ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର: ନିରାମୟରୁ ନିରାଶରେ ଫେରୁଛନ୍ତି ରୋଗୀ, ପଦବୀ ଖାଲିକୁ ଯନ୍ତ୍ରପାତି ଅଭାବ

ରେଙ୍ଗାଲିକ୍ୟାମ୍ପ: ଅତାବିରା ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରଟି ୨୦୦୨ ମସିହାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୂପେ ମାନ୍ୟତା ପାଇଛି। ଏହା ପୂର୍ବରୁ ଏହା ଗ୍ରାମୀଣ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ଅଧୀନରେ ଚାଲିଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ମାନ୍ୟତା ପାଇବାର ବର୍ଷ ବର୍ଷ ପରେ ମଧ୍ୟ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏହା ବହୁ ପଛରେ ରହିଛି। ଆଜି ବି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ବେଡ୍‌ ନାହିଁ। ଏଥିପାଇଁ ରୋଗୀମାନେ ବୁର୍ଲା ତଥା ଅନ୍ୟ ବେସରକାରୀ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି। ସରକାରୀ ନିୟମାନୁଯାୟୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଇନ୍ ଚାର୍ଜ, ଜଣେ ସୁପରିଟେଣ୍ଡେଣ୍ଟ, ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ, ଜଣେ ସର୍ଜରୀ, ଜଣେ ମେଡ଼ିସିନ, ଜଣେ ଶିଶୁ ବିଶେଷଜ୍ଞ, ଜଣେ ଡେଣ୍ଟାଲ ଓ ପାଞ୍ଚଜଣ ଏମବିବିଏସ ଡାକ୍ତର ସହ ଜଣେ ଆୟୁଷ ଡାକ୍ତର ରହିବା ଆବଶ୍ୟକ। କିନ୍ତୁ ଏହି ଶଯ୍ୟା ବିହୀନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଶେଷଜ୍ଞ ଡାକ୍ତରମାନେ ଆସୁନାହାନ୍ତି। ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଥାଇ ମଧ୍ୟ ଏଠାରେ ଅସ୍ତ୍ରୋପଚାର ପରି ପ୍ରସୂତି ହୋଇପାରୁ ନାହିଁ । ସେହିପରି ସର୍ଜରୀ ବିଶେଷଜ୍ଞ ଥାଇ ମଧ୍ୟ ସାମାନ୍ୟ ଅସ୍ତ୍ରୋପଚାର ପାଇଁ ରୋଗୀ ବାହାରେ ସର୍ଜରୀ କରାଇବା ପାଇଁ ବାଧ୍ୟ ହେଉଛନ୍ତି । ଏହା ବ୍ୟତୀତ ଦୀର୍ଘ ବର୍ଷ ହେଲା ମେଡିସିନ ଓ ଶିଶୁ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ି ରହି ଅନଭିଜ୍ଞ କର୍ମଚାରୀ ଔଷଧ ବିତରଣ କରୁଛନ୍ତି। ଯାହା ଫଳରେ ଅନେକ ସମୟରେ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଜରୁରୀକାଳୀନ ଔଷଧ ମଧ୍ୟ ଏଠାରେ ମିଳୁ ନ ଥିବା ବଡ଼ ପରିତାପର ବିଷୟ। ଗରିବ ଶ୍ରେଣୀର ରୋଗୀମାନେ ମାଗଣାରେ ଔଷଧ ନ ପାଇ ଅଧିକ ଟଙ୍କା ଦେଇ ବାହାରେ ଔଷଧ କିଣି ଖର୍ଚ୍ଚାନ୍ତ ହେଉଛନ୍ତି। ପରୀକ୍ଷାଗାରରେ ଆବଶ୍ୟକ ଯନ୍ତ୍ରପାତି ଅଭାବରୁ ଯେତିକି ପରୀକ୍ଷା କରାଯିବ କଥା ତାହା ବି ହୋଇପାରୁ ନାହିଁ । ରୋଗୀମାନେ ଏହି ସୁବିଧାରୁ ବଞ୍ଚିତ ହୋଇ ବାହାରେ ହଜାର ହଜାର ଟଙ୍କା ଦେଇ ପରୀକ୍ଷା କରୁଛନ୍ତି। ଯେଉଁ କ୍ୟୁବିସି ମେସିନ ରହିଛି, ତାହା ମଧ୍ୟ ଅନେକ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି। ଯାହା ବି ପରୀକ୍ଷା ଅଳ୍ପ ବହୁତ୍ କରାଯାଉଛି, ସେହି ପରୀକ୍ଷା ପାଇଁ ନମୁନା ଧରି ରୋଗୀମାନେ ଖରା ହେଉ କି ବର୍ଷା ବାହାରେ ଛିଡ଼ା ହେଉଛନ୍ତି। ତାଙ୍କର ବସିବା ପାଇଁ କି ଅପେକ୍ଷା କରିବା ପାଇଁ ଛାଉଣୀ ମଧ୍ୟ ନାହିଁ। ଆହୁରି ଆଶ୍ଚର୍ଯ୍ୟର ବିଷୟ ଯେ, ଡାକ୍ତର ଖବର ବାହାର କାନ୍ଥରେ ନିରାମୟ ଔଷଧର ଏକ ଲମ୍ବା ଚଉଡା ତାଲିକା ଛପାଯାଇଛି। ଏହାକୁ ଦେଖି ରୋଗୀମାନେ ମନେ ମନେ ଖୁସି ହୋଇଥାନ୍ତି ତାଙ୍କର ଆବଶ୍ୟକ ଔଷଧ ମାଗଣାରେ ପାଇବେ ବୋଲି। କିନ୍ତୁ ଯେତେବେଳେ ଔଷଧ ଆଣିବାକୁ ଯାଇଥାନ୍ତି ନିରାଶରେ ଫେରିଥାନ୍ତି। ଡାକ୍ତର ମାନେ ଯେତିକି ପରିମାଣର ଔଷଧ ଲେଖିଥାନ୍ତି, ନିରାମୟରେ ସେହି ପରିମାଣଠାରୁ କମ୍ ଦିଆଯାଉଛି, କାରଣ ଔଷଧର ଅଭାବ ରହୁଛି।

ଏହି କେନ୍ଦ୍ରରେ କାର୍ଯ୍ୟରତ ଥିବା ଷ୍ଟାଫ୍ ନର୍ସମାନଙ୍କ ରହିବା ପାଇଁ ସରକାରୀ କ୍ୱାର୍ଟର ରହିଛି ସତ, ହେଲେ ରହୁଛନ୍ତି ଡାକ୍ତର, ଅତିରିକ୍ତ ଏ ଏନ୍ ଏମ୍ ଏମ୍ ଓ କିରାଣୀ । ଯାହା ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ କ୍ୱାର୍ଟର ପାଇଁ ଆବେଦନ କଲେ ମଧ୍ୟ, କ୍ୱାର୍ଟର ନାହିଁ ବୋଲି ତାଙ୍କୁ ମନା କରାଯାଉଛି। ସରକାରୀ ନିୟମ ଅନୁଯାୟୀ, ଲେବର ରୁମରେ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ଷ୍ଟାଫ ନର୍ସମାନେ କାର୍ଯ୍ୟ କରିବା କଥା, କିନ୍ତୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଭିନ୍ନ ଦେଖିବାକୁ ମିଳୁଛି। ଜଣେ ଏଏନଏମଙ୍କ ଦ୍ଵାରା ଦୀର୍ଘ ୨୫ ବର୍ଷ ହେବ ପରିଚାଳିତ ହେଉଛି। କାହା ସ୍ୱାର୍ଥରେ ଏପରି ଚାଲିଛି ବୋଲି ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆହୁରି ଆଶ୍ଚର୍ଯ୍ୟର ବିଷୟ ଏଠାରେ ସୁଇପରମାନେ ଷ୍ଟିଚିଂ ଓ ଡ୍ରେସିଂ କାମ କରିଥାନ୍ତି। ଏତେ ବଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ବିଶ୍ରାମ କକ୍ଷ ନ ଥିବାରୁ କିଏ ଗଛ ମୂଳେ ତ କିଏ ବାରଣ୍ଡାରେ ସମୟ ବିତାଇଥାନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ସକାଳ ୧୦ଟା ପରେ କେହି ପଦାକୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନ ମୂଳକ ନିର୍ଦ୍ଦେଶ ରହିଥିଲା। ସ୍ବାସ୍ଥ୍ୟ କେନ୍ଦ୍ରରେ ଓପିଡି ସମୟକୁ ସକାଳ ୭ ଟାରୁ ସକାଳ ୧୧ ଟା ପର୍ୟ୍ୟନ୍ତ ଭିତରେ ରଖିବା କଥା, କିନ୍ତୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ସମୟକୁ ପରିବର୍ତ୍ତନ କରାଯାଇ ମନଇଚ୍ଛା ସକାଳ ୮ ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲୁ ରଖାଯାଉଥିଲା।

ଖାଲି ଏତିକି ନୁହଁ, ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ଫେଜ୍ ବିଦ୍ୟୁତ୍ ସୁବିଧା ନ ଥିବାରୁ, ଲାଗିଥିବା ବିଦ୍ୟୁତ୍ ତାର ବାରମ୍ବାର ପୋଡିଯାଉଛି। ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଏଥିପ୍ରତି ଅଧିକାରୀମାନେ କୌଣସି ଗୁରୁତ୍ଵ ଦେଉନାହାନ୍ତି। ସାମାନ୍ୟ ଏକ୍ସରେ ମେସିନ ନାହିଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ, ସିଟି ସ୍କାନ କଥା ପଚାରେ କିଏ। ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଗ୍ରାମୀଣ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ରହିଛି, କିନ୍ତୁ ଏହା ଚାଲୁନାହିଁ। ଏଠାରେ ଷ୍ଟାଫ୍ ମାନଙ୍କ ରହିବା ପାଇଁ ଷ୍ଟାଫ୍ କ୍ୱାର୍ଟର ବି ରହିଛି, କିନ୍ତୁ ସପ୍ତାହକୁ ଥରେ ଏହାର ଅଧିକାରୀ ଆସି ଘେରାଏ ବୁଲି ଚାଲିଯାଉଛନ୍ତି। ଦିଲ୍ଲୀରୁ ତଦନ୍ତକାରୀ ଦଳ ଆସିଲେ ସେମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାଗଜ ପତ୍ର ଦେଖାଇ ଭୂଆଁ ବୁଲାଇ ନିଜେ ବର୍ତ୍ତିଯାଉଛନ୍ତି। ବୁର୍ଲା ମେଡ଼ିକାଲ କଲେଜ ଅଧୀନରେ ରହିଥିବା ଏହି ଷ୍ଟାଫ୍ କ୍ୱାର୍ଟରମାନଙ୍କରେ ଅବସରପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ବାହାର ଲୋକ ରହୁଛନ୍ତି। ଏହାର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ। ଫଳରେ ଅନେକ କ୍ୱାର୍ଟରଗୁଡ଼ିକ ଭାଙ୍ଗି ରୁଜି ନଷ୍ଟ ହୋଇଗଲାଣି। ଅନେକ ଭଙ୍ଗା କ୍ୱାର୍ଟର ନିଶାଖୋର ମଦ୍ୟପମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ରାତି ୯ଟା ପରେ ରୋଗୀମାନେ ଚିକିତ୍ସା ପାଇଁ ଆସିଲେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀମାନଙ୍କ ପାଇଁ ରହିଛି ଗାଡ଼ି ପାର୍କିଂ ସ୍ଥଳ। କିନ୍ତୁ ତାହା ବାହାର ଲୋକଙ୍କ ପାଇଁ ପାର୍କିଂ ସୁବିଧା ଦେଉଛି।

ଅତାବିରା ବ୍ଲକ ଅଧୀନରେ ରହିଥିବା ସବୁଠାରୁ ପୁରୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାହାର ଶ୍ରିଗିଡାରେ ଅବସ୍ଥିତ। ଏହି କେନ୍ଦ୍ରରେ ମଧ୍ୟ ଡାକ୍ତରମାନେ ସୂଚାରୁ ରୂପେ ତାଙ୍କର ଦାୟିତ୍ଵ ତୁଲାଉ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଛି ନାମକୁ ମାତ୍ର, ଖାଲି କାଗଜ ପତ୍ରରେ ସବୁ କିଛି ଚାଲିଛି। ପଦବୀ ସବୁ ଭରପୁର କିନ୍ତୁ କାମ ଶୂନ। ଯେଉଁଠି ରୋଗୀ ସେଠାରେ ଡାକ୍ତର ନାହାନ୍ତି, ଆଉ ଯେଉଁଠି ରୋଗୀ ନାହାନ୍ତି ସେଠାରେ ସମସ୍ତ ପଦବୀ ପୂରଣ ହୋଇ ରହିଛି । ଏପରିକି ଅନ୍ୟ ଉପକେନ୍ଦ୍ର ଓ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କର ମହିଳା ସ୍ବାସ୍ଥ୍ୟ କର୍ମୀ ଓ ଆଟେଣ୍ଡାଣ୍ଟଙ୍କୁ ଡେପୁଟେସନରୁ ଆଣି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରାଇ ଏମାନଙ୍କୁ ଷ୍ଟାଫ କ୍ୱାର୍ଟର ଦିଆଯାଇଥିବା ନଜରକୁ ଆସିଛି। ଫଳରେ ସେହି କେନ୍ଦ୍ରମାନଙ୍କରେ ପଦବୀ ଖାଲି ପଡ଼ି ସେଠାରେ ମଧ୍ୟ ଅଚଳାବସ୍ଥା ଦେଖାଯାଇଛି। ସେଠାକାର ରୋଗୀମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଅତାବିରା ସ୍ବାସ୍ଥ୍ୟ ଅଧିକାରୀ ଦୀର୍ଘ ୬ ବର୍ଷ ହେଲା ବହୁତ ବିଭାଗ ଓ ଏହାର ସମସ୍ୟାକୁ ଆଦୌ ଦୃଷ୍ଟି ଦେଉ ନଥିବା ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ରୋଗୀମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Comments are closed.