ଏମ୍‌କ୍ୟୁ-୯ବି ଡ୍ରୋନର ମୂଲ୍ୟ ନିର୍ଦ୍ଧାରଣ ହୋଇ ନାହିଁ

ନୂଆଦିଲ୍ଲୀ : ଆମେରିକାଠାରୁ ଭାରତ ୩୧ଟି ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ବୁଝାମଣା ସ୍ବାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କାଳରେ ଭାରତ ଏହି ବୁଝାମଣା କରିଛି। ତେବେ ଏମ୍‌କ୍ୟୁ-୯ବି ଡ୍ରୋନକୁ ଭାରତ ଅଧିକ ଦରରେ ଆମେରିକାଠାରୁ କିଣିବାକୁ ବୁଝାମଣା କରିଥିବା ନେଇ ଅଭିଯୋଗ ଉଠିଛି। କେତେକ ସାମାଜିକ ଗଣମାଧ୍ୟମରେ ​‌ଅଭିଯୋଗ ହୋଇଛି ଯେ ଭାରତ ସରକାର ଅଧିକ ଦରରେ ଆମେରିକା ଠାରୁ ଏହି ଡ୍ରୋନ କିଣିବାକୁ ଯାଉଛନ୍ତି। ମାତ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏପରି ଦାବିକୁ ଖଣ୍ଡନ କରିଛି। ମନ୍ତ୍ରଣାଳୟ କହିଛି ଯେ ଡ୍ରୋନଗୁଡିକୁ କେତେ ଦରରେ କିଣାଯିବ ତାହା ସ୍ଥିର ହୋଇନାହିଁ। ଡ୍ରୋନଗୁଡିକୁ ୩୦୭୨ ନିୟୁତ ଡଲାର ମୂଲ୍ୟରେ ଯୋଗାଇ ଦେବାକୁ ଆମେରିକା ପ୍ରସ୍ତାବ ଦେଇଛି। ମାତ୍ର ଆମେରିକାର ଏହି ଦର ଉପରେ ଭାରତ ମୂଲଚାଲ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। କେଉଁ ଦେଶକୁ ଆମେରିକା କମ୍ ମୂଲ୍ୟରେ ଏହି ଡ୍ରୋନ ଯୋଗାଇ ଦେଇଛି ତାକୁ ଅନୁଧ୍ୟାନ କରିବା ପରେ ମୂଲଚାଲ କରାଯିବ ବୋଲି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବ ଡିଏସି ଜୁନ୍‌ ୧୫ ତାରିଖରେ ୩୧ଟି ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ଅନୁମୋଦନ କରିଥିଲା।

Comments are closed.