ମୁଲ୍ତାନ : ଏସିଆ କପ୍ କ୍ରିକେଟ୍ ଆରମ୍ଭ ହୋଇଛି। ବୁଧବାର ଉଦ୍ଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନେପାଳ ମଧ୍ୟରେ ଚାଲିଛି। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଛି। ୧୫ ଓଭର ସୁଦ୍ଧା ପାକିସ୍ତାନ ୨ ୱିକେଟ ହରାଇ ୭୨ ରନ ସଂଗ୍ରହ କରିଛି। ମ୍ୟାଚ୍ରେ କେଉଁ ଦଳ ଜିତିବ ; ତାହା ଭବିଷ୍ୟବାଣୀ କରିବା ବହୁତ ସହଜ। ପାକିସ୍ତାନ ବିଶ୍ବକପ୍ର ଫେଭରିଟ୍ ଥିବା ବେଳେ ଯୋଗ୍ୟତା ହାସଲକରି ପ୍ରଥମଥର ନେପାଳ ଏସିଆ କପ୍ ଖେଳୁଛି।
ନେପାଳ ଦୁର୍ବଳ ଥିଲେ ବି ଯୋଗ୍ୟତା ପର୍ଯ୍ୟାୟରେ ଏହା ୧୨ଟିରୁ ୧୧ଟି ମ୍ୟାଚ୍ ଜିତିପାରିଛି। ୨୦୧୮ରେ ଦିନିକିଆ ମାନ୍ୟତା ପାଇଥିବା ନେପାଳ ଏବେ ଆଇସିସି ଦିନିକିଆ ମାନ୍ୟତାରେ ୧୫ନଂ ସ୍ଥାନରେ ରହିଛି। ଏସିଆ କପ୍ରେ ନେପାଳ ଗୋଟିଏ/୨ଟି ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟ ରଖିଛି । ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରଙ୍କ ବିପକ୍ଷରେ ନେପାଳ ୩ଟି ମ୍ୟାଚ୍ ଖେଳି ସମସ୍ତ ମ୍ୟାଚ୍ ହାରିଛି । ହେଲେ ପାକିସ୍ତାନ ବିପକ୍ଷରେ ଏହା ଲଢ଼େଇ କରିପାରିଲେ ଏହା ପାଇଁ ବଡ଼ ସଫଳତା ହେବ।
ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ବକପ୍ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି । ପ୍ରଥମଥର ପାଇଁ ୨ଟି ଦେଶ ମିଳିତ ଭାବେ ଏସିଆ କପ୍ର ୧୬ଶ ସଂସ୍କରଣ ଆୟୋଜନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ୧୯ ଦିନରେ ୬ଟି ଦଳ ମୋଟ ୧୩ଟି ମ୍ୟାଚ୍ ଖେଳିବେ। ଅକ୍ଟୋବର ୫ରେ ଭାରତରେ ବିଶ୍ବକପ୍ ଆୟୋଜନ ହେଉଥିବା ବେଳେ ଏସିଆ କପ୍କୁ ଏହା ପୂର୍ବରୁ ସେମିଫାଇନାଲ ଭାବେ ଗଣନା କରାଯାଉଛି। ପାକିସ୍ତାନ ଓ ଶ୍ରୀଲଙ୍କାର ପିଚ୍ ଭାରତୀୟ ପିଚ୍ ସହ ସମାନ ଥିବାରୁ ବିଶ୍ବକପ୍ ଖେଳିବାକୁ ଥିବା ୫ଟି ଦଳ ଏସିଆ କପ୍କୁ ଗୁରୁତ୍ବ ଦେବେ।
ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିବାରୁ ୟୁଏଇରେ ଖେଳା ଯାଇଥିବା ଏସିଆ କପ୍ ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳା ଯାଇଥିଲା। ହେଲେ ଆସନ୍ତା ଏସିଆ କପ୍ ସରିବାର ୨ ସପ୍ତାହ ପରେ ଭାରତରେ ଦିନିକିଆ ବିଶ୍ବକପ୍ ଖେଳାଯିବାର ଥିବାରୁ ଏଥର ଏସିଆ କପ୍ ତା’ର ପୂର୍ବ ଅବତାର ଦିନିକିଆକୁ ଫେରିଛି । ୨୦୧୬ରେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଏସିଆ କପ୍ ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳା ଯାଇଥିଲା। ଏଥର ୬ଟି ଦଳଙ୍କ ମଧ୍ୟରୁ ଏସିଆର ୫ଟି ଟେଷ୍ଟ ଖେଳୁଥିବା ଦେଶ ରହିଥିବା ବେଳେ ନେପାଳ ଦଳ ୬ଷ୍ଠ ଦଳ ଭାବେ ରହିଛି । ଏସିଆ କପ୍ର ୬ଟି ଦଳ ମଧ୍ୟରୁ ୫ଟି ଦଳ ଭାରତରେ ବିଶ୍ବକପ୍ ଖେଳିବାର ଥିବାରୁ ଏହି ଏସିଆ କପ୍କୁ ସେମାନେ ବେଶ୍ ଗୁରୁତ୍ବ ଦେଉଛନ୍ତି। ଶ୍ରୀଲଙ୍କାର ପିଚ୍ ଭାରତୀୟ ପିଚ୍ର ପ୍ରତିବିମ୍ବ। ତେଣୁ ୬ଟିଯାକ ଦଳ ଘରୋଇମାଟିରେ ଖେଳିବା ଭଳି ଅନୁଭବ କରିବେ।
ଏସିଆ କପ୍ ଜିତିବା ପାଇଁ ଦୁଇ ବଡ଼ ଦାବିଦାର ହେଲେ ଭାରତ ଓ ପାକିସ୍ତାନ। ନିକଟରେ ପାକିସ୍ତାନ ୧ନଂ ଦିନିକିଆ ଦଳର ମାନ୍ୟତା ହାସଲ କରିଛି । ଚମ୍ପିଆନ୍ ହେବାର ସମସ୍ତ ଦକ୍ଷତା ଏହି ଦଳରେ ରହିଛି । ଆଫ୍ଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୧୧୩ ରନ୍ କରିଥିବା ଅଧିନାୟକ ବାବର ଆଜମ୍ ଓ ୧୬୫ ରନ୍ କରିଥିବା ଓପ୍ନର ଇମାମ୍ ଉଲ୍ ହକ୍ ଚମତ୍କାର ଫର୍ମରେ ଅଛନ୍ତି। ମହମ୍ମଦ ରିଜ୍ୱାନ ଓ ଫଖର ଜମାନ୍ ଦୁଇ ମ୍ୟାଚ୍ ବିଜେତା। ବିଶ୍ବର ୩ ଶ୍ରେଷ୍ଠ ପେସ୍ ବୋଲର ସାହିନ୍ ଶାହା ଆଫ୍ରିଦି, ହାରିସ୍ ରୌଫ୍ ଓ ନସିମ୍ ଶାହାଙ୍କ ବଳରେ ପାକିସ୍ତାନ ବଳିୟାନ। ଭାରତୀୟ ଦଳ ଦିନିକିଆରେ ମଧ୍ୟ ବିଶ୍ବରେ ଅନ୍ୟତମ ଶକ୍ତିଶାଳୀ ଦଳ। ରୋହିତ ଶର୍ମା, ବିରାଟ କୋହଲି, ଶୁବ୍ମାନ ଗିଲ୍, ହାର୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ଭଲ ଫର୍ମରେ ଅଛନ୍ତି। ଯଶପ୍ରୀତ ବୁମ୍ରା ଦଳକୁ ଫେରିବା ଯୋଗୁଁ ଭାରତର ଶକ୍ତି ବୃଦ୍ଧି ଘଟିଛି। ମହମ୍ମଦ ସିରାଜ୍ ଓ ମହମ୍ମଦ ସାମି ନିୟମିତ ଭଲ ବୋଲିଂ କରୁଛନ୍ତି। ଶ୍ରୀଲଙ୍କା ପିଚ୍ରେ କୁଲଦୀପ ଯାଦବ ଘାତକସିଦ୍ଧ ହୋଇପାରନ୍ତି। ଭାରତ ଓ ପାକିସ୍ତାନ ଟ୍ରଫି ଜିତିବାକୁ ଫେଭରିଟ୍ ଥିଲେ ହେଁ ଶ୍ରୀଲଙ୍କାକୁ ଡାର୍କ ହର୍ସର ମାନ୍ୟତା ମିଳିଛି। ଘରୋଇମାଟିରେ ଶ୍ରୀଲଙ୍କା ଏକ ମଜ୍ଭୁତ ଦଳ। ହେଲେ ଦଳରେ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି। ତଥାପି ଭାରତ ଓ ପାକିସ୍ତାନକୁ ଚକିତ କରିବାର ସମସ୍ତ ଦକ୍ଷତା ଶ୍ରୀଲଙ୍କାର ରହିଛି। ବାଂଲାଦେଶ ଦଳରେ ତମିମ୍ ଇକ୍ବାଲ ନାହାନ୍ତି। ସାକିବ୍ ଅଲ୍ ହାସନ୍ଙ୍କ ଦଳ ୨ଟି ବିପର୍ଯ୍ୟୟ ଘଟାଇବାକୁ ସମର୍ଥ। ବାଂଲାଦେଶଠାରୁ ଆଫ୍ଗାନିସ୍ତାନ ଦଳ ଅଧିକ ଶକ୍ତିଶାଳୀ। ରସିଦ୍ ଖାଁ, ମୁଜିବ୍ ଉର୍ ରେହ୍ମାନ ଓ ମହମ୍ମଦ ନବିଙ୍କୁ ନେଇ ଏହାର ସ୍ପିନ୍ ଆକ୍ରମଣ ଯେକୌଣସି ବ୍ୟାଟିଂ ଲାଇନ୍କୁ ଚାପରେ ପକାଇ ପାରନ୍ତି। ନିକଟରେ ପାକିସ୍ତାନ ବିପକ୍ଷରେ ୧୫୧ ରନ୍ର ଇନିଂସ ଖେଳିଥିବା ରହମନୁଲ୍ଲା ଗୁର୍ବାଜ, ହସ୍ମତୁଲ୍ଲା ସାହିଦି, ଇବ୍ରାହିମ୍ ଜାଦ୍ରାନ୍ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ।



