓ କମିଟି ଜିଲା ପରିଷଦକୁ ପ୍ରାଧାନ୍ୟ ଦେଇ ଜିଲାସ୍ତରରେ ସମସ୍ତ ବିକାଶମୂଳକ କାର୍ଯ୍ୟ ଏହା ଉପରେ ନ୍ୟସ୍ତ କରିବାକୁ ସୁପାରିସ କରିଥିଲେ। ୧୯୮୬ରେ ଏଲଏମ୍ ସିଂଘଭି କମିଟି ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ତ୍ରିସ୍ତରୀୟ କରି ତାହାକୁ ଗ୍ରାମ, ବ୍ଲକ ଏବଂ ଜିଲାସ୍ତରୀୟ କରିବାକୁ ତାଙ୍କ ସୁପାରିସରେ ଉଲ୍ଲେଖ କରିଥିଲେ।
ଏବେ ଆମେ ଯେଉଁ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଛେ, ତାହା ମୁଖ୍ୟତଃ ରାଜ୍ୟର ମହାନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ସୀମିତ। ଅର୍ଥାତ୍, ଏହା ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନେଇ ପାଳନ କରାଯାଉଛି। ସମ୍ପ୍ରତି ପ୍ରାୟ ୧୯% ଲୋକ ରାଜ୍ୟର ସହରାଞ୍ଚଳଗୁଡିକରେ ବସବାସ କରୁଛନ୍ତି। ୨୦୩୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୨୧%କୁ ବୃଦ୍ଧିପାଇବା ଆଶା କରାଯାଉଛି। ମୂଳତଃ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ ଏବଂ ଏକ ଉନ୍ନତ ଜୀବନ ଯାପନ ସହିତ ରୋଜଗାର ଆଶାରେ ଲୋକେ ସହରାଭିମୁଖୀ ହେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ଏହିସବୁ ବିଷୟରେ ରହୁଥିବା ପାର୍ଥକ୍ୟ ଦୂର କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।
ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କ୍ରମ ଉନ୍ନତି ଘଟିବା ସହିତ ଶିକ୍ଷା ବ୍ୟବସ୍ଥାକୁ ସଜଡାଯାଉଛି। ସବୁ ଗ୍ରାମକୁ ସବୁଦିନିଆ ରାସ୍ତା, ବିଦ୍ୟୁତ୍ ସଂଯୋଗ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଣକୁ ତ୍ୱରାନ୍ୱିତ କରାଯାଉଛି। ସହରାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଏବଂ ସେମାନଙ୍କ ସମସ୍ୟା ଦୂରୀକରଣ କରି ଏକ ସୁସ୍ଥ ବାସୋପଯୋଗୀ ପରିବେଶ ଯୋଗାଇଦେବା ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡିକର ଦାୟିତ୍ୱ। ସହରାଞ୍ଚଳର ରାସ୍ତାଘାଟ ନିର୍ମାଣ, ମରାମତି, ଆଲୋକୀକରଣ, ବିଦ୍ୟାଳୟ, ଡାକ୍ତରଖାନା, ଉଦ୍ୟାନ ଆଦି ନିର୍ମାଣ ସେମାନଙ୍କ କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ। ବ୍ୟବସ୍ଥା ଅନୁଯାୟୀ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡିକର ସମାଧାନ ଦିଗରେ ନିଷ୍ପତ୍ତି ନେବାରେ ଜନସାଧାରଣଙ୍କର ଅଧିକ କ୍ଷମତା ରହିଛି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିପୁଳ ପାଣ୍ଠିକୁ କିଭଳି ଏବଂ କେଉଁ ସ୍ଥାନରେ ବିକାଶମୂଳକ ଉଦ୍ଦେଶ୍ୟରେ ବିନିଯୋଗ କରାଯିବା ଉଚିତ୍, ସେ ସମ୍ପର୍କରେ ସହରାଞ୍ଚଳ ବାସିନ୍ଦା ଅଧିକ ଉପଯୋଗୀ ମତ ଦେଇପାରିବେ; କିନ୍ତୁ ଆମ ରାଜ୍ୟର ମହାନଗର ନିଗମ, ପୌରାଞ୍ଚଳଠାରୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଉକ୍ତ ଅଞ୍ଚଳର ବାସିନ୍ଦା ପରିଷଦ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ନଥିବା ଜଣାଯାଏ। ଏହିସବୁ ସ୍ଥାନରେ କୌଣସି ନା କୌଣସି କ୍ଷେତ୍ରରେ ଅସୁବିଧା, ସମସ୍ୟା ଲାଗିରହୁଛି। ଅନେକ ସମୟରେ ସରକାରୀ ଅଧିକାରୀ ଏବଂ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ମତୈକ୍ୟ ନରହିବାରୁ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି।
ନିର୍ବାଚିତ ପ୍ରତିନିଧିଙ୍କ ମତାମତ ଓ ପରାମର୍ଶକୁ ଅଧିକାରୀଗଣ କେତେକ କ୍ଷେତ୍ରରେ ଗ୍ରହଣ କରୁନଥିବା ଅଥବା ତାହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ମଧ୍ୟ କିଛି କମ୍ ନୁହେଁ। ଅନ୍ୟ କିଛି ସ୍ଥାନରେ ହାତଗଣତି ଲୋକ ପ୍ରତିନିଧିଙ୍କ ସ୍ୱେଚ୍ଛାଚାରିତା ଅଭିଯୋଗ ମଧ୍ୟ ଉଠୁଛି। ଆଉ କିଛି ସ୍ଥାନରେ ବିକାଶ ପ୍ରକଳ୍ପ କାର୍ଯ୍ୟକାରିତା ସମୟରେ ଦୁର୍ନୀତି ପ୍ରସଙ୍ଗ ଉଠୁଛି। ମୂଳକଥା ହେଉଛି, ସହରାଞ୍ଚଳରେ ନିର୍ବାଚିତ ପରିଷଦ ସଦସ୍ୟମାନେ ନିଜ ଅଞ୍ଚଳର ସମସ୍ୟା ସମାଧାନ ସହିତ ବିକାଶ ସାଧନ ପାଇଁ ଜନସମର୍ଥନ ଲାଭ କରିଛନ୍ତି, ଏହା ସେମାନେ ହେଜିବା ଉଚିତ୍। ଅନୁରୂପ ଭାବରେ ମହାନଗର ନିଗମ, ପୌରାଞ୍ଚଳ ଅଥବା ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡିକରେ ନିଯୁକ୍ତ ଅଧିକାରୀଗଣ ଉକ୍ତ ସହରାଞ୍ଚଳ ଜନସାଧାରଣଙ୍କୁ ଏକ ସୁସ୍ଥ ଜୀବନ ଯାପନର ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇବା ସୁନିଶ୍ଚିତ କରିବାକୁ ନିଯୁକ୍ତ ହୋଇଛନ୍ତି ଏବଂ ଏହା ସେମାନଙ୍କର ଦାୟିତ୍ୱ ତଥା କର୍ତ୍ତବ୍ୟ ବୋଲି ମନ ମଧ୍ୟରେ ରଖିବା ଆବଶ୍ୟକ।
ଏ କ୍ଷେତ୍ରରେ ଉକ୍ତ ଅଞ୍ଚଳର ବାସିନ୍ଦାଙ୍କ ଠାରୁ ନେଇ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟକଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ପ୍ରତିବର୍ଷ ବର୍ଷା ଆସିଲେ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। ସମ୍ପ୍ରତି ଡେଙ୍ଗୁ ଅନେକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଊଣା ଅଧିକ ସବୁ ସହରରେ ରାସ୍ତାଘାଟ, ପରିମଳ ଆଦି ସମସ୍ୟା ଲାଗିରହିଛି। ଏ କ୍ଷେତ୍ରରେ ପ୍ରତିଦିନ ଜନଅସନ୍ତୋଷ ସୃଷ୍ଟି ହେଉଛି। ଜନସାଧାରଣ ସେମାନଙ୍କ ସମସ୍ୟା, ଦାବି ଆଦି କର୍ତ୍ତୃପକ୍ଷଙ୍କୁ ଜଣାଉଛନ୍ତି; କିନ୍ତୁ ସେସବୁ ପ୍ରତି ଯଥାଯଥ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ଆସୁଛି। ଏ କ୍ଷେତ୍ରରେ ଆମ ସହରାଞ୍ଚଳବାସୀଙ୍କ ହାତରେ ଆଞ୍ଚଳିକ ଶାସନ ନିୟନ୍ତ୍ରଣ କେତେ ରହିଛି, ତାହା ବୁଝାପଡୁନି।
Comments are closed.