ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ବର୍ଷାରେ ଧୋଇଗଲା ରାସ୍ତା, ମରାମତି କଲେ ଅଞ୍ଚଳବାସୀ
ଫୁଲବାଣୀ : ଫିରିଙ୍ଗିଆ ବ୍ଲକରେ ଗତ ଦୁଇ ଦିନ ଧରି ଝିପି ଝିପି ବର୍ଷା ଲାଗି ରହିଛି। ଏହି ପରିସ୍ଥିତିରେ ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତର ତରଗାବାଲିଠାରୁ ଭାଲୁର ଗାଁ ଯାଇଥିବା ରାସ୍ତାର ତଳପଡା ଗାଁ ନିକଟରେ ନୂତନ ଭାବେ ନିର୍ମାଣ କରାଯାଉଥିବା କୋଟି କୋଟି ଟଙ୍କାର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇନି। ଠିକାଦାରର ମନମୁଖୀ ଓ ବର୍ଷ ବର୍ଷ ଧରି କାର୍ଯ୍ୟକୁ ସାରୁ ନଥିବା ବେଳେ ଅଧାପନ୍ତରିଆ କାର୍ଯ୍ୟ କରିବା ସହ ପୋଲ ନିକଟରେ କରାଯାଇଥିବା ଅପ୍ରୋଚ ରାସ୍ତା ଖାଲ ଓ କାଦୁଅ ପଚ ପଚ ହୋଇ ପଡିଛି। ଏଥିଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ଯାନବାହନ ଯିବା ଦୂରର କଥା ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇ ପଡିଛି। ପୋଲ ଆର ପାଖରେ ୫ରୁ ଉର୍ଦ୍ଧ୍ବ ଗାଁର ଡ଼ାଇସାରା, ଗୁଡ଼ୁଗା, ତଳପଡା, ଭାଲୁର ଗାଁ, ରହିଥିବା ବେଳେ ଏକ ହଜାରରୁ ଅଧିକ ଜନସଂଖ୍ୟା ରହିଛି। ଅନ୍ୟ ପଟେ ଆଶ୍ରମ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ଭଳି ଅନେକ ଅନୁଷ୍ଠାନ ମଧ୍ୟ ରହିଥିବା ବେଳେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସେବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି ୫ଖଣ୍ଡ ଗ୍ରାମବାସୀ । ଏହି ପରିସ୍ଥିତିରେ ଠିକାଦାରଙ୍କ ମନମୁଖୀ ଓ ନିମ୍ନମାନର କାର୍ଯ୍ୟ ସହ କାର୍ଯ୍ୟରେ ବିଳମ୍ବ ଯୋଗୁଁ ବର୍ଷାରେ ଆପ୍ରୋଚ ରାସ୍ତା ନଷ୍ଟ ହେବା ସହ ଯାତାୟତ ବାଧା ପ୍ରାପ୍ତ ହୋଇଛି।
ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଅଞ୍ଚଳର ୫ଖଣ୍ଡ ଗାଁର ଶତାଧିକ ଜନସାଧାରଣ ପୋଲ ନିକଟରେ ହୋଇଥିବା ଆପ୍ରୋଚ ରାସ୍ତାକୁ ପଥର, ବାଲି ଓ ଗୋଡି ପକାଇ ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ରାସ୍ତା ନିର୍ମାଣ ବିଳମ୍ବ ସହ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ପିଲାର ଫାଟି ଆଁ ହୋଇଥିବାରୁ ଅଞ୍ଚଳରେ କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଠିକାଦାରଙ୍କୁ ଫୋନ କଲେ ମଧ୍ୟ ଫୋନ ଉଠାଉନଥିବା ଅଞ୍ଚଳର କିଛି ଲୋକେ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ କାର୍ଯ୍ୟ ସାରିବାକୁ ଅଞ୍ଚଳର ବାଲୁଙ୍କି କହଁର, ବୁଟୁଲ ଦିଗାଲ, ଟଙ୍କଧର କହଁର, ରଞ୍ଜନ ଦନ୍ତା, ପ୍ରଭାକର ଦନ୍ତା, ଋଷି ଦିଗାଲ, ସୁଶୀଳ କହଁର, ଓ ଅନ୍ୟମାନେ ଦାବି କରିଛନ୍ତି।
Comments are closed.