ଗୌରୀ ମିଶ୍ର ହତ୍ୟାକାଣ୍ଡ; ରହସ୍ୟ ଚପାଇ ଦେବାକୁ ଉଦ୍ୟମ
ଖୁବଶୀଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ- ପୁଲିସ
ଗୁଣୁପୁର: ଗୁଣୁପୁର ବଂଶଧାରା ନଦୀ ପୋଲ ଉପରେ ଆଶା ସଂସ୍ଥାର ନିର୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୁଲିସ ଯେତେ ଖୋଳୁଛି ସେତେ ନୂଆନୂଆ ତଥ୍ୟ ବାହାରକୁ ଆସୁଛି। ଗତ ମେ’ ମାସ ୧୩ ତାରିଖ ରାତି ୯.୪୦ ସମୟରେ ବଂଶଧାରା ପୋଲ ଉପରେ ଅଜଣା ଆତତାୟୀଙ୍କ ଗୁଳିରେ ସ୍ବେଚ୍ଛାସେବୀ ଗୌରୀ ମିଶ୍ରଙ୍କ ମୃତ୍ୟୁ ଘଟିଥିଲା। ଏହ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିବା ଭି ରାଜେଶ ନାମକ ଜଣେ ଯୁବକଙ୍କୁ ଗତ ୧୯ ତାରିଖରୁ ବିଶାଖାପାଟଣାରୁ ନିଖୋଜ କରିଦେଇଥିଲେ କିଛି ଦୁର୍ବୃତ୍ତ। ରାଜେଶ ନିଖୋଜ ନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ ରାଜେଶଙ୍କ ମାଆ। ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ଦେଢ ମାସ ବିତିଥିଲେ ମଧ୍ୟ ଏଥିରେ ସଂପୃକ୍ତ ଅପରାଧୀଙ୍କ ସମ୍ପର୍କରେ ପୁଲିସ କୌଣସି ଟେର୍ ପାଇନଥିବା ବେଳେ ହଠାତ୍ ଗୁଣୁପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣୁପୁର ଥାନାର ଦ୍ବାରସ୍ଥ ହୋଇ ନିଜ ପୁଅ ଭି ରାଜେଶ ଗତ ୧୯ ତାରିଖ ରବିବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ପ୍ରକ୍ରିୟା ଜୋରଦାର୍ କରିଥିଲେ।
ରାଜେଶଙ୍କ ମାଆଙ୍କ କହିବା ଅନୁଯାୟୀ, କ୍ରିଷ୍ଣା ଓ ଜିକେ ନାମକ ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ନେଇ ତାଙ୍କ ପୁଅ ରାଜେଶ ଜାଣିଥିଲେ। ପରବର୍ତୀ ମୁହୂର୍ତ୍ତରେ ନିଖୋଜ ଥିବା ଭି ରାଜେଶଙ୍କୁ ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ପ୍ରମାଣ ନଷ୍ଟ ପାଇିଁ ବିଶାଖାପାଟଣାରେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲେ। ନିଖୋଜ ଥିବା ଭି ରାଜେଶଙ୍କୁ ହତ୍ୟା କରି ବିଶାଖାପାଟଣାର ଆନନ୍ଦପୁର ଥାନା ଅନ୍ତର୍ଗତ ଗାଣ୍ଡିଂଗୁଣ୍ଡଂଠାରେ ଏକ ଜଙ୍ଗଲ ନିକଟରେ ପୋତି ଦେଇଥିବା ପୁଲିସ ଜାଣିବାକୁ ପାଇଛି। ବର୍ତ୍ତମାନ ଆନ୍ଧ୍ର ଏବଂ ଓଡ଼ିଶା ପୁଲିସଙ୍କ ଉଦ୍ୟମରେ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି। ମୃତଦେହ ଉଦ୍ଧାର ହେବା ପରେ ଚିହ୍ନଟ କରିବା ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଫିଲ୍ମ ଷ୍ଟାଇଲରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇଥିବା ଏହି ଅଭିଯୁକ୍ତମାନଙ୍କ ପଛରେ କେତେଜଣ ସଂପୃକ୍ତ, କାହିଁକି ଗୌରୀ ମିଶ୍ରଙ୍କୁ ପ୍ରଥମେ ହତ୍ୟା କରାଇଲେ, ଏହାପରେ ଭି ରାଜେଶଙ୍କୁ ପ୍ରମାଣ ନଷ୍ଟ ପାଇିଁ କାହିଁକି ହତ୍ୟା କଲେ ଏହସବୁ ଘଟଣାରେ ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିବା ସହ ଗୁଣପୁର ଥାନା ପରିସରରେ କଟକଣା ଜାରି କରାଯିାଇଛି। ଏଥି ସହ ଗୁଣପୁର ଥାନା ଭିତରକୁ କାହାକୁ ପ୍ରବେଶ କରାଯାଉନାହିଁ। ତେବେ ଦିନେ ଦୁଇ ଦିନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
Comments are closed.