ଚୌଦ୍ୱାରରେ ରକ୍ଷାବନ୍ଧନ ଓ ଗୋପୂଜନ ଉତ୍ସବ

ଚୌଦ୍ୱାର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଚୌଦ୍ୱାର କାରାଗାରରେ ଆୟୋଜିତ କାର୍ଯ୍ୟକ୍ରମରେ ଜେଲରେ ରହୁଥିବା କଏଦୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସେମାନଙ୍କ ଭଉଣୀ ମାନେ। ଦୂରଦୂରାନ୍ତରୁ ଆସିଥିବା ଭଉଣୀ ମାନେ ଜେଲର ଲୁହା ଜାଲି ଫାଟକ ପଛପଟେ ଥିବା କଏଦୀ ମାନଙ୍କୁ ସିନ୍ଦୁର ଓ ଚନ୍ଦନ ଲଗାଇ ସେମାନଙ୍କ ମଣ୍ଡରେ ଅରୁଆ ଚାଉଳ ପକାଇ ହାତରେ ପବିତ୍ର ରାକ୍ଷୀ ବନ୍ଧନ କରିଥିଲେ । ପରେ ପରେ ଆଣିଥିବା ମିଠା ଖୁଆଇ ଭାଇ ମାନଙ୍କ ଶୁଭ ମନାସିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ କରାଗାର କର୍ତ୍ତୃପକ୍ଷ ସମସ୍ତ ଆନୁସଂଗିକ ବ୍ୟବସ୍ଥା କରିଥିଲେ।

prayash

ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟା ମାନେ ଚୌଦ୍ୱାର କାରାଗାର ଓ ଥାନାରେ କର୍ମକର୍ତ୍ତା ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ସ୍ଥାନୀୟ ଶିଶୁ ସଦନର ଅନ୍ତେବାସୀଙ୍କ ହାତରେ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସେହିପରି ଚାରବାଟିଆସ୍ଥିତ ପ୍ରଜ୍ଞାପୀଠ ଗାୟତ୍ରୀ ପରିବାର ଓ କ୍ୟାଚ୍ ଚେରିଟେବୁଲ ଟ୍ରଷ୍ଟ ତରଫରୁ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଘରେ ଘରେ ଗୋ ପୂଜନ ଅନୁଷ୍ଠିତ ହୋଇ ଯାଇଛି। ପରମ୍ପରା ଅନୁଯାୟୀ ପୂର୍ଣ୍ଣମୀ ସଂଧ୍ୟାରେ ଜହ୍ନ ଉଇଁବା ପରେ ଘରର ଗୃହିଣୀ ମାନେ ଗାଈମାନଙ୍କ ମଥାରେ ହଳଦୀ, ଚନ୍ଦନ, ସିନ୍ଦୁର, କଜ୍ୱଳ ଆଦି ଲଗାଇବା ସହିତ ଫୁଲମାଳ ପିନ୍ଧାଇ ଖଡ଼ିରତ୍ନ ପ୍ରଦାନ କରିଥିବା ରଂଗୀନ ସୋଲ ଓ କପଡ଼ା ଲଗା କଦଳୀ ପାଟୁଆରେ ତିଆରି ମାଳ ଓ ସ୍ୱତନ୍ତ୍ର ରାକ୍ଷୀ ପିନ୍ଧାଇଥିଲେ। ପରେ ପରେ ଧୂପ ଓ ଦୀପରେ ଗୋମାତାଙ୍କୁ ବନ୍ଦାପନା କରାଯାଇ ପୂର୍ଣ୍ଣମୀ ଉପଲକ୍ଷେ ପ୍ରସ୍ତୁତ ପ୍ରଥମ ପିଠା ଗୋମାତାଙ୍କୁ ପ୍ରଦାନ କରି ପରିବାରର ସମସ୍ତ ସଦସ୍ୟ ଗୋମାତାଙ୍କୁ ମୁଣ୍ଡିଆ ମାରି ପରିବାରର ଶୁଭ ମନାସି ଥିଲେ ।

Comments are closed.