ବୌଦ୍ଧ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ଜିଲ୍ଲାରେ ନୁତନ ଭାବେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଏବଂ ବଞ୍ଚି ରହିବା ସୁନିଶ୍ଚିତ କରିବା, କନ୍ୟା ଶିଶୁମାନେ ବିଦ୍ୟାଳୟକୁ ଯିବା ଏବଂ ବିଦ୍ୟାଳୟରେ ଉପସ୍ଥାନ ହାର ବଢ଼ାଇବା ନିଶ୍ଚିତ କରିବା, କନ୍ୟା ଶିଶୁର ଗୁରୁତ୍ୱ ସମ୍ପର୍କରେ ଗୋଷ୍ଠୀ ଏବଂ ସମସ୍ତ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ସ୍ୱାଗତ ଭାଷଣ ଦେବାସହ ପାୱାର ପଏଣ୍ଟ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ସ୍ୱାକ୍ଷରତା ହାର, ଲିଙ୍ଗଗତ ଅସମାନତା ଏବଂ ବାଲ୍ୟ ବିବାହ କ୍ଷେତ୍ରରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଜିଲ୍ଲାରେ କନ୍ୟାଭୃଣ ହତ୍ୟା, ବାଲ୍ୟ ବିବାହ ରୋକିବାରେ ପ୍ରମୁଖ ଭୁମିକା ଗ୍ରହଣ କରିବାସହ ଶିକ୍ଷା କ୍ଷେତ୍ରରେ ଝିଅମାନେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ମତପୋଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ଯୋଗଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ଝିଅ ମାନଙ୍କ ପାଇଁ ଗ୍ରାମ୍ୟ ସ୍ତରରେ ସଚେତନତା ସୃଷ୍ଠି କରି ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ ସ୍ଲୋଗାନ ଦେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜେନ୍ଦ୍ର ମେହେର ସି.ଇ.ଓ ୱାଇ.ସି.ଡି.ଏ. ଯୋଗଦେଇ ବୌଦ୍ଧ ଜିଲ୍ଲାରେ ବାଳିକା ଶିକ୍ଷା ଉପରେ ନିଜର ଗବେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରିଣୀ ଡ. ସଂଘମିତ୍ରା ପଣ୍ଡା ଯୋଗଦେଇ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ଜନ୍ମ ସଂକ୍ରାନ୍ତ କୌଶଳ ଅଧିନିୟମ ର କାର୍ଯ୍ୟକାରୀତା, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆନାମିଆ ମୁକ୍ତଭାରତ ଅଭିଯାନ ଅମ୍ଲାନ,ଖୁସି ନାପକିନ ବ୍ୟବସ୍ଥା, ସଂଲ୍କପ-ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ ଯୋଗଦେଇ ଅଦ୍ୱିକା, ପୋଷଣ ଆଦି ଯୋଜନାର କାଯ୍ୟକାରିତା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଝିଅ ପିଲାଙ୍କ ଶିକ୍ଷା ତଥା ଶିକ୍ଷାବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଝିଅ ମାନଙ୍କ ମଧ୍ୟରେ ସର୍ବାଧିକ ନମ୍ବର ରଖି ଚଳିତବର୍ଷ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ଉତ୍ତିନ୍ନ ହୋଇଥିବା ପ୍ର୍ରଜ୍ଞା ପ୍ରିୟଦର୍ଶନୀ, ମୁସ୍କାନ ମିଶ୍ର, ଅର୍ପିତା ସ୍ୱୟଂଶ୍ରୀ ମିଶ୍ର, ସାଞ୍ଚି ଅଗ୍ରୱାଲ ଓ ବିଏସଇ ବୋର୍ଡ ଉତ୍ତିନ୍ନ ହୋଇଥିବା ଅର୍ପିତା ପ୍ରିୟଦର୍ଶନୀ ଶତପଥି, ଅପର୍ଣ୍ଣା ମହାପାତ୍ର, ସାନିଆ ଦେହୁରୀ ଏବଂ ଦ୍ୱାଦଶ ଶ୍ରେଣୀ ରେ ସିବିଏସଇ ବୋର୍ଡରେ ପ୍ର୍ରଜ୍ଞା ପରମିତା ପ୍ରଧାନ, ଶ୍ରେତସ୍ୱିନି ପ୍ରଧାନ, ତୋସ୍ମିନି ମେହେର ଓ ସିଏଚଏସଇ ରେ ଲିପ୍ସାରାଣୀ ସେଠୀ, ସୁଚିସ୍ମିତା ପ୍ରଧାନ, ଅଞ୍ଜନା ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁର୍ଯ୍ୟନାରୟଣ ବେହେରା,ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରିତିକାନ୍ତି ବଳିଆରସିଂହ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟ,ସମସ୍ତ ଶିଶୁ ବିକାଶ ପ୍ରକଲ୍ପ ଅଧିକାରିଣୀ, ସମସ୍ତ ସୁପରଭାଇଜର, ୱାଇସିଡିଏ, ରେଆର, ଏଲକେବିକେ, ରାମକୃଷ୍ଣ ବାଳାଶ୍ରମ, ହାରଭେଷ୍ଟ ବ୍ଲେସିଂ ହୋମ ଆଦି ଅନୁଷ୍ଠାନ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ରାଜେନ୍ଦ୍ର ମଲିକ, ସହଦେବ ନାଏକ, ବସନ୍ତ ଦିଶିରି, ସମରସେନ ସିଂହ, ଚିତ୍ରସେନ ସାହୁ ପ୍ରମୁଖ ସାହାଯ୍ୟ କରିଥିବା ବେଳେ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



