କାଠଡେରା ଗୁଣ୍ଡିଚା ଧାମରେ ଗୋଟିଏ ମାଉସୀ ଘରେ ଛଅ ଗାଁ ଦିଅଁ, ରଥ ଦାଣ୍ଡରେ ୬ରଥ ମେଳଣର ନିଆରା ଦୃଶ୍ୟ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରାରେ ହେଉଥିବା ରଥଯାତ୍ରା ଅଞ୍ଚଳରେ ଆଜି ପ୍ରସିଦ୍ଧି ଲାଭ କରିଛି ଗୁଣ୍ଡିଚା ଧାମ ରୂପରେ। ଏଠାରେ ୬ଟି ରଥର ଅପୂର୍ବ ମେଳଣ ହେବା ସହିତ ଦଶ ଦିନ ଧରି ୬ଟି ଗ୍ରାମର ଦାରୁ ଦିଅଁଙ୍କ ପବିତ୍ର ଦେବସ୍ଥଳୀ ପାଲଟିଯାଏ। ଛଅ ଛଅଟି ରଥର ଅପୂର୍ବ ମେଳଣ ଦେଖିବାକୁ ଦୂର ଦୂରାନ୍ତରୁ ଭକ୍ତଙ୍କ ବିପୁଳ ସମାଗମ ହୁଏ। ବର୍ଷ ପରେ ବର୍ଷ ଏହି ଯାତ୍ରାର ରୂପରେଖ ବଦଳି ଏହାକୁ ଆହୁରି ଆନନ୍ଦ ମୁଖରିତ କରିବା ପାଇଁ ତଥା ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଲୋକ ମହୋତ୍ସବର ମଧ୍ୟ ଆୟୋଜନ କରାଯାଉଛି। ଏହା ସହିତ ମୀନା ବଜାର ଓ ଦୋକାନ ବଜାରର ସଂଖ୍ୟା ବଢ଼ି ଚାଲିଛି। ସନ୍ଧ୍ୟାରେ ରଙ୍ଗୀନ ଆଲୋକ ମାଳରେ ଚତୁର୍ଦ୍ଦିଗ ଝଲସି ଉଠୁଛି। ପ୍ରଭୁ ଜଗନ୍ନାଥଙ୍କ ମହିମା ଅତୁଳନୀୟ। ରଥ ପରେ ରଥ ବୁଲି ଭକ୍ତମାନେ ଦାରୁରୂପୀ ବ୍ରହ୍ମଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣିଥାନ୍ତି। ଗୁଣ୍ଡିଚା ଧାମ ରୂପେ ପ୍ରସିଦ୍ଧି ଲାଭ କରିଥିବା କାଠଡେରା ପ୍ରଭୁଙ୍କ ଇଚ୍ଛାରେ ଆଜି ରଥ ପଥ ସବୁ କିଛି ସୁନ୍ଦର ହୋଇ ଚାଲିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାକାର କରି ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଭଗବାନଙ୍କ ଏହି ଘୋଷଯାତ୍ରାର ପରିକଳ୍ପନା। ରଥଯାତ୍ରା ଦିନ ବ୍ଲକର ଛଅଟି ଗ୍ରାମରୁ ମହା ଆଡ଼ମ୍ବରରେ ସୁସଜ୍ଜିତ ରଥରେ ଦାରୁ ଦିଅଁମାନଙ୍କୁ ରଥାରୁଢ଼ କରି ଟାଣି ଟାଣି ଆଣନ୍ତି ଶତାଧିକ ଭକ୍ତ। ସନ୍ଧ୍ୟାରେ ଏହି ଗୁଣ୍ଡିଚା ଧାମରେ ପହଞ୍ଚି ଯାଏ ଭୂର୍ଶି ପାଲି, ହିର୍ଲ୍ଲିପାଲି, ଟିଙ୍ଗି ପାଲି, ଲଚିଦା, କତାବଗା ଓ ଲୁରୁପାଲିରୁ ଛଅଟି ରଥ। ଗୋଟିଏ ଧାଡ଼ିରେ ଛଅଟି ରଥରେ ରଥ ଦାଣ୍ଡ ଅତ୍ୟନ୍ତ ମନଲୋଭା ହୋଇଉଠେ। କିନ୍ତୁ ସବୁ ରଥରେ ତିନି ଠାକୁର ନ ଥାନ୍ତି। ଟିଙ୍ଗି ପାଲି ରଥରେ ଦଧି ବାମନ ଓ ପତିତପାବନ ଦୁଇ ଦିଅଁ ରହିଥିବା ବେଳେ ପୂଜକ ସଞ୍ଜୀବ କୁମାର ଷଡଙ୍ଗୀ, ଭୂର୍ଷି ପାଲି ଓ ହିର୍ଲିପାଲି ରଥରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଆଦି ଚାରି ଦିଅଁ ରହିଥିବା ବେଳେ ପୂଜକ ଭାବରେ ଯଥାକ୍ରମେ ମନୋଜ କୁମାର ଦାଶ ଓ ଅଶ୍ଵିନୀ ପାଣିଗ୍ରାହୀ, ଲୁରୁ ପାଲି, କତାବଗା ଓ ଲଚିଦା ରଥରେ କେବଳ ଦଧିବାମନ ରହିଥାନ୍ତି,ଏହି ରଥରେ ପୂଜକ ଭାବରେ ଯଥାକ୍ରମେ ଦିବ୍ୟ କିଶୋର ଷଡ଼ଙ୍ଗୀ, ରୁଦ୍ର ପ୍ରତାପ ପଣ୍ଡା ଓ ଜଗଦୀଶ ସୁପକାର ରହିଥାନ୍ତି। ଜୟ ଘୋଷରେ ରଥ ଦାଣ୍ଡ ଉଛୁଳି ଉଠେ। ଏହି ଗୁଣ୍ଡିଚା ଧାମରେ ଗୋଟିଏ ମାଉସୀ ମା’ ମନ୍ଦିର ମଧ୍ୟରେ ପ୍ରତ୍ୟେକ ଗ୍ରାମର ଦିଅଁଙ୍କ ପାଇଁ ଅଲଗା ଅଲଗା ଘର ରହିଛି। ପ୍ରତ୍ୟହ ସକାଳୁ ପୂଜକ ଓ ସେବାୟତମାନେ ନୀତିକାନ୍ତି ପୂଜା କରି ସୁନ୍ଦର ବେଶରେ ସଜେଇ ଦିଅନ୍ତି ଦିଅଁମାନଙ୍କୁ। ତେବେ ଗୁଣ୍ଡିଚା ଧାମ ରୂପେ ପ୍ରସିଦ୍ଧି ଲାଭ କରିଥିବା ଏହି ପବିତ୍ର ସ୍ଥଳିର ଅତୀତ ଇତିହାସ ଅତ୍ୟନ୍ତ କରୁଣ।
ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁଯାୟୀ, ଏହା ଭାଲୁ, ମୃଗ, ହୁଣାର ଆଦି ବନ୍ୟ ଜନ୍ତୁଙ୍କର ଯାତାୟାତ ପଥ ଥିଲା। ଗୋଟିଏ ବଡ଼ ପିପ୍ପଳ ବୃକ୍ଷ(ଯାହା ଏବେ ବି ରହିଛି) ବ୍ୟତୀତ କିଛି ନଥିଲା। ବାର ପାହାଡରୁ ରେମୁଣ୍ଡ ପର୍ଯ୍ୟନ୍ତ ଜଙ୍ଗଲ ଘେରି ରହିଥିଲା। ଲୋକମାନେ ଶଗଡ଼ ଗାଡ଼ିରେ ଜଙ୍ଗଲରୁ କାଠ ସଂଗ୍ରହ କରି ଏହି ରାସ୍ତା ଦେଇ ନେଉଥିଲେ। ଥକି ଗଲେ ଏହି ବୁଦୁବୁଦିଆ ପିପ୍ପଳ ଗଛ ତଳେ ଆଶ୍ରୟ ନେଉଥିଲେ। ସନ୍ଧ୍ୟା ପୂର୍ବରୁ ଫେରୁଥିଲେ। ସେଥିପାଇଁ ଏହି ସ୍ଥାନର ନାମ କାଠ ଡେରା ବୋଲି କୁହାଯାଉଥିଲା। ଏମିତି ଏକ ସ୍ଥାନକୁ ଜନ ସମାଗମପୂର୍ଣ୍ଣ ପୀଠ ସ୍ଥଳୀ କରିବା ପାଇଁ ହିର୍ଲିପାଲିର ଗୌନ୍ତିଆ ସ୍ବର୍ଗତ ବିପିନ ବିହାରୀ ପ୍ରଧାନ ପାଞ୍ଚଟି ରାଜସ୍ବ ଗାଁ ଯଥା ଲଚିଦା, କଟାବଗା, ମନାପରା, ଭୂର୍ଷିପାଲି ଓ ହିର୍ଲିପାଲି ର ମୁଖିଆ ମାନଙ୍କ ମଧ୍ୟରେ ସ୍ବର୍ଗତ ମନବୋଧ ପତି, ପର୍ଶୁରାମ ପ୍ରଧାନ ତଥା ବରିଷ୍ଠମାନଙ୍କୁ ଡକାଇ ନିଜ ବାସଭବନରେ ଏକ ସ୍ବତନ୍ତ୍ର ବୈଠକ କରି ଏହା ଉପରେ ଆଲୋଚନା କରିଥିଲେ। ଏହାପରେ ଏହି ଯାତ୍ରା ଶୁଭାରମ୍ଭ ହୋଇଥିଲା। ଡାଳ ପତ୍ରରେ ପାଞ୍ଚଟି କୁଡିଆ ଘର ନିର୍ମାଣ କରି ତାକୁ ମାଉସୀ ମା’ ଘର ରୂପେ ପରିଚିତ କରିଥିଲେ। ଏହି ପାଞ୍ଚ ଖଣ୍ଡ ଗ୍ରାମରରୁ ରଥଗୁଡ଼ିକ ଟଣା ହୋଇ ଆସିବା ପରେ ଏହି ସ୍ଥାନରେ ଦିଅଁଙ୍କୁ ରଖୁଥିଲେ। ବର୍ଷା ହେଲେ ଭଗବାନଙ୍କୁ ଦଳ ପତ୍ରରେ ଢାଙ୍କି ରଖି ସୁରକ୍ଷା ଦେଉଥିଲେ। ସେହି ସମୟରେ ଏହି ସ୍ଥାନର ଆଖ ପାଖ ଅଞ୍ଚଳରେ କୌଣସି ଜଳାଶୟ ନଥିଲା। ତେଣୁ ବିଲରେ ଥିବା ପାଣି ଆଣି ସେହି ପାଣିରେ ଭୋଗ ଲଗାଯାଉଥିଲା। ପ୍ରତି ଘରୁ ୧ ଟଙ୍କାରୁ ୫ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ସଂଗ୍ରହ କରି ତଥା ପ୍ରତି ଗ୍ରାମରୁ ଗାହାକ ବାହାକ ଆସି ସଂଚାର କରି ଯାତ୍ରାକୁ ଆକର୍ଷଣୀୟ କରୁଥିଲେ। ଏହି ଗହକ ବାହକ ମାନଙ୍କୁ ମାତ୍ର ୧୦ ଟଙ୍କା ଲେଖାଏଁ ଦିଆଯାଉଥିଲା। ଏମିତି ଅନେକ ବର୍ଷ ବିତି ଯିବା ପରେ ହିର୍ଲିପାଲିର ଅଭି ପ୍ରଧନ ଆନୁମାନିକ ଗୋଟିଏ ଏକର ଜମି ଦାନ କରିବା ପରେ ଯାତ୍ରା ରୂପ ବଦଳିବା ସହ ଏହି ସ୍ଥାନର ବିକାଶର ମୂଳଦୁଆ ପଡ଼ିଥିଲା। କାଳକ୍ରମେ ଏହି ରଥ ଯାତ୍ରା ଉତ୍ସବ ମୁଖରିତ ହେବାକୁ ଲାଗିଲା। ଲୋକଙ୍କ ଭିଡ଼ ଅଧିକାରୀ ଅଧିକ ହେବାରେ ଲାଗିଲା। ବର୍ତ୍ତମାନ ସଂଚାର ପ୍ରତି ଲୋକଙ୍କ ରୁଚି କମିଯାଇଛି, ତଥାପି ପରମ୍ପରା ତଥା ପୁରୁଣା ସଂସ୍କୃତିକୁ ରକ୍ଷା କରି ସଂଚାର କରାଯାଉଛି। ଆଧୁନିକ ପରମ୍ପରାରେ ଲୋକଙ୍କ ରୁଚି ବଢୁଥିବା ନେଇ ତଦନୁରୂପ ଲୋକ ମହୋତ୍ସବ, ନୃତ୍ୟ, ସଙ୍ଗୀତର ଆୟୋଜନ କରାଯାଉଛି। ହେଲେ ଜଗନ୍ନାଥଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଆଜି ବି ରହିଛି। ଆଜି ବାହୁଡ଼ା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଆସନ୍ତା ୩୦ ତାରିଖ ରଥ ଗୁଡିକରେ ଦିଅଁମାନେ ନିଜ ନିଜ ମନ୍ଦିରରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛି।
Comments are closed.