www.samajalive.in
Friday, December 12, 2025
14.1 C
Bhubaneswar

ଆସ୍ଥା ଭୋଟରେ ହାରିଲେ ରାଜପାକ୍ଷେ

କଲମ୍ବୋ : ଶ୍ରୀଲଙ୍କା ରାଜନୀତି ନାଟକୀୟ ମୋଡ଼ ନେଇଛି। ଯେଉଁ ଆଶଙ୍କାରେ ରାଷ୍ଟ୍ରପତି ମୈତ୍ରିପାଲ ଶିରୀସେନା ହଠାତ୍‍ ପାର୍ଲାମେଣ୍ଟ ଭାଙ୍ଗି ନିର୍ବାଚନ ଘୋଷଣା କରିଥିଲେ ସେହି ଆଶଙ୍କାର ପ୍ରତିଫଳନ ଘଟିଛି ବୁଧବାର। ମଙ୍ଗଳବାର ଦେଶର ସୁପ୍ରିମକୋର୍ଟ ପାର୍ଲାମେଣ୍ଟ ଭଙ୍ଗ ସଂକ୍ରାନ୍ତ ରାଷ୍ଟ୍ରପତି ଶିରୀସେନାଙ୍କ ନିଷ୍ପତ୍ତି ବିରୋଧରେ ରାୟ ଦେଇଥିବାବେଳେ ଏହାର ଦିନକ ପରେ, ବୁଧବାର ପାର୍ଲାମେଣ୍ଟରେ ଶିରୀସେନାଙ୍କ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଆସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ୟୁନାଇଟେଡ ନ୍ୟାସନାଲ ପାର୍ଟି ସଦସ୍ୟ ଲକ୍ଷ୍ମଣ କିରିଏଲାଙ୍କ ଦ୍ୱାରା ଆଗତ ମହତ୍ତ୍ୱପୂର୍ଣ୍ଣ ଅନାସ୍ଥା ପ୍ରସ୍ଥାବ ସପକ୍ଷରେ ପାର୍ଲାମେଣ୍ଟର ୨୨୫ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମତ ଦେଇଥିବା କହିଛନ୍ତି ବାଚସ୍ପତି କାରୁ ଜୟସୂର୍ଯ୍ୟା।
ଏହା ଗୃହୀତ ହେବା ଦ୍ୱାରା ରାଜପାକ୍ଷେଙ୍କୁ ବଡ଼ ଧକ୍କା ଲାଗିଛି। ଭୋଟ ଗ୍ରହଣ ଆରମ୍ଭ ହେବା ମାତ୍ରେ ରାଜପାକ୍ଷେ ନିଜ ପୁଅ ତଥା ସାଂସଦ ନମଲ ରାଜପାକ୍ଷେଙ୍କ ସହିତ ପାର୍ଲାମେଣ୍ଟ ପରିସରସ୍ଥ ନିଜ ପ୍ରକୋଷ୍ଠ ଛାଡ଼ି ଚାଲିଯାଇଥିଲେ। ଏହା ପରେ ତାଙ୍କ ସମର୍ଥକମାନେ ଭୋଟ ଗ୍ରହଣରେ ବିଭ୍ରାଟ ସୃଷ୍ଟି ଉଦ୍ୟମ କରିଥିଲେ; କିନ୍ତୁ ବାଚନିକ ଭୋଟରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଥିବା ଘୋଷଣା କରିଥିଲେ ବାଚସ୍ପତି। ପରେ ବାଚସ୍ପତି ପକ୍ଷପାତ କରୁଥିବା ନେଇ ରାଜପାକ୍ଷେଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ତେବେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ସତ୍ତ୍ବେ ବିକ୍ରମସିଂହେ ପୁନର୍ବାର କ୍ଷମତାକୁ ଫେରିବା ନିଶ୍ଚିତ ହୋଇନାହିଁ। ପାର୍ଲାମେଣ୍ଟରେ ତାଙ୍କ ଦଳ ସର୍ବବୃହତ୍‍ ହୋଇଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ହାତରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତି କ୍ଷମତା ରହିଛି।
ଅକ୍ଟୋବର ୨୬ରେ ରାଷ୍ଟ୍ରପତି ନାଟକୀୟ ଭାବେ ରନିଲ ବିକ୍ରମସିଂହେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ରାଜପାକ୍ଷେଙ୍କୁ ଅବସ୍ଥାପିତ କରିଥିଲେ। ସେବେଠାରୁ ଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି। ବିରୋଧୀ ଦଳ ପାର୍ଲାମେଣ୍ଟରେ ଆସ୍ଥା ଭୋଟ ଲୋଡ଼ିବାକୁ ଦାବି କରୁଥିଲାବେଳେ ନୂଆ ସରକାର ଏଥିରେ ହାରିଯିବାର ଭୟ ଥିବାରୁ ନଭେମ୍ବର ୯ରେ ରାଷ୍ଟ୍ରପତି ପାର୍ଲାମେଣ୍ଟ ଭଙ୍ଗ କରିଥିଲେ। ଏହି ନିଷ୍ପତ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ସହ ନିର୍ବାଚନ ପ୍ରସ୍ତୁତି ଉପରେ ରୋକ ଲଗାଇଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories